Odisha News

ଗଜପତି: ପାରଳାର ମହାନ୍ ପ୍ରାଚୀନ ଗୀତି କବି ମୁକୁନ୍ଦ ପାଢ଼ୀଙ୍କ ୧୫୩ ତମ ଜୟନ୍ତୀ ସମାରୋହ – ୨୦୨୪ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୬: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତ୍ୟେଷିଣୀ ସମାଜର ସଭାଗୃହ ଠାରେ ମୁକୁନ୍ଦ ପାଢ଼ୀ ସ୍ମୃତି ସଂସଦ ପକ୍ଷରୁ ପାରଳାର ବିଶିଷ୍ଟ ପ୍ରାଚୀନ ଗୀତିକବି ମୁକୁନ୍ଦ ପାଢୀଙ୍କ ୧୫୩ ତମ ଜୟନ୍ତୀ ସମାରୋହ -୨୦୨୪ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ମୁକୁନ୍ଦ ପାଢ଼ୀ ସ୍ମୃତି ସଂସଦ\’ର ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁକୁନ୍ଦ ପାଢୀଙ୍କ ଗୀତିକାବ୍ୟ ରଚନା ସମ୍ପୂର୍ଣ୍ଣଭାବେ ଭକ୍ତିଭାବ ଉପରେ ଆଧାରିତ , ଯେଉଁ ଗୀତିକାବ୍ୟରେ କି ଛନ୍ଦ , ଲୟ ,ତାଳଭରା ସହ ମନକୁ ସ୍ପର୍ଶ କରୁଥିବା ଭଳି ରଚନାବଳୀ । ରାଧାକୃଷ୍ଣ ସମ୍ବଳିତ ଯେତେ ସବୁ କାବ୍ୟ ରଚନା ହୋଇଛି ଏହା ସମସାମୟିକ ଭାରତ ବର୍ଷର ଅନ୍ୟ ଯେ କୌଣସି ଭାଷାରେ ରଚିତ ଶ୍ରୀ ରାଧା ଏବଂ କୃଷ୍ଣଙ୍କ ପ୍ରେମ ଲୀଳା ଉପରେ ଭକ୍ତି ଭାବମୟରେ ବର୍ଣ୍ଣନା କରାଯାଇଛି ବୋଲି କହିଥିଲେ ।
ସେହିଭଳି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ସାହିତ୍ୟିକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କବିଙ୍କ ଭକ୍ତି ରସାତ୍ମକ ଲୀଳା କାବ୍ୟର ବିଭିନ୍ନ ଦିଗ ସମ୍ପର୍କରେ କହି , କବି କଳହଂସ ଗୋପାଳ କୃଷ୍ଣ ପଟନାୟକ ତାଙ୍କ ଗୀତିକାବ୍ୟରେ ରଚନା କଲାଭଳି କବି ମୁକୁନ୍ଦ ପାଢ଼ୀ ମଧ୍ୟ ତାଙ୍କ ଗୀତି କାବ୍ୟରେ ଅନେକ ଗ୍ରାମ୍ୟ ଶବ୍ଦ ପ୍ରକାଶ ଓ ଉପଯୋଗ କରିଛନ୍ତି ।
ତାଙ୍କର ଅନେକ ଗୀତିକବିତାର ପ୍ରାରମ୍ଭରେ ଶ୍ଲୋକ ସ୍ଥାନିତ ଦେଇଛନ୍ତି , ଯାହାକି ଏଥିରୁ ହିଁ ତାଙ୍କର ସଂସ୍କୃତରେ ବେଶ୍ ପାଣ୍ଡିତ୍ୟ ଥିବା ଜଣାଯାଏ ବୋଲି କହିଥିଲେ ।
ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଏଭଳି ଲୁକ୍କାୟିତ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ଲୋକ ଲୋଚନକୁ ଆଣିବା ଉଚିତ ।
ଏହା ହେଲେହିଁ ଆମେ ଆମ ସମାଜ ପାଇଁ ଉତ୍ତର ଦାୟିତ୍ଵ ପାଳନ କରିବାରେ ବେଶ୍ ସହାୟକ ହୋଇପାରିବା ବୋଲି କହି ତାଙ୍କୁ ମନେ ପକାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ଭାବେ ଜଟଣୀ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଇଂ ଜଗନ୍ନାଥ ପାଢ଼ୀ , ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହି ପ୍ରମୁଖ କବି