“ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ବ୍ଲକ ସ୍ତରୀୟ ଶୁଭାରମ୍ଭ ସମାରୋହ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୬/୨: ରାଜ୍ୟରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ “ବିକଶିତ ଗାଁ’ ବିକଶିତ ଓଡିଶା” ଯୋଜନାର ଶୁଭାରମ୍ଭ କରିଛନ୍ତି।
ଏହି ଯୋଜନାରେ ଗାଁ’ର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ମୋଟ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।
ଗାଁ’ର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡିକୁ ଗ୍ରାମ ସଭାରେ ହିଁ ସ୍ଥିର କରାଯିବ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଳକ୍ ଆଭାସୀ ମାଧ୍ୟମରେ ଯୋଡ଼ି ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣରେ ସାମିଲ୍ ହୋଇଥିଲେ।
ବାଲିଗୁଡାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, କନ୍ଧମାଳ ସାଂସଦଙ୍କ ବାଲିଗୁଡ଼ା ଏନ୍ ଏସି ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ନଗର ସଭାପତି ମନୋଜ କୁମାର ରଥ, ବିଡ଼ିଓ ଦୀପ୍ତି ରଞ୍ଜନ ବେହେରା , ସମସ୍ତ କର୍ମଚାରୀ , ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ।
ଉପସ୍ଥିତ ରହି ଏହି ଯୋଜନା ମାଧ୍ୟମରେ ପ୍ରତି ଗାଁ’ରେ ଭଲ ରାସ୍ତା, ଡ୍ରେନ, ପାଠାଗାର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗ ରୁମ, ମାର୍କେଟ ସେଡ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ଆଦି ନିର୍ମାଣ କରାଯିବା ସହ ଧାର୍ମିକ ପୀଠ, ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀ, ଶିକ୍ଷା ତଥା କ୍ରୀଡା ଭିତ୍ତିଭୂମି ଆଦିର ବିକାଶ ମଧ୍ୟ କରାଯିବ ବୋଲି କହିଥିଲେ।
ଏହି ଅବସରରେ ଜିଲାର ସମସ୍ତ ଅଧିକାରୀ ଏବଂ ଜନସାଧାରଣ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ବିଭିନ୍ନ ସାଂସ୍କୃତିକ ସଂଗଠନ ର କଳାକାର ମାନେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକ ନୃତ୍ୟ ମାଧ୍ୟମରେ ସଚେତନ କରିଥିଲେ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ପ୍ରଶାସନିକ ଅବହେଳା: ବନବାସୀ ଚାଷୀ ଙ୍କୁ ଶୋଷଣ କରୁଛନ୍ତି ବେପାରୀ : ଉପଯୁକ୍ତ ଥଇଥାନ କରିବାକୁ ଦାବି
କନ୍ଧମାଳ, ୬/୨: ପ୍ରଶାସନିକ ଅବହେଳା କାରଣରୁ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଆଦିବାସୀ ଅଧୁଷିତ ବନବାସୀ ମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ଆଦିବାସୀ ଅଧ୍ୟୁଷିତ ବାଲିଗୁଡା ବ୍ଲକର ବଣପାହାଡ଼ ଘେରା ତଥା ଦୁର୍ଗମ ଅଞ୍ଚଳରୁ ଅନେକ ବନବାସୀ ସେମାନଙ୍କ ଉତ୍ପାଦିତ ବା ସଂଗୃହିତ ବନଜାତ ଦ୍ରବ୍ୟ ଯଥା ଦାନ୍ତକାଠି, ପତ୍ର, ଫଳମୂଳ, ପନିପରିବା, ଔଷଧୀୟ ଜଡିବୁଟି ଆଦି ଆଣି ବାଲିଗୁଡା ସହରର ବିଭିନ୍ନ ସ୍ଥାନରେ ବସି ବିକ୍ରି କରିଥାନ୍ତି।
ବିକ୍ରିବଟା କରିବା ପରେ ପଇସା ସହିତ ତେଲ ଲୁଣ, ଲୁଗାପଟା ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ଘରକୁ ଫେରନ୍ତି। କେହି କେହି ସପ୍ତାହରେ ଥରେ ଶନିବାର ସାପ୍ତାହିକ ହାଟ ଦିନରେ ଆସିଥାନ୍ତି ତ କେହି ୨/୩ ଦିନରେ ଥରେ ଆସିଥାନ୍ତି। କେହି ଏକୁଟିଆ ଆସିଥାନ୍ତି ତ କେହି ଦଳ ଦଳ ହୋଇ ଆସିଥାନ୍ତି।
