Odisha News

କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ: ଓଡ଼ିଆ ସାହିତ୍ୟରେ ରାଧାନାଥଙ୍କ ଅବଦାନ ଅତୁଳନୀୟ

ସଞ୍ଜୟ କୁମାର ପାଣିଗ୍ରାହୀ ରିପୋର୍ଟ
ବାଲିଗୁଡ଼ା,୩୦/୯: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସୌଜନ୍ୟରେ ଏବଂ ଶାଳବଣ ସାହିତ୍ୟ ସଂସଦର ସଂଯୋଜନାରେ ବାଲିଗୁଡ଼ା ସ୍ଥିତ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।
ଶାଳବଣ ସାହିତ୍ୟ ସଂସଦର ସଭାପତି ଡ. ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଓ ରବୀନ୍ଦ୍ରନାଥ ରଥ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ।
ସଭାରେ କବିବର ରାଧାନାଥ ରାୟଙ୍କ ଜୀବନୀ, ସାହିତ୍ୟ ସୃଷ୍ଟି ଏବଂ ଓଡ଼ିଆ ସାହିତ୍ୟର ବିକାଶରେ ତାଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଆଲୋଚକ ମାନେ ରାଧାନାଥଙ୍କ ସାହିତ୍ୟ ସୃଷ୍ଟି ଓ ଭାଷା ଶୈଳୀ ଓଡ଼ିଆ ସାହିତ୍ୟକୁ ଏକ ନୂଆ ଦିଗ ଦେଇଥିବା ମତବ୍ୟକ୍ତ କରିଥିଲେ। ଶିକ୍ଷକ ତୀର୍ଥବାସୀ ଘଡ଼େଇ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ।
ଆଲୋଚକ ଭାବେ କୈଳାଶ ବେହେରା, ବିଶ୍ୱେଶ୍ୱର ଆଚାର୍ଯ୍ୟ, ସ୍ନେହଲତା, ସୁଲୋଚନା କହଁରଙ୍କ ସମେତ ବହୁ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସାରଗର୍ଭକ ହୋଇଥିଲା।
ଛେଳି ପଲ ସହ ଗାଁକୁ ଚାଲିଆସିଲା ହରିଣ ଛୁଆ ବେଲଘର ବଜାରରୁ ଉଦ୍ଧାର କଲା ବନ ବିଭାଗ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡ଼ାଯିବ
ବାଲିଗୁଡ଼ା, ୩୦/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବଜାରରୁ ଏକ ହରିଣ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ। ଜଙ୍ଗଲରୁ ଛେଳି ପଲ ସହ ଗାଁ ଭିତରକୁ ଚାଲିଆସିଥିବା ଏହି ହରିଣ ଛୁଆକୁ ଦେଖି ଅଞ୍ଚଳବାସୀ ବନ ବିଭାଗକୁ ଖବର ଦେଇଥିଲେ।
ସୂଚନା ଅନୁଯାୟୀ, ନିକଟସ୍ଥ ଜଙ୍ଗଲକୁ ଛେଳି ପଲ ଚରିବାକୁ ଯାଇଥିଲା। ଗତକାଲି ଛେଳି ପଲ ଫେରିବା ସମୟରେ ଏକ ହରିଣ ଛୁଆ ମଧ୍ୟ ସେମାନଙ୍କ ସହ ବେଲଘର ଗାଁକୁ ଚାଲିଆସିଥିଲା। ବଜାର ଅଞ୍ଚଳରେ ହରିଣ ଛୁଆଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଜଣାଇଥିଲେ।
ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହରିଣ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ହେପାଜତରେ ରଖିଛନ୍ତି। ଏବେ ତା’ର ଯତ୍ନ ନିଆଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିଲେ ଏବଂ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ହରିଣ ଛୁଆଟିକୁ ପୁଣି ନିରାପଦ ଜଙ୍ଗଲ ପରିବେଶରେ ଛାଡ଼ି ଦିଆଯିବ ବୋଲି ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ରଜନୀକାନ୍ତ ମେହେର ସୂଚନା ଦେଇଛନ୍ତି।
ଯୁବ ରେଡ୍‌କ୍ରସର ଜିଲ୍ଲା କାର୍ଯ୍ୟକାରୀ ସମିତି ବୈଠକ : ସେବା, ସଚେତନତା ଓ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
କନ୍ଧମାଳ ,୩୦/୯: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ ଯୁବ ରେଡ୍‌କ୍ରସର କନ୍ଧମାଳ ଜିଲ୍ଲା କାର୍ଯ୍ୟକାରୀ ସମିତି ବୈଠକ ମହାବିଦ୍ୟାଳୟ ପରିସରସ୍ଥ ପ୍ରେକ୍ଷାଳୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟରେ ଯୁବ ରେଡ୍‌କ୍ରସ ମାଧ୍ୟମରେ ଚାଲିଥିବା ସେବା, ସଚେତନତା ଓ ମାନବିକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ସୁଦୃଢ଼ କରିବା ନେଇ ବୈଠକରେ ମତବିନିମୟ ହୋଇଥିଲା ।
ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁବ ରେଡ୍‌କ୍ରସ କନ୍ଧମାଳ ଜିଲ୍ଲା ମୁଖ୍ୟ ମୁରଲୀଧର ସେଠୀ ବୈଠକରେ ଅଧ୍ୟକ୍ଷତା କରି ଯୁବ ରେଡ୍‌କ୍ରସର ମାନବିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆବାହକ ଶଙ୍କର ଦଳାଇ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।
ଏନ୍‌ସିସି ଅଫିସର ଡ. ସଂଜୀବ ବଳିୟାରସିଂ କନ୍ଧମାଳ ଜିଲ୍ଲାରେ ଯୁବ ରେଡ୍‌କ୍ରସର ସେବାମୂଳକ କାର‌୍ୟ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଡ. ବିଭୂତି ଭୂଷଣ ଆଚାର‌୍ୟ୍ୟ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ନେଇ ନିଜର ପରାମର୍ଶ ରଖିଥିଲେ।
ବୈଠକ ରେ ସ୍ୱେଚ୍ଛାକୃତ ରକ୍ତଦାନ, ଦୁର୍ଘଟଣା ଓ ବିପର‌୍ୟ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସଚେତନତା ସହ ବିଭିନ୍ନ ସେବା କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।
ଏଥିସହ ଜିଲ୍ଲାସ୍ତରୀୟ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର, ରକ୍ତଦାନ ଶିବିର ଏବଂ ବିପର୍ଯ୍ୟୟ ପରିଚାଳନା ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ ଭାବେ ଆୟୋଜନ କରିବା ନେଇ ମତ ବିନିମୟ ହୋଇଥିଲା।
ଏହି ଅବସରରେ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଜଗନ୍ନାଥ ମାଝୀ, ଦୁର୍ଗେଶ ମହାନ୍ତି, ଡ. ରମାକାନ୍ତ ମଙ୍ଗରାଜ ଏବଂ ଡ. ଏନ୍‌. ତନ୍ମୟ କୁମାର ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା କାର‌୍ୟ୍ୟକାରୀ ସମିତିର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ମହାବିଦ୍ୟାଳୟ ର ଯୁବ ରେଡ୍‌କ୍ରସ ସ୍ୱେଚ୍ଛାସେବୀ ସଂକୀର୍ତ୍ତନ, ଆରୀୟାନ, ତ୍ୱରିତ, ସ୍ମୃତିରେଖା, ବର୍ଷାରାଣୀ, ଅଙ୍କିତା, ମୌସୁମୀ, ତେଜସ୍ୱନୀ, ଇପ୍ସିତାରାଣୀ, ଗାୟତ୍ରୀ, ଲିପ୍ସା ଓ କମଳିନୀ ନିଃସ୍ୱାର୍ଥପର ସେବା ପ୍ରଦାନ କରି କାର‌୍ୟ୍ୟକ୍ରମକୁ ସୁଚାରୁ ଭାବେ ସମ୍ପନ୍ନ କରିଥିଲେ। ସହକାରୀ ପ୍ରଫେସର ନୂତନ ପ୍ରଭାସ ତରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଟଙ୍କଧର ଶବର ଧନ୍ୟବାଦ ଅର୍ପଣ କରିଥିଲେ।
ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା:ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପ୍ରସାଦ ଓ ପଣା ବଣ୍ଟନ
ବାଲିଗୁଡ଼ା, ୩୦/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଆଶ୍ୱିନ ମାସର ପ୍ରଥମ ମଙ୍ଗଳବାର ଯାତ୍ରା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ପବିତ୍ର ଅବସରରେ ମା’ ପାଟଖଣ୍ଡା ମନ୍ଦାର ମାଳିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପ୍ରତ୍ୟୁଷରୁ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ପରେ ମା’ଙ୍କ ମନୋମୁଗ୍ଧକର ମନ୍ଦାର ମାଳିନୀ ବେଶ ଦର୍ଶନ ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ସମାଗମ ବଢ଼ିଥିଲା।
କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ବହୁ ଭକ୍ତ ବାଲିଗୁଡ଼ାରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ।
ମା’ ଙ୍କ ଦର୍ଶନ ପାଇଁ ଲାଗିଥିବା ଲମ୍ବା ଧାଡ଼ି ମଧ୍ୟରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ମନ୍ଦିର ପରିସରରେ ଦିନତମାମ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କୁ ପ୍ରସାଦ ସହ ପଣା ବଣ୍ଟନ କରାଯାଇ ଥିଲା। କମିଟିର ସମସ୍ତ ସଦସ୍ୟ ଓ ପୂଜକମାନେ ଉପସ୍ଥିତ ରହି ଯାତ୍ରାର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ।

Related Posts