ମୁକୁନ୍ଦ ପାଢୀଙ୍କ ବିଭିନ୍ନ ତରଙ୍ଗରେ ଶ୍ରୀ ରାଧାକୃଷ୍ଣଙ୍କ ବିଭିନ୍ନ ଲୀଳା ବର୍ଣ୍ଣିତ ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ମୁକୁନ୍ଦ ପାଢ଼ୀ ସ୍ମୃତି ସଂସଦ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୬ ଜଣ ବ୍ୟକ୍ତି ବିଶେଷଙ୍କୁ ଯଥା:- ଗଜପତି କଳା ପରିଷଦର ଗୁରୁ ଶ୍ରୀ ନୃସିଂହ ପ୍ରସାଦ ପାଢ଼ୀ , ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା ନିକେତନ କେନ୍ଦ୍ରର ଗୁରୁ ଶ୍ରୀମତୀ ଡି: ପ୍ରିୟଙ୍କା , ଭକ୍ତି ସଙ୍ଗୀତ ସଂସଦର ସଂଗଠନ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ରଥ , ପ୍ରଗତୀ ମହିଳା ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ , ବିଶିଷ୍ଟ ଯୁବ ସାହିତ୍ୟିକ ଶ୍ରୀ ବିଷ୍ଣୁ ମୋହନ ଅଧିକାରୀ ଏବଂ ପଣ୍ଡିତ ନରସିଂହ ଗୌଡ ପ୍ରମୁଖଙ୍କ ସମେତ କବି ମୁକୁନ୍ଦ ପାଢୀଙ୍କ ପରିବାରର ତଥା କବି ମୁକୁନ୍ଦ ପାଢୀଙ୍କ ନାତୁଣୀ ଜ୍ବାଇଁ ଶ୍ରୀ ବିଜୟ କୁମାର ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା। । ଏହି ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମକୁ ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ସୁଶ୍ରୀ ଅଞ୍ଜନା ପଟନାୟକ ଏବଂ ସୁଶ୍ରୀ ସ୍ନେହା ବେହେରା ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମରେ ସଂପାଦକୀୟ ବିବରଣୀ ପାଠ କରିବା ସହ ସମସ୍ତ କାର୍ଯ୍ୟ କ୍ରମକୁ ସୁପରିଚାଳନା କରିଥିଲେ କବି ମୁକୁନ୍ଦ ପାଢ଼ୀ ସ୍ମୃତି ସଂସଦର ପ୍ରତିଷ୍ଠାତା ସମ୍ପାଦକ ସମାଜସେବୀ ଶ୍ରୀ ଭାଗବତ ପାଢ଼ୀ ।
ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ମଞ୍ଚ ଉପରକୁ ଆହ୍ବାନ କରି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀ ଶୁଭ୍ରାଂଶୁ ଶେଖର ପଟନାୟକ ।
ସେହିଭଳି କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ପ୍ରଦାନ କରି ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ପ୍ରାଚୀନ ଗୀତିକବି ମୁକୁନ୍ଦ ପାଢୀଙ୍କ ସମ୍ପର୍କରେ ପ୍ରାକ୍ ସମ୍ଭାଷଣ ଦେଇଥିଲେ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀ ଶଶୀଭୂଷଣ ପଟନାୟକ ।
ସଭା କାର୍ଯ୍ୟ କ୍ରମ ଶେଷରେ ଗଜପତି କଳା ପରିଷଦର କଣ୍ଠ ଶିଳ୍ପୀ ମାନେ ଗୀତିକବି ମୁକୁନ୍ଦ ପାଢୀଙ୍କ ରଚିତ ସଙ୍ଗୀତ ପରିବେଷଣ କରିଥିଲେ ।

Related Posts

Seo wordpress plugin by www.seowizard.org.