ଝାରସୁଗୁଡ଼ାରେ ଏନ୍କାଉଣ୍ଟର , ପୋଲିସ ହାତରୁ ଖସିଯିବା ବେଳେ ଗୁଳିମାଡ଼

ଝାରସୁଗୁଡ଼ା, ୧୨/୪ : ଦୁଇ ଜଣ ନାବାଳିକା ଅପରାଧି ଫେରାର ହୋଇ ଯାଉଥିବାବେଳେ ଝାରସୁଗୁଡ଼ା ପୋଲିସ ଏନକାଉଣ୍ଟର କରିଛି । ଦୁଇ ଅଭିଯୁକ୍ତ ହେଲେ ଶେଖ୍ ଆଶିଷ(୨୨) ଏବଂ ଅଭିଷେକ ବାରିକ(୩୦)। କୋର୍ଟରେ ହାଜର ପାଇଁ ପୋଲିସ ନେଇକି ଯାଉଥିବାବେଳେ ଏହି ଏନକାଉଣ୍ଟର ହୋଇଥିବା ନେଇ ଉତ୍ତରାଞ୍ଚଳ ଆଇଜି ଏବଂ ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି ।
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗତକାଲି ବେଲପାହାଡ଼ ପୋଲିସ ସେଖ୍ ଆଶିଷ ଓ ଅଭିଷେକ ବାରିକକୁ ଗିରଫ କରିଥିଲା । ଶନିବାର ସକାଳେ ସେମାନଙ୍କୁ ଥାନାରୁ ଝାରସୁଗୁଡ଼ା କୋର୍ଟରେ ହାଜର ପାଇଁ ବେଲପାହାଡ଼ ପୋଲିସ ନେଇକିଯାଇଥିଲା । ଏହି ସମୟରେ ଆମଦରହ୍ ଜଙ୍ଗଲ ନିକଟରେ ଅଭିଯୁକ୍ତ ବାହାନା ଦେଖାଇ ବାନ୍ତି ଲାଗୁଛି ବୋଲି କହିଥିଲେ । ଗାଡ଼ି ଅଟକାଇବା ପରେ ଅଭିଯୁକ୍ତ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ କରିଥିଲେ । ପୋଲିସ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ପୋଲିସ ପାଲଟା ଗୁଳିରେ ଦୁଇ ଜଣ କାବୁ ହୋଇଥିଲେ । ପୋଲିସ ପ୍ରାୟ ୫ ରାଉଣ୍ଡ ଗୁଳି ମାରିଥିଲେ । ଦୁଇ ଜଣଙ୍କର ଗୋଡ଼ରେ ଗୁଳି ବାଜିଛି । ଉଭୟଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଉଭୟ ଏକ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଥିଲା । ଆଶିଷ ବାରିକ ନାବାଳିକା ପରିବାରକୁ ହତ୍ୟା ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେହିପରି ଆଶିଷ ନାଁରେ ପୂର୍ବରୁ ୨ଟି ଅପରାଧିକ ମାମଲା ରହିଛି । ସେମାନଙ୍କର ଆଉ ଜଣେ ସହଯୋଗୀ ଏବେବି ଫେରାର ଅଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଗୁରୁବାର ରାତିରେ ବେଲପାହାଡ ଥାନା ଅଂଚଳର ଜଣେ ୧୫ ବର୍ଷିୟା ନାବାଳିକାକୁ କିଛି ଯୁବକ ଘର ପାଖରୁ ଅପହରଣ କରି ନେଇଥିଲେ । ନିକଟସ୍ଥ ଏକ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିଲେ । ଏନେଇ ପରିବାର ଲୋକ ଗତକାଲି ବେଲପାହାଡ଼ ଥାନାରେ ଅଭିଯୋଗ କରିବା ପରେ ଅଭୟଙ୍କୁ ଗିରଫ କରିଥିଲା । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବାବେଳେ ଏନକାଉଣ୍ଟର କରାଯାଇଛି ।