Odisha News

ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ଗାଡ଼ି ପାର୍କିଂକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା ,୧୯/୨ : ଜଟଣୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ଦଖଲ କରୁଛନ୍ତି ସରକାରୀ ଅଧିକାରୀ । ଗେଟ ଆଗରେ ରହୁଛି ବିଡ଼ିଓଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କ ଦୁଇ ଚକିଆ ଓ ଚାରି ଚକିଆ ଗାଡି । ସାଧାରଣ ଲୋକମାନେ ଅଫିସ ଭିତରକୁ ଯିବାକୁ ବହୁ ଅସୁବିଧା ଭୋଗୁଛନ୍ତି । ଯେଉଁଥିପାଇଁ ଆଜି ଓଡିଶା ସୂଚନା ଅଧିକାର ଅଭିଯାନର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ଜଟଣୀ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାର ପୋର୍ଟିକ ତଳେ ବିଡ଼ିଓ ଙ୍କ ଚାରି ଚକିଆ ଗାଡି ଗେଟ ପାଖରେ ଲାଗି ରହୁଛି । ସାଧାରଣ ଲୋକ, ମହିଳା, ବୃଦ୍ଧ ବୃଦ୍ଧା ଏବଂ ଦିବ୍ୟାଙ୍ଗ ମାନେ ବ୍ଲକ କାର୍ଯ୍ୟାଳୟ ଭିତରକୁ ଯିବାକୁ ହେଲେ ଅନ୍ୟ ଏକ ବାଟ ଦେଇ ଯାଇଥାନ୍ତି ।
ମୁଖ୍ୟ ଫାଟକ ଦେଇ ଯିବାକୁ ହେଲେ ବିଡ଼ିଓ ରଖୁଥିବା ଗାଡି ସାଇଡରେ କଡେଇ କଡେଇ ଯିବାକୁ ପଡୁଛି । ଦିବ୍ୟାଙ୍ଗ ମାନେ ତ ଏହି ପଟରେ ଯିବା ଅସମ୍ଭବ ହୋଇ ପଡୁଛି ।
ସେହିପରି ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟ ର ମୁଖ୍ୟ ଫାଟକ ତଥା ପୋର୍ଟିକ ତଳେ ଚାରି ପାଞ୍ଚଟି ବାଇକ ରଖିବା ସହ ସେହି ସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଉଛନ୍ତି ।
ଅନ୍ୟପଟେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର କୋଠାର ପୋର୍ଟିକ ତଳେ ମଧ୍ୟ ବାଇକ ରଖି ସେଠାକୁ ଜବରଦଖଲ କରିଛନ୍ତି ।
ତେବେ ବ୍ଲକ କାର୍ଯ୍ୟାଳୟ ପୋର୍ଟିକ ତଳେ ଗାଡି ପାର୍କିଂ କରିବାକୁ କୌଣସି ଅନୁମତି ରହିଛି ନା ନାହିଁ ତାକୁ ନେଇ ପଞ୍ଚାୟତିରାଜ ବିଭାଗକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲା ।
ମିଳିଥିବା ତଥ୍ୟ ଅନୁସାରେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ପୋର୍ଟିକ ତଳେ ଗାଡି ରଖିବାକୁ ସେଭଳି କୌଣସି ଅନୁମତି କିମ୍ବା ନିର୍ଦେଶନାମା ନଥିବା ବିଭାଗ ତରଫରୁ ଉତ୍ତର ମିଳିଥିଲା ।
ଯାହାକୁ ଆଧାର କରି ଆଜି ସୂଚନା ଅଧିକାର ଅଭିଯାନ ର ଖୋର୍ଦ୍ଧା ଜିଲ୍ଲା ଶାଖାର ସଦସ୍ୟ ପ୍ରଶାନ୍ତ ମହାପାତ୍ର, ରବୀନ୍ଦ୍ର ମହାକୁଡ଼, ହୃଦାନନ୍ଦ କୋଦମାସିଂହ, ସଲିଲ ପଟ୍ଟନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିବା ଲିଖିତ ଅଭିଯୋଗ ଦେଇଛନ୍ତି ।
ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏହି ଘଟଣା ଉପରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଘଟଣା କୁ ନେଇ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related Posts