ପଲ୍ଲୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣୀ ଶିବିର ଅନୁଷ୍ଠିତ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୧/୫ : ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଲ୍ଲୀରେ ଜିଲ୍ଲା ପ୍ରଶାସନର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ୍ୟୋତି ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣି ଶିବିରରେ ବେଗୁନିଆ, ବିଧାୟକ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ, ସଂକଳ୍ପ ସ୍ଵସ୍ତିକ ସାହୁ, ଉପ-ଆରକ୍ଷୀ ଅଧିକ୍ଷକ, ସହକାରୀ ଜିଲାପାଳ, ଅଭିଯୋଗ, ଭୁବନେଶ୍ଵରୀ କଅଁର ,ବି.ଡି.ଓ, ଏବଂ ତହସିଲଦାର, ବେଗୁନିଆ , ହଜ ଗ୍ରାମ ପଞ୍ଚାୟତ ସରପଞ୍ଚ ଦମୟନ୍ତୀ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିଲେ ।
ଏହି ଜନଶୁଣାଣି ଶିବିରରେ ମୋଟ ୧୧୮ ଗୋଟି ଅଭିଯୋଗ ହୋଇଥିବାବେଳେ ସେଥିମଧ୍ୟରୁ ୧୦୬ ଗୋଟି ଅଭିଯୋଗ ବ୍ୟକ୍ତିଗତ ଏବଂ ୧୨ ଗୋଟି ଅଭିଯୋଗ ସମୂହ ସମସ୍ୟା ଜନିତ ଥିଲା ।
ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ୍ୟୋତି ଶଙ୍କର ସାହୁ ୮୧ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିବାବେଳେ ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ, ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ଅଧିକାରୀ ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଅଗ୍ରଣୀ ଯୋଜନାର ସଫଳ ରୂପାୟନ ଦିଗରେ ଖୋଲା ଯାଇଥିବା ଶିକ୍ଷା ଓ ସୂଚନା ଷ୍ଟଲ ଗୁଡ଼ିକୁ ବୁଲି ଦେଖିଥିଲେ । ଏହି ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।




