Odisha News

ପ୍ରହସନ ପାଲଟିଛି “ମୋ ଜଙ୍ଗଲ ଜମି ଯୋଜନା”

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୨/୧୧: ପ୍ରଶାସନିକ ଆନ୍ତରିକତା ଅଭାବରୁ ବଲାଙ୍ଗୀର ଜିଲ୍ଲାରେ ପ୍ରହସନ ପାଲଟିଛି ମୋ ଜଙ୍ଗଲ ଜମି ଯୋଜନା।ବିଭାଗୀୟ ଅଧିକାରୀ ଙ୍କ ଅବହେଳା ତଥା ଅସହଯୋଗ ମନୋଭାବ ଯୋଗୁଁ ଏହି ଯୋଜନାର ସୁଫଳ ପାଇବାରୁ ସାଧାରଣ ଲୋକେ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି।
ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ( ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ -୨୦୦୬) ଅଧିକାର କୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି “ମୋ ଜଙ୍ଗଲ ଜମି ଯୋଜନା”।
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ,ସଂଖ୍ୟାଲଘୁ ସମ୍ପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାର ୧୪୨୫ ଟି ଗ୍ରାମରେ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବା ସକାଶେ ପ୍ରାବଧାନ ରହିଛି।ସରକାରୀ ତଥା ବେସରକାରୀ ସ୍ତରରେ ଏଥିପାଇଁ କୋଟି କୋଟି ଟଙ୍କା ସରକାର ବ୍ୟୟ କରୁଛନ୍ତି।
ଏଥିପାଇଁ ଗତବର୍ଷ ନଭେମ୍ବର ୧୦ ଓ ୧୬ ତାରିଖରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି।
ତେବେ ଅସଲରେ ଯୋଜନା ପ୍ରଣୟନର ବର୍ଷକ ପରେ ମଧ୍ୟ ଅନେକ ଗ୍ରାମରେ ଜଙ୍ଗଲ ଅଧିକାର କମିଟି ଗଠନ ମଧ୍ୟ ହୋଇପାରି ନାହିଁ।
ଜିଲ୍ଲା ରେ ବସବାସ କରୁଥିବା ହଜାର ହଜାର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ବ୍ୟକ୍ତିଗତ,ଗୋଷ୍ଠିଗତ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ସମ୍ବନ୍ଧୀୟ ଦାବିଗୁଡ଼ିକୁ ଅଣଦେଖା କରାଯାଉଥିବା ନେଇ ଜଙ୍ଗଲ ଅଧିକାର କମିଟି ଗୁଡ଼ିକ ପକ୍ଷରୁ ଅଭିଯୋଗ ହେଉଛି।
ଜିଲ୍ଲାର ୧୪୨୫ ଟି ଗ୍ରାମ ମଧ୍ୟରୁ ପ୍ରାୟ ୪ ଶହଟି ଜଙ୍ଗଲ ଅଧିକାର କମିଟି ପକ୍ଷରୁ ସେମାନଙ୍କ ଦାବି ଗୁଡ଼ିକର ସତ୍ୟା ସତ୍ୟ ନିରୂପଣ ସକାଶେ ଉଭୟ ରାଜସ୍ବ ଓ ଜଙ୍ଗଲ ବିଭାଗକୁ ସୂଚିତ କରାଯାଇଥିଲେ ମଧ୍ୟ କାମ ବିଶେଷ ଅଗ୍ରଗତି ହୋଇପାରି ନଥିବା ଜଣାଯାଇଛି।ରାଜସ୍ବ ବିଭାଗ ତଥା ଜଙ୍ଗଲ ବିଭାଗ ମଧ୍ୟରେ ଆବଶ୍ୟକ ସମନ୍ଵୟ ଅଭାବରୁ ଅନେକ ସ୍ଥାନରେ କାମ ଅଟକି ରହିଛି ।
ସତ୍ୟାସତ୍ୟ ନିରୂପଣ ତଥା ଯୁଗ୍ମ ତଦନ୍ତ ପାଇଁ ତାରିଖ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ଠିକ୍ ସମୟରେ ଉପସ୍ଥିତ ରହୁ ନାହାନ୍ତି।ଯେଉଁଠି ବି ଯୁଗ୍ମ ତଦନ୍ତ କରାଯାଉଛି,ରିପୋର୍ଟ ଦିଆଯାଉ ନାହିଁ ଅଥବା ରିପୋର୍ଟ ଦେବାରେ ଅହେତୁକ ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି।
ଏପରିକି ଗ୍ରାମ ସୀମାରେ ଥିବା ଜଙ୍ଗଲ ଜମିର ଜିପିଏସ ସର୍ଭେ ପାଇଁ ବଲାଙ୍ଗୀର ଉପ ଜିଲ୍ଲାପାଳ ( ପତ୍ରାଙ୍କ ସଂଖ୍ୟା -୪୪୩୭, ତା:୧୨/୦୮/୨୪ ) ନିର୍ଦ୍ଦେଶ ଦେବାର ତିନିମାସ ପରେ ମଧ୍ୟ କୌଣସି ସ୍ଥାନରେ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ।ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବିଭାଗୀୟ ଅଧିକାରୀ ଖାତିର କରୁନଥିବା ପରିଲକ୍ଷିତ ହୋଇଛି।
ଏଭଳି ସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ତଥା ଦାୟିତ୍ୱରେ ଅବହେଳା ଯୋଗୁଁ ଏହି ଯୋଜନାର ସଫଳ ରୂପାୟନ ହୋଇପାରିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ସେମାନଙ୍କ ନ୍ୟାଯ୍ୟ ଦାବି ପ୍ରଦାନ କରାଯିବା ନେଇ ଆରମ୍ଭ ହୋଇଥିବା ଏହି ଯୋଜନା ସୁଦୂର ପରାହତ ହୋଇଛି ।
ସରକାରୀ ସ୍ତରରେ ଅବହେଳା ନେଇ ବିଭିନ୍ନ ଜଙ୍ଗଲ ଅଧିକାର କମିଟି ଗୁଡ଼ିକ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଆଗାମୀ ଦିନରେ ଆଇନକୁ ହାତକୁ ନେଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବା ସକାଶେ ବିଭିନ୍ନ ଜଙ୍ଗଲ ଅଧିକାର କମିଟି ଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି।

Related Posts

Seo wordpress plugin by www.seowizard.org.