କ୍ୟାବିନ ମୁକ୍ତ ସହର ଗଢ଼ିବାର ସ୍ୱପ୍ନ ସଫଳ: କିନ୍ତୁ ଉଜୁଡ଼ିଗଲା କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ; କୋଟି କୋଟି ଟଙ୍କାରେ ନିର୍ମିତ ବଜାରରେ ଝୁଲୁଛି ତାଲା
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୯/୬ : ସହରକୁ ସ୍ୱଚ୍ଛ, ସରସ, ସୁନ୍ଦର ଏବଂ କ୍ୟାବିନ ମୁକ୍ତ ସହର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଖୋରଧା ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଉଚ୍ଛେଦ ଅଭିଯାନ ସହରର ରୂପ ରେଖାକୁ ନିଶ୍ଚିତ ଭାବେ ପରିବର୍ତ୍ତନ କରିଛି।
ରାସ୍ତା କଡ଼ରେ ଦୀର୍ଘ ବର୍ଷ ଧରି ଗଢ଼ିଉଠିଥିବା କ୍ୟାବିନ ଗୁଡ଼ିକୁ ହଟାଇ ସହରକୁ ଖୋଲା ଓ ପରିଛନ୍ନ କରାଯାଇଛି।
କିନ୍ତୁ ଏହି ସୌନ୍ଦର୍ୟ୍ୟୀକରଣ ପ୍ରକ୍ରିୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ସେହି କ୍ଷୁଦ୍ର ବ୍ୟବସାୟୀ ମାନେ, ଯେଉଁମାନଙ୍କର ଦୈନନ୍ଦିନ ରୋଜଗାର ଉପରେ ନିର୍ଭର କରୁଥିଲା ସେମାନଙ୍କ ପରିବାରର ଜୀବିକା।
ଉଚ୍ଛେଦ ପରେ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ପାଇଁ ପୌର ପରିଷଦ ପକ୍ଷରୁ ତରବରିଆ ଭାବରେ ଭାଲିଆବାଡ଼ି ଛକରେ ୮୮ଟି ଓ ଟି.ଏଲ୍.ସି. ରୋଡ ନିକଟରେ ୯୦ଟି ଟିଣ ଛପର ଦୋକାନ ନିର୍ମାଣ କରାଯାଇଥିଲା। କୋଟି କୋଟି ଟଙ୍କା ବ୍ୟୟରେ ଏହି ଦୋକାନ ଗୁଡ଼ିକ ନିର୍ମାଣ ହୋଇଥିବା ସତ୍ତ୍ୱେ, ବ୍ୟବସାୟୀ ମାନଙ୍କ ଅଭିଯୋଗ ଅନୁସାରେ ସେଗୁଡ଼ିକର ନିର୍ମାଣ ମାନ ଅତ୍ୟନ୍ତ ନିମ୍ନମାନର।
ଖରାଦିନରେ ଟିଣ ଛପର ଯୋଗୁଁ ଦୋକାନ ଭିତରେ ଅସହ୍ୟ ଗରମ ହେଉଥିବାରୁ ବସି ବ୍ୟବସାୟ କରିବା କଷ୍ଟକର ହୋଇପଡ଼ୁଛି। ଅନ୍ୟପକ୍ଷରେ ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହେଉଛି।
ଏହାସହ ଦୋକାନ ଗୁଡ଼ିକରେ ସୁରକ୍ଷିତ ବିଦ୍ୟୁତ ବ୍ୟବସ୍ଥା ମଧ୍ୟ ନଥିବା ଅଭିଯୋଗ ଉଠିଛି। ଆର୍ଥିଙ୍ଗ ବ୍ୟବସ୍ଥା ଠିକ୍ ନଥିବାରୁ ବଜ୍ରପାତ କିମ୍ବା ବିଜୁଳି ଘଡ଼ଘଡ଼ି ସମୟରେ ବ୍ୟବସାୟୀ ମାନେ ଭୟଭୀତ ଅବସ୍ଥାରେ ଦୋକାନରେ ସମୟ କାଟୁଛନ୍ତି। ଜୀବନକୁ ବାଜି ଲଗାଇ ସେମାନେ ବ୍ୟବସାୟ କରୁଥିବା ଅଭିଯୋଗ କରିଛନ୍ତି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ନୂତନ ବଜାରଗୁଡ଼ିକ ବ୍ୟବସାୟୀଙ୍କ ପାଇଁ ଆଦୌ ଉପଯୋଗୀ ହୋଇପାରିଲା କି? ଭାଲିଆବାଡ଼ି ଛକରେ ନିର୍ମିତ \’ଜୟୀ ରାଜଗୁରୁ ବଜାର\’ ର ୮୮ଟି ଦୋକାନ ମଧ୍ୟରୁ ବର୍ତ୍ତମାନ ୧୦ଟିରୁ ମଧ୍ୟ କମ ଦୋକାନ ଖୋଲା ରହୁଥିବା ବେଳେ ବାକି ସବୁ ଦୋକାନରେ ତାଲା ଝୁଲୁଛି। ସେହିପରି ଟି.ଏଲ୍.ସି. ରୋଡ ନିକଟରେ ଥିବା \’ବକ୍ସି ଜଗବନ୍ଧୁ ପରିବା ବଜାର\’ ର ୯୦ଟି ଦୋକାନ ମଧ୍ୟରୁ ମାତ୍ର ୬ଟି ଦୋକାନ ଚାଲୁ ଥିବା ବେଳେ ଅନ୍ୟ ସବୁ ବନ୍ଦ ପଡ଼ିଛି।
