ମଇ ୬ ରୁ ମା’ ପାଟଖଣ୍ଡା ଠାକୁରାଣୀ ଯାତ୍ରା, ଜୁନ ୨ ରେ ଶେଷ: ୨୮ ଦିନ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବେ: ଆଧ୍ୟାତ୍ମିକମୟ ପରିବେଶରେ ଶୁଭଖୁଣ୍ଟି ସ୍ଥାପନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଯାତ୍ରା ପାଇଁ ମଙ୍ଗଳବାର ରାତିରେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ନିକଟରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି ।
ମା’ଙ୍କ ମୁଖ୍ୟମନ୍ଦିରରୁ ଶୁଭଖୁଣ୍ଟିକୁ ପୂଜାର୍ଜନା କରାଯାଇ ଅଣାଯିବା ପରେ ଆଧ୍ୟାତ୍ମିକମୟ ପରିବେଶ ମଧ୍ୟରେ ଓ ବିଶାଳ ପଟୁଆରରେ ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ କରାଯାଇଥିଲା । ଏହାସହ ଚଳିତବର୍ଷ ମା’ଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି।
ଚଳିତବର୍ଷ ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଜୁନ ୨ରେ ଶେଷ ହେବ କ୍ଷ ୨୮ ଦିନ ବ୍ୟାପୀ ମା’ ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ। ନିଷ୍ପତ୍ତି ଅନୁସାରେ, ମଇ ୬ ତାରିଖ ରାତ୍ରରେ ମା’ଙ୍କୁ ଆଣିବା ପାଇଁ ଘଟ ଧାରୀ ମାନେ ଘରୁ ବାହାରି ସ୍ଥାୟୀ ମନ୍ଦିରକୁ ଯିବେ। ଏହାପରେ ବିଳମ୍ବିତ ରାତ୍ର ମଧ୍ୟରେ ମା\’ ଅସ୍ଥାୟୀ ମନ୍ଦିରକୁ ପ୍ରବେଶ କରିବେ ଜୁନ ୨ ତାରିଖ ବିଳମ୍ବିତ ରାତିରେ ନିଜସ୍ବ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।
ତାରିଖ ଘୋଷଣା ପରେ ସମଗ୍ର ବାଲିଗୁଡା ସହର ଉତ୍ସବମୁଖର ହୋଇଉଠିଛି। ଏହାପୂର୍ବରୁ ମଙ୍ଗଳବାର ସକାଳୁ ଯାତ୍ରା ପରିଚାଳନା କମିଟିଙ୍କ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଅଞ୍ଚଳ ବାସୀଙ୍କୁ ଶୁଭଖୁଣ୍ଟି ସ୍ଥାପନ ଓ ଯାତ୍ରା ତାରିଖ ଘୋଷଣା ନେଇ ଅବଗତ କରାଯାଇଥିଲା ।
ରୀତିନୀତି ଅନୁସାରେ ମା’ଙ୍କ ଦୀପ ଲଗାଇ ପୂଜାପାଠ ଓ ଆବାହନ ପରେ ବାଉଁଶ ଶୁଭଖୁଣ୍ଟି କୁ ଧରି ଆସିଥିଲେ । ଶୁଭଖୁଣ୍ଟିକୁ ସ୍ଥାୟୀ ମନ୍ଦିରକୁ ପଟୁଆର ଓ ବାଜାବାଜଣା ସହ ଅଣା ଯାଇଥିଲା।
ଏହାପରେ ମା’ କନକଦୁର୍ଗା ନୁଆସାହି, ମା’ ଡେଙ୍ଗସିଲ, ମା’ ବରାଳଦେବୀ ଓ ମା’ ମହାମାୟୀଙ୍କ ଠାରୁ ମା’ଙ୍କ ଆଜ୍ଞାମାଳ ମିଳିବା ପରେ ଶୁଭଖୁଣ୍ଟିକୁ ମା’ବରାଳ ଦେବୀ ମନ୍ଦିର ସମ୍ମୁଖରେ ସ୍ଥାପନ କରାଯାଇଥିଲା । ବାଜା ରୋଷଣୀରେ ସମଗ୍ର ସହର ପ୍ରକମ୍ପିତ ହୋଇ ଉଠିଥିଲା ।
ଏଥିରେ ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, କୋଷାଧକ୍ଷ ଅଶୋକ କୁମାର ସାହୁ ଏବଂ ଏହି ଠାକୁରାଣୀ ଯାତ୍ରାର ଏକ ୫ଜଣିଆ କମିଟି ସଦସ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।