ବଳକା ଛେନାପୋଡ଼ରୁ ବିଶ୍ୱ ଛେନାପୋଡ଼ ଦିବସ : ଛେନାପୋଡ଼କୁ ନେଇ ସଭିଁଏ ଉତ୍ସାହିତ

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୨/୪ : ଜି ବିଶ୍ୱ ଛେନା ପୋଡ଼ ଦିବସ । ସମସ୍ତ ଓଡ଼ିଆଙ୍କ ମନରେ ନାହିଁନଥିବା ଖୁସି । ସବୁଠି ପାଳନ ହେଉଛି ଏହି ଦିବସ । ଆଵାଳବୃଦ୍ଧବନିତା , ମେହନତି ମଣିଷଠୁ ଆରମ୍ଭ କରି ସେଲିବ୍ରିଟି,ସଭିଁଙ୍କ ଖାସ ମିଠା ଇଏ ।
ତାକୁ କିଏ କୁହେ ମିଠା ତ ପୁଣି କିଏ କୁହେ ପିଠା । ଏହି ସୁସ୍ୱାଦୁ ବ୍ୟଞ୍ଜନ ଯୁକ୍ତ ଛେନାପୋଡ଼କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ନୟାଗଡ଼ରୁ ସୃଷ୍ଟ ଏହି ଛେନାପୋଡ଼କୁ ଏବେ ବିଶ୍ୱ ସ୍ତରୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସମସ୍ତେ । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରୁଛନ୍ତି ସମସ୍ତେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ helping Hand ପକ୍ଷରୁ ଏପ୍ରିଲ ୧୧ କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ ୨୦୨୨ ମସିହାରୁ ଆରମ୍ଭ ହୋଇଛି ଉଦ୍ୟମ । ଆଉ ଏହା ପରେ ଏବେ ଚାରିଆଡେ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହୋଇଆସୁଛି ।
ସୁମନ ସାହୁ -ସୁଦର୍ଶନ ସାହୁଙ୍କ ( ସ୍ରଷ୍ଟା ) ପୁଅ
କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ । ଭାଗମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳି ଯାଏ । ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ ।
ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି । ନୟାଗଡ଼ ସହର ସମେତ ମାଛିପଡ଼ା ଆଦି ସ୍ଥାନରେ ପ୍ରତ୍ୟେକ ଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ଉତ୍ପାଦନ କରାଯାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତାଙ୍କ ଆଦି ସଭିଁଙ୍କ ପସନ୍ଦ ଛେନାପୋଡ଼ । ଦଶପଲ୍ଲାର ମୂଳ ବାସିନ୍ଦା ତଥା ନୟାଗଡ଼ ସହରର ସ୍ୱର୍ଗତ ସୁଦର୍ଶନ ସାହୁ ଏହି ସୁଆଦିଆ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଏ ।
ନୟାଗଡ଼ କଚେରି ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଂଚାଇବାକୁ ଉଦ୍ୟମ କରିଥିଲେ । ବଳକା ଥିବା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡ଼ପିଠା ପ୍ରସ୍ତୁତ କରିଥିଲେ । ବଳକା ଛେନାରୁ ଆଜି ବିଶ୍ୱ ଛେନାପୋଡ଼ ଦିବସ । ସେଥିପାଇଁ ସୁଦର୍ଶନଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଉଛି ।
.-ଦିନକୁ ଦିନ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି । ନୟାଗଡ଼ ଏବଂ ସର୍ବୋପରି ଓଡିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ପାଇଁ ପୂର୍ବତନ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଉଦ୍ୟମରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି କ୍ଷ ପ୍ରଶାସନ ପକ୍ଷରୁ GI ମାନ୍ୟତା ପାଇଁ ଉଦ୍ୟମ ଜାରୀ ରହିଛି ।