ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ ଦଳରୁ ନିଲମ୍ବିତ ବାଲିଗୁଡା ବିଧାୟକ ଙ୍କୁ ହଜାର ହଜାର ବିଜେଡି କର୍ମୀ କଲେ ସ୍ୱାଗତ ସମ୍ବର୍ଦ୍ଧନା
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩/୬ : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିଛି ବିଜେଡି ନେତୃ ମଣ୍ଡଳୀ ।
ଦଳୀୟ ନିଲମ୍ବନ ପରେ ପ୍ରଥମ ଥର ପାଇଁ ସେ କ.ନୂଆଗାଁ ବ୍ଲକରେ ପହଞ୍ଚିଥିବା ବେଳେ ଆଠ ହଜାର ରୁ ଅଧିକ ସମର୍ଥକ ଓ ବିଜେଡି କର୍ମୀ ତାଙ୍କୁ ସ୍ବାଗତ ଜଣାଇଥିଲେ। ଚକ୍ରମଣି କହଁର ବିଜେଡି ଟିକେଟରେ ଦୁଇ ଦୁଇଥର ବାଲିଗୁଡା ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି।
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ତାଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଥିଲା।
ନିଲମ୍ବନ ପରେ ସେ ନିଜ ନିର୍ବାଚନ ମଣ୍ଡଳୀକୁ ଆସିନଥିବା ବେଳେ ବୁଧବାର ତାଙ୍କ ଆଗମନକୁ ନେଇ ସମର୍ଥକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।
କ.ନୂଆଗାଁରୁ ମହାସିଙ୍ଗି ପର୍ୟ୍ୟନ୍ତ ଏକ ବିଶାଳ ବାଇକ୍ ରାଲି ଆୟୋଜନ କରାଯାଇ ଚକ୍ରମଣିଙ୍କୁ ପାଛୋଟି ନିଆଯାଇଥିଲା। ଏହାକୁ ତାଙ୍କର ଏକ ଶକ୍ତି ପ୍ରଦର୍ଶନ ଭାବେ ଦେଖାଯାଉଛି। ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ତାଙ୍କ ପ୍ରତି ନିର୍ବାଚନ ମଣ୍ଡଳୀ ନେତା ଓ କର୍ମୀ ଙ୍କ ସମର୍ଥନ ଅବ୍ୟାହତ ରହିଥିବା ଏହି କାର୍ୟ୍ୟକ୍ରମରୁ ସ୍ପଷ୍ଟ ହୋଇଛି।
ଏହି ଅବସରରେ ଚକ୍ରମଣି କହଁର କହିଥିଲେ ଯେ, ଦଳ ତାଙ୍କୁ ନିଲମ୍ବିତ କରିଥିଲେ ମଧ୍ୟ ସେ ସବୁବେଳେ ଜନତା ଙ୍କ ସହିତ ରହିଛନ୍ତି ଓ ଶେଷ ପର୍ୟ୍ୟନ୍ତ ତାଙ୍କ ପାଇଁ ସଂଗ୍ରାମ ଜାରି ରଖିବେ । ବାଲିଗୁଡା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ପୂର୍ବଭଳି କାର୍ୟ୍ୟ ଜାରି ରଖିବେ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ, ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି ଯେ, ଚକ୍ରମଣି କହଁର ବିଜେଡି ଟିକେଟରେ ନିର୍ବାଚିତ ବିଧାୟକ ହୋଇଥିବାରୁ ଦଳୀୟ କର୍ମୀମାନେ ତାଙ୍କୁ ନିଜର ବିଧାୟକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି।
ଆଗାମୀ ଦିନରେ ମଧ୍ୟ ବିଧାୟକ ଙ୍କୁ କର୍ମୀ ମାନଙ୍କ ସମର୍ଥନ ଜାରି ରହିବ । ଅଂଚଳ ର ବିକାଶ ଏବଂ ଲୋକଙ୍କ ପାଇଁ କାମ କରିବେ ବୋଲି ସ୍ୱାଗତ ସମ୍ବର୍ଦ୍ଧନା ରେ ଦଳୀୟ ନେତୃତ୍ୱ ଭରସା କରିଛନ୍ତି ।
ବାଲିଗୁଡା ବିଧାୟକ ଙ୍କୁ ସ୍ୱାଗତ ଅବସରରେ ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ, କୋଟଗଡ ବ୍ଲକ ବିଜେଡି ସଭାପତି ମନୋଜ କୁମାର ସାବତ, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀକାନ୍ତ ନାୟକ, କ ନୂଆଗାଁ ବ୍ଲକ ବିଜେଡି ସଭାପତି ଭାଗ୍ୟବାନ ବେହେରା, ତୁମୁଡିବନ୍ଧ ବିଜେଡି ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ନବୀନ ପାତ୍ରଙ୍କ ସମେତ ଚାରି ବ୍ଲକ ର ନିର୍ବଚିତ ସରପଞ୍ଚ ସମିତି ସଭ୍ୟ ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ତିନି ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ ।
ଆଜିର ଏହି ସ୍ୱାଗତ ସମ୍ବର୍ଦ୍ଧନା ପରେ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଏକ ଭିନ୍ନ ରକମର ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ବାଲିଗୁଡା ରାଜନୀତି ମହଲ ରେ ପାଗ ପରିବର୍ତନ ସହ ନୂଆ ସମୀକରଣ ସୃଷ୍ଟି ହୋଇ ଥିବା ପରିଲକ୍ଷିତ ଦେଖାଯାଇଛି ।
ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ଜଣେ ମୃତ
ବାଲିଗୁଡା, ୩/୬: ପୋଖରୀରେ ବୁଡ଼ି ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତି ଜଣକ ହେଲେ ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ପଞ୍ଚାୟତ ବ୍ରାହାସାଲକା ଗ୍ରାମର ମସ୍ତରାମ ପ୍ରଧାନ (୫୫) ବୋଲି ଜଣାପଡିଛି।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଖେଳିଯାଇଛି।
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟା ସମୟରେ ବ୍ୟକ୍ତିଜଣକ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ କୌଣସି କାରଣବଶତଃ ତାଙ୍କର ଗୋଡ଼ ଖସିଯାଇଥିଲା ଏବଂ ସେ ଗଭୀର ପାଣି ରେ ବୁଡ଼ି ଯାଇଥିଲେ। ସେ ବେଶ୍ କିଛି ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।
ବହୁତ ଖୋଜା ଖୋଜି ପରେ ପୋଖରୀ ମଧ୍ୟରୁ ତାଙ୍କୁ ଗାଁ ଲୋକ ଦେଖି ତୁରନ୍ତ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ମୃତ ବ୍ୟକ୍ତି ଙ୍କୁ ପୋଖରୀ ମଧ୍ୟରୁ ଉଦ୍ଧାର କରାଯାଇଥିଲା।
ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ଙ୍କ ସହାୟତାରେ ତାଙ୍କୁ ତୁରନ୍ତ ନିକଟସ୍ଥ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।
ହେଲେ ସେଠାରେ ଡାକ୍ତର ତାଙ୍କୁ \’ମୃତ\’ ବୋଲି ଘୋଷଣା କରିଥିଲେ। ଦାରିଙ୍ଗବାଡି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଖବର ପାଇ ମୃତ ଶରୀର ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଛନ୍ତି ଏବଂ ଘଟଣାର ଅଧିକ ତଦନ୍ତ ପୋଲିସ ଚଲାଇଛନ୍ତି।




