Odisha News

ଯନ୍ତ୍ରୀ ସଞ୍ଜୟ କିସପଟ୍ଟାଙ୍କ ୪ ମହଲା ଲଜ୍ ସାଙ୍ଗକୁ ୮ଟି ମୂଲ୍ୟବାନ ଠାବ କଲା ଭିଜିଲାନ୍ସ ଟିମ୍

ଭୁବନେଶ୍ୱର, ୧୩/୭ : ଓଡ଼ିଶା ନିର୍ମାଣ ନିଗମ ଲିମିଟେଡର ବଲାଙ୍ଗିର ଲୋଏର୍ ସୁକତେଲ ପ୍ରକଳ୍ପରେ କାର‌୍ୟ୍ୟ ରତ ନିର୍ବାହୀ ଯନ୍ତ୍ରୀ ତଥା କୋରାପୁଟ ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ଘରେ ଚଢ଼ଉ ଜାରି ରହିଛି । ଖବର ଲେଖାଯିବା ବେଳକୁ ବାବୁଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଯାହାକୁ ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ଏଯାବତ ତାଙ୍କର ଗୋଟେ ବାଣିଜ୍ୟିକ କୋଠା, ୮ଟି ମୂଲ୍ୟବାନ ଜମି, ଗୋଟିଏ ଚାରି ଚକିଆ ଗାଡ଼ି, ବାଇକ୍, ସୁନା ଏବଂ ରୁପା ଅଳଙ୍କାର ମିଳିଛି ।
ଆଜି ସକାଳୁ କିସପଟ୍ଟାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ଯନ୍ତ୍ରୀଙ୍କର କୋରାପୁଟ, ସୁନ୍ଦରଗଡ଼, ବଲାଙ୍ଗିର ଏବଂ ଭୁବନେଶ୍ୱରରେ ୬ଟି ଠିକଣାରେ ଏକକାଳୀନ ଯାଞ୍ଚ ଆରମ୍ଭ ହୋଇଛି । ଭିଜିଲାନ୍ସ ବିଭାଗର ୬ ଜଣ ଡିଏସପି, ୮ ଇନସ୍ପେକ୍ଟର, ୭ ଏଏସ୍ଆଇ ଏବଂ ଅନ୍ୟ ସହ କର୍ମଚାରୀ ସାମିଲ ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ କୋରାପୁଟ ଟିକ୍ରା ସାହିରେ ଥିବା ଭଡ଼ା ଘର, କୋରାପୁଟ ଟାଉନରେ ଥିବା ୪ ମହଲା ବିଶିଷ୍ଟ କୋଠା, ନିର୍ମାଣଧୀନ କୋଠା, ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଲାଟେଇମୁଣ୍ଡାରେ ଥିବା ପୈତୃକ ଘର ଓ ନିର୍ମାଣଧୀନ ତିନି ମହଲା କୋଠା, ଭୁବନେଶ୍ୱର ଓ ବଲାଙ୍ଗିରରେ ଥିବା ବାସଭବନ ଏବଂ କାର‌୍ୟ୍ୟା ଳୟରେ ଚଢ଼ଉ ହେଉଛି । ବାବୁଙ୍କର କୋରାପୁଟ ଟାଉନ ଉପରେ ୮ ହଜାର ବର୍ଗ ଫୁଟ୍ ଜମି ଉପରେ ଏକ ୪ ମହଲା କୋଠା ରହିଛି । ଯେଉଁଥିରେ ୨୩ଟି ବଖରା ରହିଛି । ଏହାକୁ ସେ ଲଜ୍ କରିଛନ୍ତି । ସେହିପରି ଆଉ ଗୋଟିଏ ବାସଭବନ ନିର୍ମାଣଧୀନ ଅବସ୍ଥାରେ ରହିଛି । ସେହିପରି କୋରାପୁଟରେ ୫ଟି, ରାଉରକେଲାରେ ୨ଟି ଏବଂ ଭୁବନେଶ୍ୱରରେ ୧ଟି ମୋଟ ୮ଟି ପ୍ଲଟ୍ ମିଳିଛି । ସେହିପରି ଘରୁ ପୁଳା ପୁଳା ସୁନା ଓ ରୁପା ଅଳଙ୍କାର ମିଳିଛି । ଯେଉଁଥିରେ ଚାନ୍ଦିର କଳସ ମଧ୍ୟ ସାମିଲ ରହିଛି । ଅନ୍ୟାନ୍ୟ ନଗଦ ରାଶି ଏବଂ ବ୍ୟାଙ୍କ ଜମା ରାଶିକୁ ମିଶାଇ ମୋଟ ସମ୍ପତ୍ତିର ଆକଳନ ଜାରି ରହିଛି ।
୨୦୧୧ ମସିହାରେ ସଞ୍ଜୟ କୁମାର କିସପଟ୍ଟା ଜଳ ସମ୍ପଦ ବିଭାଗ ଅଧୀନରେ ସହକାରୀ ଯନ୍ତ୍ରୀ ଭାବରେ ଚାକିରିରେ ଯୋଗ ଦେଇଥିଲେ । କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକରେ ନିଯୁକ୍ତି ପାଇଥିଲେ। । ତାଙ୍କର ପ୍ରଥମ ଦରମା ଥିଲା ମୋଟ ୯,୩୦୦ ଟଙ୍କା । ୨୦୧୬ ମସିହାରେ ନିୟମିତ ହୋଇଥିଲେ ଏବଂ ୨୦୧୮ ପର‌୍ୟ୍ୟନ୍ତ ନାରାୟଣପାଟଣା ବ୍ଲକରେ ସମାନ ପଦବୀରେ କାର‌୍ୟ୍ୟ ଜାରି ରଖିଥିଲେ । ୨୦୧୮ ରୁ ୨୦୨୧ ପର‌୍ୟ୍ୟନ୍ତ, କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ବଦଳି ହୋଇଯାଇଥିଲେ । ୨୦୨୧ରୁ ଫେବୃଆରୀ ୨୦୨୫ ପର‌୍ୟ୍ୟନ୍ତ ସେ କୋରାପୁଟର ଆଇଟିଡିଏରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ନିଯୁକ୍ତି ହୋଇଥିଲେ । ଏହା ପରେ ୬ ମାର୍ଚ୍ଚ, ୨୦୨୬ ରେ, ନିର୍ବାହୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇ ଭୁବନେଶ୍ୱରର ଓଡ଼ିଶା ନିର୍ମାଣ ନିଗମ ଲିମିଟେଡରେ ନିଯୁକ୍ତି ପାଇଥିଲେ । ପରବର୍ତ୍ତୀ ସମୟରେ ସେ ତାଙ୍କୁ ବଲାଙ୍ଗିରକୁ ଡେପୁଟେସନରେ ଯାଇଥିଲେ । ସେଠାରେ ଲୋୟର ସୁକତେଲ ପ୍ରକଳ୍ପରେ କାର‌୍ୟ୍ୟ କରୁଛନ୍ତି । ସେ କୋରାପୁଟ ଜିଲ୍ଲାରେ ପ୍ରାୟ ୧୫ ବର୍ଷ ଧରି ସେବା କରିଛନ୍ତି।

Related Posts