Odisha News

ଅଳ୍ପକେ ବର୍ତ୍ତିରେ ୬୦ଜଣ ଯାତ୍ରୀ: ବସ୍ ଉପରେ ଛିଣ୍ଡିଲା ୧୧ କେଭି ତାର, ଜଣେ ମୃତ୍ୟୁ

ଗଞ୍ଜାମ,୧୨/୫ : ୨୦୨୦ ମସିହାରେ ଗଞ୍ଜାମ ଜିଲ୍ଲା ମେଣ୍ଡରାଜପୁର ବସ୍ ଟ୍ରାଜେଡିରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଓ ୪ ଜଣ ଅକର୍ମଣ୍ୟ ପାଲଟିବା ଘଟଣା ମନରୁ ନଯାଉଣୁ, ବୁଧବାର ରାତିରେ ଏହାର ପୁନରାବୃତ୍ତି ଘଟିଛି ଗଞ୍ଜାମ ବ୍ଲକ୍ ଓ ରମ୍ଭା ଥାନା ଅଧୀନ ବି.ଟି.ନୂଆଗାଁରେ। ରାତି ପ୍ରାୟ ସାଢ଼େ ୮ଟାରେ କନ୍ୟାଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ୧୧ କେଭି ତାର ଛିଣ୍ଡି ପଡ଼ିଯିବାରୁ କନ୍ୟାରେ କକାଙ୍କ ମୃତ୍ୟୁ ଘଟିଥିବା ବେଳେ ବସ୍ ହେଲପର୍ ଗୁରୁତର ହୋଇଛନ୍ତି। ତେବେ ୬୦ ଜଣ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚି ଯାଇଛନ୍ତି। ମୃତକ ଦନାର୍ଦ୍ଦନ ନାହାକ ଓରଫ୍ ଦନା ଓ ତାଙ୍କ ଘର ମଧୁରଚୁ୍ଆଁରେ।
ମିଳିଥିବା ସୂଚନାନୁସାରେ, ବି.ଟି.ନୂଆଗାଁର ପୂର୍ଣ୍ଣ ନାହାକଙ୍କ ଝିଅର ବାହାଘର ଗତ ୯ ତାରିଖରେ ଭଞ୍ଜନଗରରେ ଶେଷ ହୋଇଥିଲା। ବୁଧବାର ଦିନ ଭାର ଦେବାକୁ କନ୍ୟଯାତ୍ରୀ ବସ୍ (ଓଆର୍-୦୪-ଜେ-୫୫୯୧)ରେ ଭଞ୍ଜନଗର ଯାଉଥିଲେ। ଗ୍ରାମ ମଝିରେ ଥିବା ଏକ ଗଛର ଡାଳ ବସ୍ରେ ଲାଖିଯିବାରୁ ହେଲପର୍ ଉପରେ ଚଢ଼ି ଏହାକୁ ବାହାର କରୁଥିଲେ। ଏହିସମୟରେ ଡାଳରେ ଗୁଡ଼େଇ ହୋଇ ରହିଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ତଳକୁ ଓହ୍ଲାଇଥିବା ଦନାର୍ଦ୍ଦନ ବସ୍ ଉପରକୁ ଚଢ଼ୁଥିବା ବେଳେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ବସ୍ ଭିତରେ ଥିବା ୬୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରମ୍ଭା ଆଇଆଇସି ଭି.ସ୍ୱରୂପ କିଷାନଙ୍କ ତତ୍ତ୍ୱାବଧାନରେ ସେକେଣ୍ଡ୍ ଅଫିସର ବିକାଶ କୁମାର ସାମଲ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହି ଘଟଣାପରେ ଶୋକର ଛାୟା ଖେଳିଯାଇଛି।

Related Posts

Seo wordpress plugin by www.seowizard.org.