ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ : ବିଦ୍ୟୁତ କାଟ ନିରାଶ କରିଲା
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୨/୧୨: ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା।
ଡ଼ୁଲୁରୀ ପାଇନ ବଣ ସମେତ ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, କିସୁବାଡ଼ି ଜଳପ୍ରପାତରେ ପର୍ଯ୍ୟଟକ ମାନେ ବଣଭୋଜି କରି ମଜା ନେଇଥିଲେ। ସାଙ୍ଗସାଥୀ ପରିବାର ବନ୍ଧୁ ବର୍ଗଙ୍କ ସହ ଦାରିଙ୍ଗବାଡ଼ି ଆସି ଏହି ବଣ ଭୋଜି କରିଥିବା ଜଣାପଡ଼ିଛି। ତେବେ ବିଦ୍ୟୁତ ବିଭାଗ ପକ୍ଷରୁ ରବିବାର ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟି ଦିଆଯାଇଥିଲା।
ବିଦ୍ୟୁତ ରକ୍ଷଣାବେକ୍ଷଣ ପାଇଁ ଏଭକି ବିଦ୍ୟୁତ୍ କାଟ କରାଯିବାକୁ ପୂର୍ବ ସୂଚନା ମୁତାବକ କରାଯାଇଥିଲା, କିନ୍ତୁ ସକାଳ ୮ଟାରୁ କଟାଯାଇଥିବା ବିଦ୍ୟୁତ୍ ସନ୍ଧ୍ୟା ୫ଟା ପରେ ମଧ୍ୟ ଆସି ନ ଥିବାରୁ ହିଲଭିୟୁ ପାର୍କରେ ଶତାଧିକ ପର୍ଯ୍ୟଟକ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା।
ସେମାନଙ୍କ ଉଦ୍ଦେଶ୍ୟ ରହିଥିଲା ଶିଶୁ ପର୍ୟ୍ୟଟକଙ୍କୁ ଟୟ ଟ୍ରେନରେ ବୁଲାଇବା ଓ ନୂତନ ଭାବେ ସ୍ଥାପନ ହୋଇଥିବା ମ୍ୟୁଜିକାଲ ଫାଉଣ୍ଟେନ ତଥା ରଙ୍ଗବେରଙ୍ଗ ଆଲୁଅରେ ମ୍ୟୁଜିକ୍ ଫାଉଣ୍ଟେନକୁ ଦର୍ଶକ ତଥା ପର୍ଯ୍ୟଟକ ମଜା ନେବେ।
କିନ୍ତୁ ଏଥିରେ ମଜା ନେବାରୁ ବଞ୍ଚିତ ହେଲେ ପର୍ଯ୍ୟଟକ ଓ ନିରାଶରେ ଫେରୁଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ହିଲଭିୟୁ ପାର୍କକୁ ଆସିଥିବା ଶହ ଶହ ପର୍ଯ୍ୟଟକ ନିରାଶ ହୋଇଛନ୍ତି।
ବିଡିଓ ଏନେଇ ବିଦ୍ୟୁତ ବିଭାଗକୁ ଶୀଘ୍ର ବିଦ୍ୟୁତ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଦ୍ୟୁତ ବହୁ ବିଳମ୍ବରେ ଆସିଥିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି ଓ ହିଲଭିୟୁ ପାର୍କରେ ଟିକେଟ ବାବଦକୁ ରାଜସ୍ବ ହାନି ହୋଇଥିବା ଜଣାପଡ଼ିଛି।
ଏନେଇ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ପଚାରି ବୁଝିବାରୁ ରକ୍ଷଣାବେକ୍ଷଣ କାର୍ୟ୍ୟ ସରିବାରେ ବିଳମ୍ବ ଘଟିବାରୁ ବିଦ୍ୟୁତ ବିଳମ୍ବରେ ଦିଆଗଲା ବୋଲି କହିଥିଲେ ।
ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ : କନ୍ଧମାଳ ପୁଲିସ ଜାରି କଲା ପୋଷ୍ଟର
ବାଲିଗୁଡା, ୨୨/୧୨ : କେନ୍ଦ୍ର ସରକାରଙ୍କ ଆହ୍ବାନକ୍ରମେ ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ ଅଭିଯାନକୁ ଜୋରଦାର କରାଯାଇଛି। ଏ ଦିଗରେ ତତ୍ପର ହୋଇଛି କନ୍ଧମାଳ ପୁଲିସ।
କିଛି ଦିନ ତଳେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆହ୍ଵାନ ଦିଆଯାଇଥିବା ବେଳେ ଏବେ ଆରମ୍ଭ ହୋଇଛି ଆଉ ଏକ ନୂଆ ଅଭିଯାନ। ମାଓବାଦୀଙ୍କୁ ଧରାଇ ଦେଇ ଆକର୍ଷଣୀୟ ଅର୍ଥ ପୁରସ୍କାର ପାଇବା ପାଇଁ ଡାକରା ଦିଆଯାଇଛି।
ବାଲିଗୁଡା , ତୁମୁଡିବନ୍ଧ ଓ କୋଟଗଡ ଥାନା ଅଞ୍ଚଳ ର ମାଓପ୍ରବଣ ବାରଖମା, ସୁଦ୍ରା, ଗଟାଙ୍ଗୀ, କାମେରିକିଆ, ମେଲସିକିଆ, ଡାକା, ପୋଖରୀବନ୍ଧ, ତୁମୁଡିବନ୍ଧ, କୋଟଗଡ, ସୁବର୍ଣ୍ଣଗିରି, ଶ୍ରୀରାମପୁର, ସିର୍ଲା, ବଣ୍ଡାପିପିଲି, ଦୂର୍ଗାପଙ୍ଗା ସମେତ ବିଭିନ୍ନ ଅଞ୍ଚଳରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି।
ପୋଷ୍ଟରରେ ରହିଛି ୧୩ ଜଣ କ୍ୟାଡର ମାଓବାଦୀଙ୍କ ତାଲିକା ଏବଂ ସେମାନଙ୍କୁ ଧରିବା ପାଇଁ ରହିଥିବା ପୁରସ୍କାର ମୂଲ୍ୟ। ତାଲିକା ଅନୁସାରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ମୁଣ୍ଡ ଉପରେ ସର୍ବାଧିକ ୧ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ବେଳେ ତା ପଛକୁ ରହିଛି ସ୍ବତନ୍ତ୍ର ଜୋନାଲ କମିଟି ସଦସ୍ୟ ସୁଦର୍ଶନ, ନିହ୍ଲ, ଅଙ୍କିତା, ଶୁକ୍ରୁ ଓ ନୀତାଙ୍କ ନାମ।
ଏମାନଙ୍କ ପାଇଁ ରହିଛି ୬୫ ଲକ୍ଷ ଟଙ୍କାର ପୁରସ୍କାର। ପ୍ଲାଟୁନ କମାଣ୍ଡର ଶୀଲା ଏବଂ ରେଣୁଙ୍କ ପାଇଁ ୩୨.୫୦ ବେଳେ ଡିଭିଜନାଲ କମିଟି ମେମ୍ବରଙ୍କ ପାଇଁ ରହିଛି ୩୨ ଲକ୍ଷ ଟଙ୍କା ପୁରସ୍କାର। ଯେ କୌଣସି ବ୍ୟକ୍ତି ଏମାନଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ପାଇପାରିବେ ବୋଲି କହିଛନ୍ତି କନ୍ଧମାଳ ଏସ୍ ପି ହରିଶ ବିସି। ବିଭିନ୍ନ କ୍ୟାଡରଙ୍କ ପାଇଁ ରହିଥିବା ଅର୍ଥ ପୁରସ୍କାରର ସୂଚନା ଏଥିରେ ଦିଆଯାଇଛି। ଏଥିସହିତ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଫଟୋ ସହିତ ସରକାରଙ୍କ ପକ୍ଷରୁ ରହିଥିବା ଥଇଥାନ ପ୍ୟାକେଜ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି ।
