୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୮/୧୦ : ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଚଳିତବର୍ଷ ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି।
୧୯୭୯ ମସିହାରେ ପ୍ରତିଷ୍ଠିତ ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଏଯାଏ ଛାତ୍ର ସଂସଦ ନିର୍ବାଚନ ହୋଇନଥିବା ବେଳେ ଏବେ ଉଚ୍ଚଶିକ୍ଷା ବିଭାଗର ପଦକ୍ଷେପ ପରେ ନିର୍ବାଚନ ପାଇଁ ବାଟ ଫିଟିଛି। ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉତ୍କଣ୍ଠା ପ୍ରକାଶ ପାଇଛି। ଦୀର୍ଘଦିନ ଧରି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରାଯିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା।
ନିର୍ବାଚନ ନ ହେବାରୁ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଓ ଛାତ୍ର ନେତୃତ୍ୱ ବିକାଶର ସୁଯୋଗ ସୀମିତ ରହିଥିଲା। ଏବେ ପ୍ରଥମଥର ପାଇଁ ନିର୍ବାଚନ ହେବାକୁ ଯାଉଥିବାରୁ କଲେଜରେ ଛାତ୍ର ପ୍ରତିନିଧିତ୍ୱର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଶା ବଢ଼ିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ଓ ଘୁ.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟରେ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇଆସୁଥିବା ବେଳେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ଏଥିରୁ ବଞ୍ଚିତ ରହିଥିଲା।
ତେଣୁ ୪୬ ବର୍ଷ ପରେ ହେବାକୁ ଥିବା ଏହି ପ୍ରଥମ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖା ଦେଇଛି। ମହାବିଦ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର +୩ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଯୋଗ୍ୟ ଛାତ୍ରଛାତ୍ରୀମାନେ ଛାତ୍ର ସଂଘର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢ଼ିପାରିବେ।
ଅକ୍ଟୋବର ୮ ତାରିଖରୁ କାର୍ଯ୍ୟ ସମୟ ମଧ୍ୟରେ ନାମାଙ୍କନ ପତ୍ର ଉପଲବ୍ଧ ହେବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ପୁରୁଣା ଝଇଗଝ ରୁମ୍ରୁ ବ୍ୟକ୍ତିଗତ ଭାବେ ନାମାଙ୍କନ ଫର୍ମ ସଂଗ୍ରହ କରିପାରିବେ।
ନିର୍ବାଚନ ସମ୍ପର୍କିତ ଯେକୌଣସି ସୂଚନା କିମ୍ବା ପ୍ରଶ୍ନ ପାଇଁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କଲେଜ ପକ୍ଷରୁ କୁହାଯାଇଛି।
ଇଂରାଜୀ ଅଧ୍ୟାପକ ତେଜେଶ୍ୱର ନାୟକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ବେଳେ ବାଣିଜ୍ୟ ଅଧ୍ୟାପକ ସରୋଜ କୁମାର ପାଥି ଓ ପ୍ରାଣୀବିଜ୍ଞାନ ଅଧ୍ୟାପକ ହିମାଂଶୁ ଶେଖର ସାହୁ ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ମହାବିଦ୍ୟାଳୟରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଛାତ୍ରଛାତ୍ରୀମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ଏନେଇ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ତାରିଖ ଘୋଷଣା ପରେ ମହାବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଛି।
ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ଓ ପୁଲିସ ପ୍ରଶାସନର ସହଯୋଗ ଲୋଡ଼ାଯାଇଛି।
୪୬ ବର୍ଷର ଅପେକ୍ଷା ପରେ ହେବାକୁ ଥିବା ଏହି ପ୍ରଥମ ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧିତ୍ୱ ଓ ଗଣତାନ୍ତ୍ରିକ ନେତୃତ୍ୱର ଏକ ନୂଆ ଆରମ୍ଭ ବୋଲି ମତ ପ୍ରକାଶ ପାଇଛି।
ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ
ବାଲିଗୁଡ଼ା, ୮/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁଠାରେ ବାରଖମା ମଣ୍ଡଳ କୃଷକ ମୋର୍ଚ୍ଚା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜିତ ହୋଇଯାଇଛି। ବାରଖମା ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ପରମା ଠେଲା ଏବଂ ସମ୍ପାଦକ ପ୍ରକାଶ ରଣାଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ଗାଁର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ କରିଥିଲେ।
