ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠିକଣାରୁ ନଗଦ ୨ କୋଟି ଟଙ୍କା ଜବତ
![](https://odishanewsonline.com/wp-content/uploads/2025/02/vigi1.png)
ମାଲକାନଗିରି, ୫/୨ : ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଟଙ୍କାର ଭଣ୍ଡାର । ଆଜି ଭିଜିଲାନ୍ସ ଚଢ଼ାଉବେଳେ ନଗଦ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସହିତ ପ୍ରାୟ ୩୦୦ ଗ୍ରାମ ସୁନା ଜବତ କରାଯାଇଛି । ଏହା ସହିତ ଏକାଧିକ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ ।
ଆଜି ସକାଳୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ତାଙ୍କର ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି ।
କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ୱର, ମାଲକାନଗିରି କାଯ;୍ୟାଳୟ, ଜୟପୁରରେ ଥିବା ଘର ଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରାଯାଇଛି ।
ଜୟପୁର ଘରେ ଚଢ଼ାଉବେଳେ ସରକାରୀ ବାବୁଙ୍କ ଟଙ୍କାର ଭଣ୍ଡାର ଦେଖି ତାଜୁବ ଭିଜିଲାନ୍ସ ଟିମ୍ । ଘରୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା । ୧ କୋଟି ୫୫ ଲକ୍ଷ କୋଟିରୁ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ଟିମ୍ ମେସିନ୍ ସାହାର୍ଯ୍ୟରେ ଟଙ୍କା ଗଣିଛି ।
ସେହିପରି ଜୟପୁର ଟାଉନରେ ବହୁତଳ ବିଶିଷ୍ଟ ଘର ଓ ୨ଟି ପ୍ଲଟ୍, ଭୁବନେଶ୍ୱର ହଂସପାଳରେ ଗୋଟିଏ ପ୍ଲଟ୍ ଥିବା ଜଣାପଡ଼ିଛି । ସେହିପରି ଗୋଟିଏ କାର୍ ଏବଂ ୨ଟି ବାଇକ୍ ମଧ୍ୟ ଅଛି ।
ଏହି ମାମଲାରେ ମାଲକାନଗିରି କୃଷି ବିଭାଗ ଇଞ୍ଜିନିୟର ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର୍ ବିଶ୍ୱଜିତ୍ ମଣ୍ଡଳ ଏବଂ ଅନ୍ୟ ଜଣେ କର୍ମଚାରୀ ଅମିୟକାନ୍ତ ସାହୁଙ୍କ ବାସଭବନରେ ଯାଞ୍ଚ କରାଯାଉଛି । ଶାନ୍ତନୁ ମହାପାତ୍ର ଗତ ୩ ବର୍ଷ ହେବ ମାଲକାନଗିରି ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଭାବେ କାର୍ୟ୍ୟ କରି ଆସୁଛନ୍ତି ।
ଏହି ଚଢ଼ାଉରେ ଅତିରିକ୍ତ ଏସପି, ଚାରି ଜଣ ଡ଼ିଏସପି, ୧୦ ଇନିସ୍ପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । ଖବର ପ୍ରକାଶ ବେଳକୁ ଚଢ଼ାଉ ଜାର ରହିଥିବାବେଳେ ମୋଟ ସମ୍ପତ୍ତିର ଆକଳନ କରାଯାଇ ନ ଥିଲା ।