Odisha News

ବାଇକ୍‌କୁ ଧକ୍କା ଦେଲା ଘରୋଇ ବସ୍ : ଜଣେ ମୃତ, ଦୁଇ ଗୁରୁତର

ବଲାଙ୍ଗିର,୯/୫ : ଦିଲ୍ଲୀ ଘଟଣାର ପୁନରାବୃତ୍ତି ହୋଇଛି ବାଲଙ୍ଗିର ଜିଲ୍ଲାରେ। ଦିଲ୍ଲୀରେ ଏକ କାର୍ ସ୍କୁଟି ଚଳାଉଥିବା ଯୁବତୀଙ୍କୁ ଧକ୍କା ଦେଇ ୪ କିମି ଯାଏ ଘୋଷାଡ଼ି ନେବା ଘଟଣା ମନରୁ ନ ଲିଭୁଣୁ ଏପରି ସମାନ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ। ଏକ ବସ୍ ବାଇକ୍କୁ ଧକ୍କା ଦେଇ ଜଣେ ନାବାଳିକାଙ୍କୁ ଅଧ କିମି ପର‌୍ୟ୍ୟନ୍ତ ଘୋଷାଡି ନେଇଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୋନପୁର-ବଲାଙ୍ଗିର ରାସ୍ତାର ଗଇଁତଳା ତହସିଲ ନିକଟରେ।
ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ବାପାଝିଅ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ନାବାଳିକା ଜଣଙ୍କ ହେଲେ ରେଖା ପାଣ୍ଡେ(୧୪)ବର୍ଷ। ଆହତ ବାପା ବୀଣାପାଣି ପାଣ୍ଡେ ଓ ତାଙ୍କ ବଡ଼ ଝିଅ ଶିଖା ପାଣ୍ଡେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ବ୍ରାହ୍ମଣୀପାଲିର ବୀଣାପାଣି ପାଣ୍ଡେ ଦୁଇ ଝିଅ ସହିତ ଆଧାରକାର୍ଡ଼ ଅପଡେଟ୍ କରିବା ପାଇଁ ପୁଇଁତଲା ବ୍ଲକକୁ ଆସୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବାଏକ ଘରୋଇ ବସ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ବାପା ଓ ଦୁଇ ଝିଅ ଛିଟିକି ତଳେ ପଡ଼ିଯାଇଥିଲେ। ପରେ ବସ୍ଟି ବୀଣାପାଣିଙ୍କର ସାନ ଝିଅକୁ ଅଧ କିମି ପର‌୍ୟ୍ୟନ୍ତ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକେ ଓ ପୁଲିସ ବେପୁରିଆ ବସ୍ ଡ୍ରାଇଭରକୁ ଅଟକ ରଖିଥିଲେ। ଗୁରୁତର ବାପାଝିଅକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍କୁ ଭଙ୍ଗାରୁଜା କରିବା ସହ ମୃତଦେହକୁ ରାସ୍ତାଉପରେ ରଖି ରାସ୍ତାରୋକ କରିଛନ୍ତି। ଏହାସହ ମୃତ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ପୁଲିସ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ବସ୍ ଓ ଡ୍ରାଇଭରକୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଦୁର୍ଘଟଣାରେ ବସ୍ରେ ଥିବା ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ।

Related Posts

Seo wordpress plugin by www.seowizard.org.