ଜୟୀ ରାଜଗୁରୁ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୬/୨: ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଜେମାଦେଇ ଜୟୀରାଜଗୁରୁ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟର ପ୍ରତିଭା ଅନ୍ୱେଷଣ ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଧାନ ଶିକ୍ଷକ ଆଶିଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରତିଷ୍ଠାତା ପରିବାର ସଦସ୍ୟ ସମାଜସେବୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ପ୍ରଫେସର୍ ଡ଼. ଅଶୋକ କୁମାର ନନ୍ଦ ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ନେତା ସୁରେଶ ଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟଲକ୍ଷ୍ମୀ ଜଗଦ୍ଦେବ ଓ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷୟିତ୍ରୀ ମଞ୍ଜୁରାଣୀ ରାଉତରାୟ ଯୋଗଦେଇ ଛାତ୍ରଛାତ୍ରୀମାନେ ଜଣେ ଜଣେ ଭଲ ମଣିଷ ହେବା ସହିତ ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନ ପ୍ରଦର୍ଶନ କରିବାକୁ ଉପଦେଶ ଦେଇଥିଲେ ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନନ୍ଦ ପିଲାମାନଙ୍କର ଅନ୍ତନିିର୍ହିତ ଗୁଣାବଳୀର ବିକାଶ ପାଇଁ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଆର୍ତ୍ତତ୍ରାଣ ତରାଇ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ କୈଳାସ ଚନ୍ଦ୍ର ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।
ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ବକ୍ତୃତା, ପ୍ରବନ୍ଧ ଲିଖନ, କଣ୍ଠସଙ୍ଗୀତ, ଦୌଡ଼ ପ୍ରତିଯୋଗୀତା ପରି ୧୨ଟି ବିଭାଗରେ ଅନୁଷ୍ଠିତ ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।
ଗତ ବର୍ଷ ହାଇସ୍କୁଲ ବୋର୍ଡ଼ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଏ -୧ ପାଇଥିବା ଛାତ୍ର ସମର ପରିଡ଼ାଙ୍କୁ ବିଦ୍ୟାଳୟର ଗର୍ବ ଭାବେ ବାର୍ଷିକ ଟ୍ରଫି- ୨୦୨୬ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ସର୍ବାଧିକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଶୁଭସ୍ମିତା ନାୟକଙ୍କୁ ବିଦ୍ୟାଳୟର ଚମ୍ପିୟାନ୍ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ ।
ସମସ୍ତ ଅତିଥି, ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଶିକ୍ଷୟିତ୍ରୀ ନିରୁପମା ଛୋଟରାୟ ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଶିକ୍ଷୟିତ୍ରୀ ବାସନ୍ତୀ ପଲେଇଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।




