Odisha News

ଉପ ନିୟୋଜନ ଫାଟକରେ ତାଲା, ହନ୍ତ ସନ୍ତ ହେଉଛନ୍ତି ବେକାର ଯୁବକ ଯୁବତୀ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୨୧/୨ : ଖୋରଧା ସଦର ମହକୁମାରେ ଏକ ଭଡ଼ା ଘରେ ଚାଲିଛି ଉପ ନିୟୋଜନ କାର୍ଯ୍ୟାଳୟ । ବେକାର ଯୁବକ ଯୁବତୀ ମାନେ ସରକାରୀ ଚାକିରୀ ପାଇଁ ଆବେଦନ କରିବାକୁ ହେଲେ ସରକାରୀ ନିୟୋଜନ କାର୍ଯ୍ୟାଳୟରେ ନିଜର ନାମ ପଞ୍ଜିକରଣ କରିବା ନିହାତି ଦରକାର ।
ଖୋରଧା ସବ୍ ଡିଭିଜନରୁ ହେଲାଣି ଜିଲ୍ଲା ,ମାତ୍ର ଖୋରଧାରେ ଅଛି ସେହି ଉପ ନିୟୋଜନ କାର୍ଯ୍ୟାଳୟ ।
ଜିଲ୍ଲା ସଦର ମହକୁମାରେ ନିୟୋଜନ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ରହିବା କଥା, କିନ୍ତୁ ଏଠାରେ ଚାଲିଛି ଏକ ପରିତ୍ୟକ୍ତ କୋଠାରେ ତାହା ପୁଣି ଭଡ଼ାଘରେ। ଖୋରଧା ଜିଲ୍ଲା ସଦର ମହକୁମାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ଥିବା ବେଳେ ମାତ୍ର ଏଠାରେ ନାହିଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ।
ଯେଉଁ କାର୍ଯ୍ୟାଳୟ ଟି ଏଠି ରହିଛି ତାହା ଅନେକ ସମୟରେ ବନ୍ଦ ରହୁଛି। ସପ୍ତାହକୁ ଅଫିସ ଖୋଲୁଛି ମାତ୍ର ଦିନେ କିମ୍ବା ଦୁଇ ଦିନ ତାହା ପୁଣି ନିୟମିତ ସମୟରେ ଖୋଲୁନାହିଁ ।
କେତେବେଳେ ଆଉ କୋଉଦିନ ଏଠାରେ କାର୍ଯ୍ୟାଳୟ ଖୋଲୁଛି ତାହାର ନିର୍ଦ୍ଦିଷ୍ଟତା ନାହିଁ। ଦୂର ଦୁରାନ୍ତରୁ ଆସି ଅସୁବିଧାରେ ପଡ଼ୁଛନ୍ତି ବେକାର ଯୁବକ ଯୁବତୀ ।
ଅର୍ଥ ଖର୍ଚ୍ଚ ସହ ସମୟ ଅପଚୟ ହେଉଛି ମାତ୍ର ନାମ ପଞ୍ଜିକରଣ ହୋଇପାରୁନାହିଁ । ଅସନ୍ତୋଷ ବ୍ୟକ୍ତ କରି ମନଦୁଃଖରେ ଫେରୁଛନ୍ତି ବେକାରୀ ଯୁବକ ଯୁବତୀଙ୍କ ସହ ଆସିଥିବା ପରିବାର ସଦସ୍ୟ ।
କିଛି ଅଭିଭାବକ କହିଛନ୍ତି କାହିଁକି ଜିଲ୍ଲା ମୁଖ୍ୟାଳୟରେ ନାହିଁ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ।
ଜିଲ୍ଲାପାଳଙ୍କ ନୂତନ ଅଫିସ କୋଠା ଲୋକାର୍ପଣ ହୋଇଥିବା ବେଳେ ସେଠାରେ ନାହିଁ ନିୟୋଜନ କାର୍ଯ୍ୟାଳୟ ,ତାହା ଅଛି ରାଜଧାନୀ ଭୁବନେଶ୍ଵରରେ। ଖୋର୍ଦ୍ଧାରେ କାର୍ଯ୍ୟାଳୟଟି ଭଡ଼ା ଘରେ ଚାଲୁଥିବା ବେଳେ ଅଫିସ ଖୋଜି ଖୋଜି ନୟାନ୍ତ ହେଉଛନ୍ତି ଲୋକେ ,ପାଇଲା ପରେ ଅଫିସ ବନ୍ଦ ଓ କୌଣସି ସୂଚନା ଫଳକ ନାହିଁ ।
କାର୍ଯ୍ୟାଳୟ ପରିସର ସମ୍ପୂର୍ଣ୍ଣ ଗଛ ଲଟାରେ ପରିପୂର୍ଣ୍ଣ ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି,ଏମିତିକି ସହଜରେ ଅନୁମେୟ ହେଉନି ଏହା ଏକ ସରକାରୀ କାର୍ଯ୍ୟାଳୟ ବୋଲି ।
ତେଣୁ ନାମ ପଞ୍ଜିକରଣ ପାଇଁ ଖୋରଧା ରୁ ଭୁବନେଶ୍ଵର ଧାଇଁ ଧାଇଁ ସଫଳତା ପାଉନାହାନ୍ତି ଯୁବକ ଯୁବତୀ। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବେକାର ଯୁବକ ଯୁବତୀଙ୍କ ସୁବିଧାକୁ ଦୃଷ୍ଟି ଦେଇ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟକୁ ଜିଲ୍ଲା ସଦର ମହକୁମାକୁ ସ୍ଥାନାନ୍ତର କରାଯିବାକୁ ସାଧାରଣରେ ଦାବି ଜୋର ଧରିଛି।

Related Posts