ଏ ଦିଗରେ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା କହିଛନ୍ତି ଏସପି । ଲୋକ ନିର୍ଭୟରେ ଏହି ଅଭିଯାନରେ ପୁଲିସକୁ ସହଯୋଗ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି ।
ମୋଟାମୋଟି ଭାବେ ମାଓ ବିରୋଧୀ ଅଭିଯାନ ଏବେ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଥିବା ପୁଲିସର ଏହି କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି।
ବାଲିଗୁଡା ରେ କଟକ ର ବୁଲା ବ୍ୟବସାୟୀଙ୍କ ମୃତ୍ୟୁ
ବାଲିଗୁଡା, ୨୨/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ରେ ବୁଲା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି କ୍ଷ ପ୍ରକାଶ ଯେ, ରାତ୍ରି ଭୋଜନ ସାରି ଲର୍ଜରେ ଶୋଇଥିବା ବେଳେ ଭୋର୍ ସକାଳୁ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବ୍ୟବସାୟୀ ।
ଲର୍ଜ କର୍ମଚାରୀଙ୍କ ସହାୟତାରେ ଡ଼ାକ୍ତରଖାନା ନେଲେ ସହଯୋଗୀ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କିନ୍ତୁ ଏଯାବତ୍ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ପ୍ରକାରେ କଟକ ଦିଓ୍ବାନ୍ ବଜାର ଅଞ୍ଚଳର ଦୁଇଜଣ ସାଙ୍ଗ ସେଖ୍ ଜାଭିୟର ଓ ମହମ୍ମଦ ହକିମ୍ ବୈଦ୍ଧ, ଫୁଲବାଣୀ ଅଞ୍ଚଳରେ ବ୍ୟବସାୟ କରିବା ପରେ ଗତ ସୋମବାର ଦିନ ବାଲିଗୁଡ଼ା ଆସି ସନ୍ତୋଷ ଲର୍ଜରେ ରହିଥିଲେ ।
ଅଞ୍ଚଳର ବିଭିନ୍ନ ଗାଁ ବୁଲି ବିଭିନ୍ନ ଚକଲେଟ୍ ଓ ବିସ୍କୁଟ୍ ହୋଲ୍ ସେଲ୍ ଦରରେ ବିକ୍ରୀ କରୁଥିବା ବେଳେ ଶନିବାର ଦିନ ବ୍ୟବସାୟ ସାରି ଲର୍ଜକୁ ଫେରିବା ପରେ ରାତ୍ରି ଭୋଜନ ପରେ ଉଭୟ ଶୋଇଥିଲେ ।
ରବିବାର ଭୋର୍ ସକାଳୁ ହଠାତ୍ ସେଖ୍ ଜାଭିୟରଙ୍କ ଦେହ ହୋଇଥିଲା ହୋଇଥିଲା ।
ଫଳରେ ଲର୍ଜ କର୍ମଚାରୀଙ୍କ ସହାୟତାରେ ସେଖ୍ ଜାଭିୟରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ସହଯୋଗୀ ମହମ୍ମଦ ହକିମ୍ ।
ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ସେଖ୍ ଜାଭିୟରଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ମୃତ ସେଖ୍ ଜାଭିୟର ପୂର୍ବରୁ ହାର୍ଟ, ଡାଇବେଟିସ୍ ଓ ରକ୍ତଚାପ ଭଳି ରୋଗରେ ପିଡ଼ିତ ଥିବା ସହ ଔଷଧ ମଧ୍ୟ ଖାଉଥିଲେ ବୋଲି କହିଛନ୍ତି ସହଯୋଗୀ ମହମ୍ମଦ ହକିମ୍ ।
ସେପଟେ ଖବରପାଇ ଉପଖଣ୍ଡ ଚିକିତ୍ସାଳୟରେ ବାଲିଗୁଡ଼ା ପୋଲିସ୍ ପହଁଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଥିଲେ ।
ଚାକିରୀ କରାଇ ଦେବି କହି ଠକେଇ, ଢ଼ାବା ମାଲିକ ଗିରଫ
ବାଲିଗୁଡା, ୨୨/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧିନସ୍ଥ ଦାରିଙ୍ଗିବାଡ଼ି ଛକରେ ଥିବା ଢ଼ାବା ମାଲିକ ପିଣ୍ଟୁ ଓରଫ ପ୍ରିୟ ରଞ୍ଜନ ନାୟକ (୨୯) ବିଭିନ୍ନ ଉପାୟରେ ଜନସାଧାରଣଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୋଲିସ ସୂଚନା ଅନୁସାରେ ଗତ ନଭେମ୍ବର ୧୭ ତାରିଖରେ କଳାହାଣ୍ଡି ଜିଲ୍ଲା ଜୟ ପାଟଣା ଥାନା ଅଞ୍ଚଳର ପଦ୍ମନାଭ ଛତ୍ରିଆ ଦେଇଥିବା ଲିଖୁତ ଅଭିଯୋଗ ପ୍ରକାରେ ତଦନ୍ତ କରି ଅଭିଯୁକ୍ତ ଦାରିଙ୍ଗିବାଡ଼ି ଥାନା କୁମ୍ଭାରବାଡିର ମୃତ ଗୁଞ୍ଜୁଲୁ ନାୟକର ପୁଅ ପିଣ୍ଟୁ ଓରଫ ପ୍ରିୟ ରଞ୍ଜନ ନାୟକକୁ ତୁମୁଡିବନ୍ଧରେ ପ୍ରଥମେ ଦେଖା ହୋଇଥିଲା। ସେଠାରେ ସମ୍ପର୍କ ସୃଷ୍ଟି କରି ଝିଅକୁ ବାଲିଗୁଡ଼ା ପିଡବ୍ଲଡିରେ ଡାଟା ଏଣ୍ଟ୍ରି ଅପରେଟର ଚାକିରି କରାଇ ଦେବାକୁ କହି ଟଙ୍କା ମାଗିଥିଲା। ବିଶ୍ଵାସରେ ଗତ ଫେବୃଆରୀ ୧୭ ତାରିଖରେ ଝିଅର ବିଭିନ୍ନ ଡକ୍ୟୁମେଣ୍ଟ ସହ ପ୍ରଥମେ ଫୋନ୍ ପେ ମାଧ୍ୟମରେ କୋଡ଼ିଏ ହଜାର ଟଙ୍କା ଅଭିଯୁକ୍ତ ଏକାଉଣ୍ଟକୁ ପଠାଇଥିଲା ଓ ପରେ ପରେ ଏହିପରି ମୋଟ ଦୁଇ ଲକ୍ଷ ଛପନ ହଜାର ପାଞ୍ଚ ଶହ ଟଙ୍କା ପଠାଇଥିଲା। ହେଲେ ଚାକିରି ନହେବାରୁ ବାରମ୍ବାର ଫୋନ୍ ଓ ଦେଖା କରି ଠକୁଥିବା ବିଷୟ ଜାଣି ପାରିଥିଲା। ପରେ ହତାଶ ହେବା ଜାଣି ଛତ୍ରିଆ କ.ନୂଆଗାଁ ଥାନାର ଦ୍ଵାରସ୍ଥ ହୋଇଥିଲେ ।
ଏହା ପରେ ଥାନା ଅଧିକାରୀ ତଦନ୍ତ ଜାରି ରଖି କେସ ନଂ ୧୭୭/୨୫ ଋଜୁ କରି ଅଭିଯୁକ୍ତ କୁ ୩୧୮(୪) ଧାରାରେ ଗିରଫ କରି କୋର୍ଟକୁ ଚାଲାଣ କରାଯାଇ ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।




