Odisha News

ରାହାମାରେ ସେକ୍ସ ରାକେଟ, ଧରାପଡ଼ିଲେ ୪ ମହିଳା ଓ ଜଣେ ଯୁବକ

ଜଗତସିଂହପୁର, ୮/୮ : ଘର ଭିତରେ ଚାଲିଥିଲା ସନ୍ଦେହଜନକ କାରବାର। ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରି ଏକ ସନ୍ଦିଗ୍ଧ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ କରିଛି ପୁଲିସ। ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରାହାମା ଗାଁ ନିକଟରେ। ତିର୍ତ୍ତୋଲ ଥାନା ଅଧୀନରେ ଏକ ଘରେ ଚାଲିଥିବା ଏହି କାରବାର ଉପରେ ଚଢ଼ାଉ କରି ୪ ଜଣ ମହିଳା ଓ ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ।
ସୂଚନା ଅନୁସାରେ, ରାହାମା ନିକଟସ୍ଥ ଏକ ଘରେ ଦୀର୍ଘଦିନ ଧରି ସନ୍ଦେହଜନକ କାରବାର ଚାଲିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଏହାପରେ ତିର୍ତ୍ତୋଲ ଥାନା ଓଓଉ ବଂଶୀଧର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଘର ଭିତରୁ ୪ ଜଣ ମହିଳା ଏବଂ ଜଣେ ଯୁବକଙ୍କୁ ପୁଲିସ ଅଟକ କରିଥିଲା। ଏହାସହ ଘରୁ ୨୧୦୦ ଟଙ୍କା ନଗଦ, ଏକ ପର୍ସ ଏବଂ ୯ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ତେବେ ପୁଲିସ ଚଢ଼ାଉ କରିବା ପୂର୍ବରୁ ଏହି କାରବାରରେ ସମ୍ପୃକ୍ତ କିଛି ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇଥିବା ସୂଚନା ମିଳିଛି। ଅଟକ ଥିବା ୫ ଜଣଙ୍କୁ ପୁଲିସ ହେପାଜତରେ ନେଇ ପଚରାଉଚରା କରୁଛି।
ଏହି ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଏଠାରେ କେତେଦିନ ଧରି ଏଭଳି କାରବାର ଚାଲିଥିଲା ଏବଂ ଏହା ପଛରେ କିଏ ରହିଛି, ସେନେଇ ତିର୍ତ୍ତୋଲ ପୁଲିସ ତଦନ୍ତ ଜାରି ରଖିଛି।

Related Posts