Odisha News

ଡବେରୀ ସେବାଶ୍ରମ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ୩ ଜଣ ଆହତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୭/୧୨ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ବାଇକ୍ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ୨ ଜଣ ହେଲେ ଉକ୍ତ ଥାନା ଅଞ୍ଚଳର ଏନ୍‌ସ ପ୍ରଧାନ ଏବଂ ନରେନ୍ଦ୍ର ଦିଗାଲ। ସେମାନଙ୍କୁ ଅଗ୍ନିଶମ ବିଭାଗ କର୍ମଚାରି ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନ୍ୟତ୍ର ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦେଇଥିଲେ।
ଗୁରୁତରଙ୍କ ମଧ୍ୟରେ ଏନ୍‌ସଙ୍କ ମୁଣ୍ଡରେ ଅଧିକ କ୍ଷତ ହୋଇଥିବା ବେଳେ ନରେନ୍ଦ୍ରଙ୍କ ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗିଛି। ଏଥିରେ ସୋମ୍ୟରଞ୍ଜନ ପାଇକରାୟ ଓରଫ ଚିକୁ ସାମାନ୍ୟ ଖଣ୍ଡିଆ ଖାବରା ହୋଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି।
ପ୍ରକାଶ ଯେ, ୩ ଜଣ ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପଲି ଅଞ୍ଚଳରୁ କୌଣସି କାର୍ଯ୍ୟ ସାରି ରାତିରେ ଗୋଟିଏ ବାଇକ୍‌ରେ ଦାରିଙ୍ଗବାଡ଼ି ଅଭିମୁଖେ ଫେରୁଥିଲେ। ଡବେରୀ ସେବାଶ୍ରମ ନିକଟରେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କିଭଳି ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଘଟଣାର ତଦନ୍ତ ପରେ ଜଣାପଡ଼ିବ ବୋଲି ଦାରିଙ୍ଗବାଡ଼ି ଥାନା ଅଧିକାରୀ ତଥା ଡିଏସପି କନକ ମାଝୀ କହିଛନ୍ତି।
ତୁମୁଡିବନ୍ଧ ବ୍ଲକ ପରିସରରେ ” ମିଶନ ଶକ୍ତି କାଫେ ” ସାଂସଦ ଙ୍କ ଦ୍ୱାରା ଉଦଘାଟିତ
ବାଲିଗୁଡା, ୨୭/୧୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।
ପ୍ରଥମେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର, ସିଆରପିସିଏମ ଓ ଏମବିକେମାନେ ଅତିଥି ମାନଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରି ହରପାଲ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ମିଶନ ଶକ୍ତି କାଫେ ଗୃହକୁ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ ବାଲିଗୁଡା ଆଇଟିଡିଏପିଏ କୃପା ସିନ୍ଧୁ ବେହେରା, ତୁମୁଡିବନ୍ଧ ଏମ୍‌ପି ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ତୁମୁଡିବନ୍ଧ ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ,ପୂର୍ବତନ ଭା ଜ ପା ଜିଲ୍ଲା ସଭାପତି ଜଗନାଥ ସାହୁ, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ, ବରିଷ୍ଠ ନେତା ପଦ୍ମ ଚରଣ ଦାସ, ତୁମୁଡିବନ୍ଧ ମଣ୍ଡଳ ସଭାପତି ସର୍ବେଶ୍ୱର ମାଝୀ ବରିଷ୍ଠ ନେତା ଶ୍ରୀଚନ୍ଦ୍ର ପରାସେଠ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ପରେ କାଫେକୁ ଏମ୍‌ପି ବୁଲି ଦେଖିବା ସହିତ ପରିଚାଳନା ଦାୟିତ୍ୱ ନେଇଥିବା ମା’ ଗଜଳକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହିତ ଅଲୋଚନା କରିଥିଲେ ।
ଏହି ଅବସରରେ ଏମ୍‌ପି ପାଣିଗ୍ରାହୀ କହିଥିଲେ, ତୁମୁଡିବନ୍ଧ ବ୍ଳକରେ ମିଶନ ଶକ୍ତି କାଫେ ନ ଥିଲା। ଯାହା ଫଳରେ ଦୂର ପଞ୍ଚାୟତ ମାନଙ୍କରୁ ବିଭିନ୍ନ କାର‌୍ୟ୍ୟରେ ଆସୁଥିବା ସାଧାରଣ ଲୋକମାନେ ବ୍ଲକ କାର‌୍ୟ୍ୟାଳୟକୁ ଆସି ନିଜ କାମ ସାରି ବଜାର ହୋଟେଲରେ ଅଧିକା ଟଙ୍କା ଦେଇ ଭୋଜନ କରି ନିଜ ଘରକୁ ଫେରିଥାନ୍ତି।
ଏହା ବିଚାରକୁ ନେଇ ମିଶନ ଶକ୍ତି କାଫେରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠି ମଧ୍ୟରେ ଚା’ ଜଳଖିଆ ଓ ଭୋଜନ ପ୍ରସ୍ତୁତ କରାଯାଇ ସୁଲଭ ମୂଲ୍ୟରେ ଲୋକମାନଙ୍କୁ ସ୍ବାଦିଷ୍ଟ ଭୋଜନ ଯୋଗାଇବା ଦିଆଯିବ।
ଅନ୍ୟ ପକ୍ଷରେ ଅଞ୍ଚଳ ବାସୀ ଉତ୍ତମ ଖାଦ୍ୟ ଖାଇବା ପାଇଲେ ଓ ଆମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ରୋଜଗାର କ୍ଷମ ହେବେ ବୋଲି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ, ମିଶନ ଶକ୍ତି ଏକାଉଣ୍ଟାଣ୍ଟ ବାବୁଲି ନାୟକ,ଓ ଏଲ ଏମର ବି ପି ଏମ ଅକ୍ଷୟ କୁମାର ପ୍ରଧାନ ,ବି ଏଲ ସି ବାଦଲ ପ୍ରଧାନ,ବିପିସି ସରୋଜ କୁମାର ଦିଗାଲ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ।

Related Posts