ଖୋରଧା ପୁଲିସର ବଡ଼ ସଫଳତା: ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ନେଟୱର୍କ ଠାବ, ୬ ଗିରଫ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୪/୧୧: ନିଶା କାରବାର ବିରୋଧରେ ଖୋରଧା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ଆନ୍ତଃଜିଲ୍ଲା ଗଞ୍ଜେଇ ଚାଲାଣ ଓ ବିତରଣ ନେଟୱର୍କର ପର୍ଦ୍ଦାଫାଶ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ସେମାନଙ୍କ ନିକଟରୁ ୬୭.୩୩ କିଲୋଗ୍ରାମ ଗଞ୍ଜେଇ, ୩ଟି କାର୍, ୫ଟି ମୋବାଇଲ ଫୋନ୍ ଏବଂ ନଗଦ ୧୨ ହଜାର ୩୦୦ ଟଙ୍କା ଜବତ କରାଯାଇଛି।
ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୨୦ ହଜାର ଟଙ୍କା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ ସୂଚନା ଅନୁଯାୟୀ, ଗତ ୩ ତାରିଖ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ଖବର ପାଇ ଏସ୍ପି ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା।
ସଦର ଥାନା ଆଇଆଇସି ବାସୁଦେବ ଜୟସିଂହଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ଦୀପକ କୁମାର ପାକଳଙ୍କ ନେତୃତ୍ୱରେ ପୁଲିସ ଟିମ୍ ସେହିଦିନ ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ଗଡ଼ଗୁଡୁମ୍ସ୍ଥିତ ଗାଇଡାନ୍ସ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟ ଦୁର୍ଗାପୁର ଠାରେ ଚଢ଼ାଉ କରିଥିଲା। ଏହି ସମୟରେ ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ତିନୋଟି କାର୍ ଜବତ କରାଯାଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗୋଲିହା ଗ୍ରାମର ବାପି ଓରଫ ପିତା ରଞ୍ଜନ ନାୟକ (୩୨), ସିମୁଳିଆ ଥାନା ବାଉରିପଡ଼ା ଗ୍ରାମର ଅଜୟ କୁମାର ମଲ୍ଲିକ (୪୪), ଖଇରା ଥାନା ପାଳସା ଗ୍ରାମର ମଧୁ ଓରଫ ମଧୁସୂଦନ ପାଣିଗ୍ରାହୀ (୨୨) ଓ ସୁଧାଂଶୁ ଭୂଷଣ ଦାଶ (୨୮), ଭଦ୍ରକ ଜିଲ୍ଲା ନାଇକାଣ୍ଡିହି ଥାନା ବଳରାମପୁର ଗ୍ରାମର ଦୀପୁ ମଲ୍ଲିକ (୩୧) ଏବଂ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଉରିପଡ଼ା ଗ୍ରାମର ରାହୁଲ କୁମାର ସିଂହ (୨୭)। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲାର କାଇଁଝର ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ତିନୋଟି କାର୍ ଯୋଗେ ଚାଲାଣ କରୁଥିଲେ।
ଅଭିଯୁକ୍ତ ପିତା ରଞ୍ଜନ ନାୟକ ଓ ଅଜୟ କୁମାର ମଲ୍ଲିକ ଗଞ୍ଜେଇ ସଂଗ୍ରହ ଓ ପରିବହନ ଦାୟିତ୍ୱରେ ଥିବାବେଳେ ସୁଧାଂଶୁ ଭୂଷଣ ଦାଶ ଓ ମଧୁସୂଦନ ପାଣିଗ୍ରାହୀ ଚାଲାଣ ସମୟରେ ସୁରକ୍ଷା ଯୋଗାଇବା କାର୍ଯ୍ୟରେ ସହଯୋଗ କରୁଥିଲେ।
ସେହିପରି ଦୀପୁ ମଲ୍ଲିକ ଓ ରାହୁଲ କୁମାର ସିଂହ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ବିକ୍ରି ଓ ବିତରଣ କରୁଥିବା ଅଭିଯୋଗ ହୋଇଛି।
ଏହି ଚଢ଼ାଉରେ ଗଞ୍ଜେଇ ସମେତ ଗୋଟିଏ ଧଳା ଟୁର୍ ଏସ୍ କାର୍, ଦୁଇଟି ଧଳା ରଙ୍ଗର ଅରା କାର୍, ୫ଟି ମୋବାଇଲ ଫୋନ୍ ଏବଂ ନଗଦ ଟଙ୍କା ଜବତ ହୋଇଛି।
ଏ ନେଇ ଖୋରଧା ସଦର ଥାନାରେ କେସ୍ ନଂ ୫୨୪/୨୦୨୬, ତାରିଖ ୦୩.୧୧.୨୦୨୬ ଅନୁଯାୟୀ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ସସ)(ଉ)/୨୯ରେ ମାମଲା ରୁଜୁ ହୋଇଛି।
ଏହି ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ କାରବାରର ଆର୍ଥିକ କାରବାର, ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ଏବଂ ଏହି ନେଟୱର୍କର ଅନ୍ୟାନ୍ୟ ଦିଗ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ଏହି ଚଢ଼ାଉରେ ଏସ୍ଆଇ ଦୀପକ କୁମାର ପାକଳଙ୍କ ସମେତ ଏଏସ୍ଆଇ ସୁଭାଷ ଚନ୍ଦ୍ର ନାୟକ, ଏଏସ୍ଆଇ ଚନ୍ଦ୍ରମଣି ସାହୁ ଓ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।
ଜିଲ୍ଲାରେ ନିଶାମୁକ୍ତ ପରିବେଶ ସୃଷ୍ଟି ଏବଂ ନିଶା କାରବାରର ମୂଳୋତ୍ପାଟନ ପାଇଁ ଖୋରଧା ପୁଲିସର ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପ୍ରକାଶ କହିଛନ୍ତି।
ନିଶାଦ୍ରବ୍ୟ ସମ୍ପର୍କିତ କୌଣସି ସୂଚନା ଥିଲେ ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରରେ ଜଣାଇବାକୁ ପୁଲିସ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି।




