Odisha News

ଖୋରଧା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୬/୧୧ : ଆଜି ପୂର୍ବାହ୍ନରେ ସମଗ୍ର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଥିବା ବେଳେ ଅନୁରୂପ ଭାବେ ଖୋରଧା ଜିଲ୍ଲାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ପୌରହିତ୍ୟରେ ସ୍ଥାନୀୟ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲ୍ଲା ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋରଧା ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦିବସକୁ ଉଦ୍ଘାଟନ କରି କହିଲେ ଖୋରଧା ମାଟି ପବିତ୍ର ମାଟି ଯେଉଁଠି ପଣ୍ଡିତ ଗୋଦାବରୀଶ ମିଶ୍ର ଜନ୍ମ ନେଇଥିଲେ ।
ମାନବ ସମ୍ବଳର ପ୍ରଥମ ପର୍ଯ୍ୟାୟ ହେଲା ପ୍ରାଥମିକ ଶିକ୍ଷା , ସେହିପରି ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷା ମୁଳଦୂଆ ଅଟେ ।
ଯେଉଁ ରାଜ୍ୟ ବା ରାଷ୍ଟ୍ରର ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଯେତେ ସୁଦୃଢ ସେ ଅଞ୍ଚଳ ଓ ସମାଜ ସେତେ ଉନ୍ନତ। ବର୍ତ୍ତମାନ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ଵ ପ୍ରଦାନ କରି କମ୍ପ୍ୟୁଟର ଶିକ୍ଷା, ଡିଜିଟାଲ କ୍ଲାସ ରୁମ୍, ବିଜ୍ଞାନଗାର ଏବଂ ୫ ଏକର ଜାଗାରେ କ୍ରୀଡ଼ା କୁ ପ୍ରାଧ୍ୟାନ ଦେଇ ତଥା ୨୦୨୦ କେନ୍ଦ୍ର ଶିକ୍ଷାନୀତୀକୁ ଆପଣେଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସମସ୍ତେ ସହଯୋଗ କରିବାକୁ ଆହ୍ଵାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି, ଶ୍ରୀମତୀ ରୂପଶ୍ରୀ ରାଣୀ ଗୁମାନ ସିଂହ କହିଲେ ରାଜ୍ୟ ସରକାରଙ୍କର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଏକ ଅଭିନବ ଯୋଜନା ଏବଂ ଶିକ୍ଷା ଜଗତରେ ଏକ ବୈପ୍ଲବିକ ପରିବର୍ତ୍ତନ ଯାହା ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ଗଢି ତୋଳିବା ସହ ସୁନ୍ଦର ଭବିଷ୍ୟତ ପାଇଁ ଦିଗ ଦର୍ଶନ ଦେବ ।
ଉପ ସଭାପତି, ଜିଲ୍ଲା ପରିଷଦ,ଶ୍ରୀ ଗୋପୀନାଥ ମହାରଣା ଯୋଗଦେଇ କହିଲେ ଗୋଦାବରୀଶ ମିଶ୍ରଙ୍କର ନାମରେ ଯେଉଁ ଶିକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ପ୍ରଣୀତ କରିଛନ୍ତି ତାହା ସ୍ବର୍ଗତ ମିଶ୍ର ଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଅଟେ। ସେହିପରି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ଖୋରଧା ବ୍ଲକ୍ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ,ବ୍ଲକ୍ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଯୋଗଦେଇ ଗୋଦାବରୀଶ ମିଶ୍ର ଙ୍କ ଶିକ୍ଷା ଜୀବନୀ ଏବଂ ପ୍ରାଥମିକ ଶିକ୍ଷାରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ ।
ସଭାପତି ଭାଷଣରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ କହିଲେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସଂସ୍କରଣରେ ଖୋରଧା ଜିଲ୍ଲାରେ ମୋଟ ୭୦ ଗୋଟି ବିଦ୍ୟାଳୟ ସାମିଲ ହୋଇଛି ଯାହା ସମଗ୍ର ରାଜ୍ୟରେ ଖୋରଧା ଜିଲ୍ଲା ଏହି ଯୋଜନାରେ ଦ୍ୱିତୀୟ ସ୍ଥାନରେ ସ୍ଥାନିତ ଅଛି ।
ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏହି ଯୋଜନା ବିଶ୍ୱ ସ୍ତରୀୟ ଶିକ୍ଷା ପ୍ରଦାନରେ ମାଇଲଷ୍ଟୋନ ଅଟେ । ନୂଆ ଶୈଖିକ ପରିବେଶ ଏବଂ ଆମ ପରିବର୍ତ୍ତିତ ପ୍ରାଥମିକ ଶିକ୍ଷା ପରିଚୟର ଭିତ୍ତିଭୂମି ଅନୁଯାୟୀ ଆମର ଶିକ୍ଷା ଦାନକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉନ୍ନତ ମାର୍ଗରେ ଶିକ୍ଷା ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ପ୍ରାରମ୍ଭରେ ଅତିଥି ମାନଙ୍କୁ ଚାରା କୁଣ୍ଡ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସୋନମିକା ରାୟ ଧନ୍ୟବାଦ ପ୍ରଦାନ କରିଥିଲେ କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଡ଼ଃ ପ୍ରଜ୍ଞା ପାରମିତା ଜେନା, ରଶ୍ମିବାଳା ସ୍ୱାଇଁ, ବିଜୟ ବେହେରା, ସାଂସଦ ପ୍ରତିନିଧି ଦିଲ୍ଲୀପ ହୋତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପ୍ରେସ କ୍ଲବ ସଭାପତି ତପନ କୁମାର ନାୟକ , ଡି ଇ ଜି ଏମ ମାନସ କୁମାର ବ୍ରହ୍ମା,ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ , ତ୍ରିସ୍ତରୀୟ ପଞ୍ଚାୟତ ରାଜ ପ୍ରତିନିଧି,ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ପୁରାତନ ଛାତ୍ର ସଂସଦ ସଦସ୍ୟ ସଦସ୍ୟା ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।
ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କାର୍ଯ୍ୟ ସମ୍ପାଦିତ କରିଥିଲେ ।
ରାଜ୍ୟସ୍ତରୀୟ ସମାରୋହ କେନ୍ଦୁଝର ଠାରୁ ପ୍ରସାରିତ ହୋଇଥିଲା । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସମଗ୍ର ରାଜ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟ ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ ସମାରୋହର ରିମୋଟ ଦବାଇ ଶୁଭାରମ୍ଭ କରିଥିଲେ ।

Related Posts