ଏହି ଦୃଶ୍ୟ ଏବେ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ବ୍ୟୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଳେଖଯୋଗ୍ୟ ଯେ, ୧୮ ଜାନୁୟାରୀ ୨୦୨୫ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋରଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଏବଂ ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ବହୁ ଆଡ଼ମ୍ବର ସହ ଏହି ଦୁଇଟି ପରିବା ବଜାରର ଉଦଘାଟନ କରାଯାଇଥିଲା।
ସେତେବେଳେ ଏହାକୁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଏକ ସ୍ଥାୟୀ ଓ ଆଧୁନିକ ବଜାର ବୋଲି ପ୍ରଚାର କରାଯାଇଥିଲା। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିବା କଥା ବ୍ୟବସାୟୀ ମାନେ କହୁଛନ୍ତି।
କେତେକ ବ୍ୟବସାୟୀଙ୍କ କହିବା ଅନୁସାରେ, ପୂର୍ବରୁ ରାସ୍ତା କଡ଼ରେ କ୍ୟାବିନରେ ବ୍ୟବସାୟ କରୁଥିବା ବେଳେ ପ୍ରତିଦିନ ଭଲ ବେପାର ହେଉଥିଲା।
ବର୍ତ୍ତମାନ ନୂଆ ବଜାରକୁ ସ୍ଥାନାନ୍ତର ହେବା ପରେ ଦିନକୁ ୧୦୦ ଟଙ୍କାର ବିକ୍ରି ମଧ୍ୟ ହେଉନାହିଁ। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଅନେକ ବାଧ୍ୟ ହୋଇ ପୁଣି ରାସ୍ତା କଡ଼ରେ ବସି ବ୍ୟବସାୟ କରୁଛନ୍ତି।
କେହି କେହି ନିଜ ଗାଁକୁ ଫେରି ଛୋଟ ଧରଣର ବ୍ୟବସାୟ ଆରମ୍ଭ କରିଥିବା ବେଳେ ଆଉ କେତେକ ରୋଜଗାରର ସନ୍ଧାନରେ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଚାଲି ଯାଇଛନ୍ତି । ବ୍ୟବସାୟୀ ମାନଙ୍କ ମତରେ, କେବଳ ସହର ସୌନ୍ଦର୍ଯ୍ୟୀ କରଣ କଲେ ହେବ ନାହିଁ; ଯେଉଁମାନଙ୍କ ଜୀବିକା ଉପରେ ଏହାର ପ୍ରଭାବ ପଡ଼ୁଛି, ସେମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ, ଆବଶ୍ୟକ ଭିତ୍ତିଭୂମି ଓ ଗ୍ରାହକ ପହଞ୍ଚିପାରିବା ଭଳି ବ୍ୟବସ୍ଥା କରାଯିବା ଉଚିତ ଥିଲା।
ନଚେତ ସରକାରୀ ଯୋଜନାର ଉଦ୍ଦେଶ୍ୟ ସଫଳ ହେବା ପରିବର୍ତ୍ତେ ଗରିବ ବ୍ୟବସାୟୀଙ୍କ ଜୀବନକୁ ଅଧିକ ଦୁର୍ବିସହ କରିଦେଉଛି।
ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ତୁରନ୍ତ ଦୃଷ୍ଟି ଦେଇ ବଜାରଗୁଡ଼ିକର ଅବସ୍ଥାର ସୁଧାର, ଆବଶ୍ୟକ ଭିତ୍ତିଭୂମିର ବିକାଶ ଏବଂ ବ୍ୟବସାୟୀମାନଙ୍କ ଜୀବିକା ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକ ଦାବି କରିଛନ୍ତି।
ବର୍ତ୍ତମାନ ଏହି କୋଟି କୋଟି ଟଙ୍କାର ପ୍ରକଳ୍ପ ଜନସାଧାରଣଙ୍କ ଉପକାରରେ ଆସିବ ନା ଅବ୍ୟବହୃତ ହୋଇ ପଡ଼ିରହିବ, ତାହା ଆଗାମୀ ଦିନରେ ପ୍ରଶାସନର ପଦକ୍ଷେପ ଉପରେ ନିର୍ଭର କରିବ।




