ଧର୍ମଶାଳା ଏବିଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ: ୭ଟି ସ୍ଥାନରେ ତଲାସୀ ଆରମ୍ଭ

ଯାଜପୁର,୧୫/୫ : ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଉକ୍ତ ଅଧିକାରୀ ଜଣକ ଅସିତ କୁମାର ପାତ୍ର ।
ଏକକାଳୀନ ଯାଜପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି କରିଛନ୍ତି । ଆୟଠାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାନ୍ୟବର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଛି । କଟକ ଭିଜିଲାନ୍ସର ନେତୃତ୍ୱରେ ଚଢ଼ାଉରେ ଆଠ ଜଣ DSP, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି ।
ଉକ୍ତ ସରକାରୀ ବାବୁଙ୍କର ଯାଜପୁର ରୋଡ୍ କହ୍ନେଇପୁର ସ୍ଥିତ ୪ ମହଲା ଘର, କଟକ ଚାଉଳିଆଗଞ୍ଜର ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟ, ଯାଜପୁର ଗରଡେଶ୍ୱର ସ୍ଥିତ ତାଙ୍କ ପୈତୃକ ଘର, ଭଦ୍ରକର ସନାବନସ୍ତ ତାଙ୍କ ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳାରେ ସରକାରୀ ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଘରେ ତନାଘନା ଯାଞ୍ଚ କରାଯାଉଛି । ଖବର ଲେଖା ହେଲାବେଳକୁ କେତେ ସମ୍ପତ୍ତି ଜବତ ହୋଇଛି ତାହାର କୌଣସି ସୂଚନା ମିଳିନାହିଁ ।