ବେଆଇନ ଖଣିଜ ସମ୍ପଦ ପରିବହନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବିଳମ୍ବିତ ରାତିରେ ଚଢ଼ାଉ ଜାରି
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୬/୧୨ : ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣିଜ ସମ୍ପଦ ଭରପୁର ରହିଥିବା ବେଳେ ରାଜସ୍ବ ବିଭାଗର ବିନା ଅନୁମତିରେ ଖଣି ମାଫିଆ ମାନେ ଏହାକୁ ହରିଲୁଟ କରିବାରେ ଲାଗିଛନ୍ତି।
ସେହିପରି ଶ୍ରୀମନ୍ଦିର ପ୍ରଶାସନର ୪୬ ରୁ ଉର୍ଦ୍ଧ୍ବ ପଥର ଖଣି ଓ ମୁଣ୍ଡିଆ ପାହାଡ଼ ରହିଛି।
କୌଣସି ପଥର ଖଣିକୁ ବ୍ଲାଷ୍ଟିଂ ଅନୁମତି ମିଳି ନଥିବା ବେଳେ ମାଫିଆ ମାନେ ଦିବାରାତ୍ରୀ ଖଣି ଖନନ ଓ ବ୍ଲାଷ୍ଟିଂ କରି ବଡ଼ ବଡ଼ ହାଇୱାରେ ଚୋରା ଚାଲାଣ କରୁଛନ୍ତି। ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ନିଜିଗଡ଼, ତାପଙ୍ଗ, କାଇପଦର, ମଳିପଡ଼ା, ଡଙ୍ଗରପଡ଼ା ଇତ୍ୟାଦି ମୌଜାରେ ଥିବା ଶ୍ରୀମନ୍ଦିର ପ୍ରଶାସନର ଅନେକ ପାହାଡ଼ରେ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଉଛି।
ପ୍ରଶାସନ ପକ୍ଷରୁ ନିଲାମ ହୋଇଥିବା କେତେକ ମୁଣ୍ଡିଆ ପାହାଡ଼କୁ ନେଇ ଉଚ୍ଚତମ ନ୍ୟାୟାଳୟରେ ସ୍ଥିତବତା ଜାରି ଥିବା ସତ୍ତ୍ୱେ କେତେକ ଖଣି ମାଫିଆ ଆଇନକୁ ଖାତିରି ନକରି ରାତିର ଘନ ଅନ୍ଧାରରେ ମୁଣ୍ଡିଆରେ କଳା ମୁଗୁନି ପଥର ବ୍ଲାଷ୍ଟିଂ କରି ଚୋରା ଚାଲାଣ କରୁଛନ୍ତି।
ଖଣିଜ ସମ୍ପଦ ଏବଂ ଶ୍ରୀମନ୍ଦିର ସମ୍ପତ୍ତି ଅନାଧିକୃତ ଭାବରେ ପରିବହନ କରିବା ଆଇନଗତ ଅପରାଧ ହୋଇଥିବା ବେଳେ ମାଫିଆ ମାନେ ଏହାକୁ ବେଆଇନ ଭାବରେ ଚାଲାଣ କରୁଛନ୍ତି। ଭୁବନେଶ୍ୱର ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ବେଧଡ଼କ ଭାବେ ଶହ ଶହ ଗାଡ଼ିରେ ଚୋରା ଚାଲାଣ ହେଉଛି ଖଣିଜ ସମ୍ପଦ। ଦୁଇଦିନ ଧରି ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଗତକାଲି ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଅତିରିକ୍ତ ତହସିଲଦାର ଡ଼ି.ଗୋପାଳ ରେଡ୍ଡୀ ଗୋଡ଼ିପଡ଼ା ଟୋଲ ଗେଟ ନିକଟରେ ଚଢ଼ାଉ କରି ବିନା \’ୱାଇ\’ ଫର୍ମରେ ଚୋରା ଚାଲାଣ ହେଉଥିବା ସ୍ପଲ ବୋଝେଇ ତିନିଗୋଟି (ଓଡ଼ି ୦୨ ବିଜେ ୨୦୦୯, ଓଡ଼ି ୦୨ ଏଏଚ ୦୫୦୨ ,ଓଡ଼ି ୦୨ ଡ଼ିଇ ୪୪୯୮ ) ହାଇୱାକୁ ଜବତ କରି ଜଙ୍କିଆ ଥାନା ଜିମାରେ ଦେଇଛନ୍ତି। ପୁରା ଆକ୍ସନ ମୁଡ଼ରେ ଅତିରିକ୍ତ ତହସିଲଦାର। ଲଗାତାର ଦୁଇ ଦିନରେ ତହସିଲ କର୍ମଚାରୀଙ୍କୁ ସାଙ୍ଗରେ ନେଇ ୬ଗୋଟି ବେଆଇନ ଖଣିଜ ସମ୍ପଦ ଚୋରା ଗାଡ଼ି ଜବତ କରିବାରେ ସଫଳ ହୋଇଛନ୍ତି।
ପ୍ରକାଶ ଥାଉକି ବେଆଇନ ଭାବେ ଚୋରା ଚାଲାଣ ରୋକିବା ଲାଗି ପ୍ରଶାସନିକ ସ୍ତରରେ ପୁଲିସ ଏବଂ ରାଜସ୍ୱ ଅଧିକାରୀଙ୍କୁ ନେଇ ମିଳିତ ଟାକ୍ସଫୋର୍ସ ଗଠନ କରାଯାଇଛି।
ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜସ୍ବ ଏବଂ ପୋଲିସକୁ ନେଇ ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲ୍ଲାପାଳ ଅଧୀନରେ ଟାକ୍ସ ଫୋର୍ସ ଗଠନ ହୋଇଛି। ବେଆଇନ ଭାବେ ପରିବହନ ହେଉଥିବା ଖଣିଜ ସମ୍ପଦ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଛି।




