Top Stories

ନିଖୋଜ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ଲମତାପୁଟରେ ଠାବ

ଲମତାପୁଟ,୧୪/୧: ଅପହରଣ ୭ ଦିନ ପରେ ମୁକୁଳିଲେ ରାୟଗଡା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗଙ୍କ ପୁଅ ଆଶୁତୋଷ। ଅପହରଣକାରୀଙ୍କ କବଳରୁ ସେ ନିଜେ ମୁକୁଳି ଆସିଛନ୍ତି। ମୁକୁଳିବା ପରେ ସେ କହିଛନ୍ତି, ରାଜନୈତିକ ଶତ୍ରୁତାରୁ ଅପହରଣ କରାଯାଇଥିଲା। ତେବେ କିଏ ଅପହରଣ କରିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି।
ଆଶୁତୋଷ ଗମାଙ୍ଗ ଭବାନୀପାଟଣା ଯୋଗାଣ ବିଭାଗରେ କାର‌୍ୟ୍ୟ କରନ୍ତି। ତେବେ ଗତ ୮ ତାରିଖରେ ସେ ରାୟଗଡ଼ା ସ୍ଥିତ ନିଜ ଘରୁ କାଳୀ ମନ୍ଦିରକୁ ପୂଜା କରିବା ପାଇଁ ଯାଇଥିଲେ। ମନ୍ଦିରରୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ବାଇକ୍ରେ ଆସି ତାଙ୍କୁ ଛୁରୀ ଦେଖାଇ ଅପହରଣ କରିନେଇଥିଲେ। ପ୍ରଥମେ ତାଙ୍କ ଆଖିରେ ପଟି ବାନ୍ଧି ଦେଇଥିଲେ। ତା’ପରେ ତାଙ୍କୁ ନିଶା ଇଞ୍ଜେକ୍ସନ୍ ଦେଇ ବାଇକ୍ରେ ନେଇଥିଲେ। ଯାହାଫଳରେ ସେ ସଜ୍ଞା ହରାଇଥିଲେ।
ଅନ୍ୟପକ୍ଷରେ ଆଶୁତୋଷ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ମାତ୍ର ତାଙ୍କର ପତ୍ତା ପାଇନଥିଲା। ପରେ ଏନେଇ ତାଙ୍କ ପତ୍ନୀ ଭବାନୀ ଶବର ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା।
ଆଶୁତୋଷଙ୍କ କହିବା ଅନୁସାରେ ଅପହରଣ ପରେ ତାଙ୍କର ଯେତେବେଳେ ସଜ୍ଞା ଫେରୁଥିଲା, ସେତେବେଳେ ତୁରାଣୀ ଓ ମାଣ୍ଡିଆ ଜାଉ ଖାଇବାକୁ ଦେଉଥିଲେ। ଚିତ୍କାର କଲା ବେଳେ ଅପହରଣକାରୀମାନେ ନିଶା ଇଞ୍ଜେକ୍ସନ୍ ଦେଇଦେଉଥିଲେ। ଅପହରଣକାରୀମାନେ ହିନ୍ଦୀ ଓ ତେଲୁଗୁ ଭାଷାରେ କଥା ହେଉଥିଲେ। କୌଣସି ଗୋଟିଏ ସ୍ଥାନରେ ରଖୁନଥିଲେ। ପ୍ରତିଦିନ ସ୍ଥାନ ବଦଳାଉଥିଲେ ବୋଲି ଆଶୁତୋଷ କହିଥିଲେ।
ଦୀର୍ଘ ୭ ଦିନ ପରେ ଆଜି ସକାଳେ ଆଶୁତୋଷ ନିଜକୁ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଞ୍ଚଳରେ ପାଇଥିଲେ। ପାଖରେ କିଛି ନଥିଲା। ଦୁର୍ବଳ ଶରୀରରେ ୧୦ରୁ ୧୨ କିମି ଚାଲିବା ପରେ ଗୁନେଇପଡ଼ା ହାଟ ପାଖରେ ପହଞ୍ଚିଥିଲେ। ସେଠାରେ ସେ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ିଥିଲେ। ପ୍ରଥମେ ଘରକୁ ଫୋନ୍ କରି ଘଟଣା ସମ୍ପର୍କରେ କହିଥିଲେ। ଏହା ପରେ ଲମତାପୁଟ ଅଞ୍ଚଳରେ ବନ ବିଭାଗରେ ଚାକିରି କରୁଥିବା ମାମୁଙ୍କୁ ଖବର ଦେଇଥିଲେ। ସେ ଆସି ତାଙ୍କୁ ଉଦ୍ଧାର କରି ନିଜ ଘରକୁ ନେଇଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି।
ଆଶୁତୋଷ କହିଛନ୍ତି, ମୋ ବାପା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲେ। ତାଙ୍କର ବହୁ ଲୋକଙ୍କ ସହିତ ରାଜନୈତିକ ଶତ୍ରୁତା ରହିଛି। ସେଥିପାଇଁ ମୋତେ ଅପହରଣ କରାଯାଇଥିବା ଆଶୁତୋଷ କହିଛନ୍ତି।
ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ଆଶୁତୋଷଙ୍କୁ ଅପହରଣ କରିଥିଲେ? ଅପହରଣ ପଛରେ କ’ଣ ରହିଥିଲା ଉଦ୍ଦେଶ୍ୟ? ଯଦି ଅପହରଣ କରାଯାଇଥିଲା, ତାହାହେଲେ ୭ ଦିନ ଚାରିଆଡେ ବୁଲାଇବା ପରେ କାହିଁକି ଛାଡ଼ି ପଳାଇଗଲେ ଦୁର୍ବୃତ୍ତ? ବର୍ତ୍ତମାନ ସୁଦ୍ଧାର ଏହାର କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଏନେଇ ଲମତାପୁଟ୍ ବା ରାୟଗଡ଼ା ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।

Related Posts

Seo wordpress plugin by www.seowizard.org.