ଏଭଳି ସବୁଦିନିଆ ଘଟଣା ଦେଖିବାକୁ ମିଳିଥାଏ। ଏହି ବନବାସୀ ମାନେ ବିଶେଷ କରି ବସ୍, ଜିପ୍ ତଥା ଅଟୋରେ ଭଡ଼ା ଦେଇ ଆସିଥାନ୍ତି। ପାହାଡ଼ିଆ ସାମଗ୍ରୀ ପ୍ରାକୃତିକ ପରିବେଶରେ ହେଉଥିବାରୁ ଏବଂ ବିନା ସାରରେ ହେଉଥିବାରୁ ଏହାର ଚାହିଦା ଅଧିକ ଥାଏ।
ସକାଳ ହେଲେ ଅନେକ ଲୋକ ଅପେକ୍ଷା କରିଥାନ୍ତି ଏହି ବନଜାତ ଦ୍ରବ୍ୟ କିଣି ଘରକୁ ନେଇଥାନ୍ତି। କିନ୍ତୁ ଅନେକ ସମୟରେ ବନବାସୀମାନେ ବେପାରୀଙ୍କ ଦ୍ୱାରା ଠକାମିର ଶୀକାର ହୋଇଥାନ୍ତି। ଖାଉଟିମାନେ ମଧ୍ୟ ସେହି ସାମଗ୍ରୀକୁ ବେପାରୀ ଙ୍କ ଠାରୁ ଅଧିକ ଦାମ୍ରେ କିଣି କ୍ଷତିଗ୍ରସ୍ତ ହୋଇଥାନ୍ତି।
ଏଣୁ ଅନେକ ସମୟରେ ବନବାସୀ-ବେପାରୀ ଏବଂ ଖାଉଟି-ବେପାରୀଙ୍କ ମଧ୍ୟରେ ବିବାଦ ଉପୁଜିଥାଏ। ଆଦିବାସୀଙ୍କୁ ବେପାରୀଙ୍କ ଶୋଷଣରୁ ମୁକ୍ତ କରିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏହା ବୃଦ୍ଧି ପାଇବାରେ ଲାଗିଛି।
ଏଣୁ ଏହାକୁ ରୋକିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରୁ ପ୍ରଶାସନ ଠାରେ ଦାବି କରିଛନ୍ତି। ବନବାସୀ ମାନେ ସହରରେ ବସି ସାମଗ୍ରୀ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ବିଶ୍ରାମ ଓ ପାନୀୟ ଜଳ ସୁବିଧା କରିବା, ସେମାନେ ସାଙ୍ଗରେ ଧରି ଆସୁଥିବା ଛୋଟ ଛୋଟ ପିଲାଙ୍କ ପାଇଁ କ୍ରେଚ ବ୍ୟବସ୍ଥା କରାଯାଇପାରିଲେ ସେମାନେ ଉପକୃତ ହେବା ସହ ଶୋଷଣରୁ ମୁକ୍ତ ହୋଇ ପାରିବେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।
ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିର ପଟ୍ଟଚିତ୍ର ବଦଳିବ: ଦୁଇ ଜଣିଆ ପ୍ରତିନିଧି ଦଳର ପରିଦର୍ଶନ
ବାଲିଗୁଡା, ୬/୨: ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରର ପଟ୍ଟଚିତ୍ର ବଦଳିଯିବ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଓଡିଶା ପର୍ଯ୍ୟଟନ ଉନ୍ନୟନ ବିଭାଗର ୨ ଜଣିଆ ପ୍ରତିନିଧି ଦଳ ଗତ ଦୁଇ ଦିନ ହେଲା ଦାରିଙ୍ଗବାଡିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲି ପରିଦର୍ଶନ କରୁଛନ୍ତି ।
ପ୍ରକାଶ ଯେ, ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ତହସିଲଦାର ଶରତ ଶବରଙ୍କ ସହ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନାତନ ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ମହାରଣା ପ୍ରମୁଖ ମିଳିତ ଭାବେ ଦାରିଙ୍ଗବାଡିର ହିଲଭିୟୁ, ନେଚର ପାର୍କ ସମେତ ଡୁଲୁରୀ ପାଇନ ବଣ, ରେନବୋ,ପାଟ୍ଟାବାନ୍ଧା ଏବଂ ମିଡିୟୁବାନ୍ଦା ଜଳପ୍ରପାତ, ଯୋଗୀମଠ, ତୀର୍ଥକ୍ଷେତ୍ର ଋଷିମାଳ ପାହାଡ଼, କିରିକୁଟି ଲଭର୍ସ ପଏଣ୍ଟ, କଫି ବଗିଚା,ସମେତ ସମସ୍ତ ନୂଆ ଓ ପୁରୁଣା ପର୍ଯ୍ୟଟନ କ୍ଷେତ୍ରକୁ ମିଳିତ ପରିଦର୍ଶନ କରିଛନ୍ତି।
ଓଡିଶା ପର୍ଯ୍ୟଟନ ବିଭାଗର ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ଭାରତ ପ୍ରଶାସନିକ ଅଧିକାରୀ ସମର୍ଥ ବର୍ମା କନ୍ଧମାଳ ଜିଲାପାଳଙ୍କୁ ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ ପାଇଁ ଆବଶ୍ୟକ କ୍ଷେତ୍ର ପରିଦର୍ଶନ କରି ରାଜ୍ୟକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଦୁଇ ଜଣିଆ ପ୍ରତିନିଧିଙ୍କ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସମସ୍ତ ପର୍ଯ୍ୟଟନ କ୍ଷେତ୍ର ବିଶେଷ କରି ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବା ସହ ସୌନ୍ଦର୍ଯ୍ୟକରଣ କରାଯିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।