ସ୍ୱଚ୍ଛତା ହେଉଛି ସୁସ୍ଥ ସମାଜର ମୂଳ ଆଧାର। ଏହି ବାର୍ତ୍ତାକୁ ନେଇ କାର୍ୟ୍ୟକର୍ତ୍ତା ମାନେ ସ୍ୱଚ୍ଛତା ପ୍ରତି ଲୋକଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆୟୋଜକମାନଙ୍କ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି।
ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍;
ବାଲିଗୁଡ଼ା, ୮/୧୦ : ଓଡ଼ିଶା ବନ୍ଦର ପ୍ରଭାବରେ ଗୁରୁବାର ବାଲିଗୁଡ଼ା ସହରର ସ୍ୱାଭାବିକ ଜନଜୀବନ ଏକପ୍ରକାର ଅଚଳ ହୋଇପଡ଼ିଛି।
ସହରର ପ୍ରମୁଖ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଥିବାବେଳେ ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ଉଲ୍ଲେଖନୀୟ ଭାବେ କମିଯାଇଥିଲା।
ଏହାର ସିଧାସଳଖ ପ୍ରଭାବ ସହରର ଦୈନନ୍ଦିନ ଜୀବନଯାତ୍ରା ଉପରେ ପଡ଼ିଛି। ବନ୍ଦକୁ କେବଳ ଦୋକାନବଜାର ବନ୍ଦରେ ସୀମିତ ନରଖି ବାଲିଗୁଡ଼ାରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ।
ଏହି ୧୨ଘଣ୍ଟିଆ ବନ୍ଦକୁ ସଫଳ କରିବା ଉଦ୍ଦେଶ୍ୟରେ ଦଳ ପକ୍ଷରୁ ମୋଟରସାଇକେଲ ରାଲି କରାଯାଇ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇଥିଲା।
ଦଳୀୟ ନେତା ଓ କର୍ମୀମାନେ ଲୋକଙ୍କୁ ବନ୍ଦକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ। ବାଲିଗୁଡ଼ା କଂଗ୍ରେସ ସଭାପତି କାମରାଜ ଦିଗାଲଙ୍କ ନେତୃତ୍ୱରେ ଏହି ବନ୍ଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ନଗର କଂଗ୍ରେସ ସଭାପତି ସାଗର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ବକ୍ସି, ନଗର କଂଗ୍ରେସ ଉପସଭାପତି ଭୀମ ବିନ୍ଧାଣି, ନଗର କଂଗ୍ରେସ ସେବାଦଳ ଅଧ୍ୟକ୍ଷ ତଥା ପିସିସି ମିଡିଆ ସେଲ୍ ସଦସ୍ୟ ସାମୁଏଲ ପ୍ରଧାନ, ନଗର କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଶରତ ଚନ୍ଦ୍ର ଦିଗାଲ, ବରିଷ୍ଠ ନେତା ଦେବବ୍ରତ ସିଂହଦେଓ (ଟିପୁ), ବିଚିତ୍ରାନନ୍ଦ ଆଚାର୍ଯ୍ୟ, ମନୋଜ କୁମାର ଆଚାର୍ଯ୍ୟ, ଟୁଟୁ ଆଚାରୀ, କେ. ବଳରାମ ଦୋରା, ଶିବରାମ ପ୍ରଧାନୀ, ଜିଲ୍ଲା ଏସ୍ଟି ସେଲ୍ ଅଧ୍ୟକ୍ଷ ବିଜେଶ୍ୱର ମଲିକ, ମନୋଜ ସାହୁ, ମହେଶ ମଲିକଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।
ବନ୍ଦ ପ୍ରଭାବରେ ଆଖପାଖ ଗ୍ରାମାଞ୍ଚଳରୁ ବାଲିଗୁଡ଼ାକୁ ଆସୁଥିବା ଲୋକଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଥିଲା। ବସ୍, ଅଟୋ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଚଳ କମିଯିବାରୁ ସହରର ବ୍ୟସ୍ତ ରାସ୍ତାଗୁଡ଼ିକ ଅପେକ୍ଷାକୃତ ଫାଙ୍କା ଦେଖାଯାଇଥିଲା।
ସ୍କୁଲ ଓ କଲେଜ ବନ୍ଦ ରହିବା ଯୋଗୁଁ ଶିକ୍ଷାଦାନ ମଧ୍ୟ ପ୍ରଭାବିତ ହୋଇଥିଲା। ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିଲା।
ଆମ୍ବୁଲାନ୍ସ, ହସ୍ପିଟାଲ, ଔଷଧ ଦୋକାନ ଭଳି ଜରୁରୀ ସେବା ସ୍ୱାଭାବିକ ରଖିବା ସହ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀଙ୍କ ଯାତାୟାତରେ ବାଧା ନଦେବାକୁ ଆୟୋଜକ ଙ୍କ ପକ୍ଷରୁ କୁହାଯାଇଥିଲା।
ଅନ୍ୟ ପକ୍ଷରେ ବନ୍ଦ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପୁଲିସ ପକ୍ଷରୁ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନଜର ରଖାଯାଇଥିଲା। ସମଗ୍ର ଘଟଣାକ୍ରମରେ ବାଲିଗୁଡ଼ା ରେ ବନ୍ଦର ପ୍ରଭାବ ସ୍ପଷ୍ଟ ହୋଇଥିବାବେଳେ ରାସ୍ତାକୁ ଓହ୍ଲାଇ କଂଗ୍ରେସ ନିଜର ସାଙ୍ଗଠନିକ ଶକ୍ତିର ମଧ୍ୟ ପ୍ରଦର୍ଶନ କରିଛି।
ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ ବିଦ୍ୟୁତ୍ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ
ବାଲିଗୁଡ଼ା, ୮/୧୦ : ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ରୁମ୍ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍ ନଥିବାରୁ ସେହି ସ୍ମାର୍ଟ କ୍ଲାସ୍ରୁମ୍ ଏବେ କେବଳ ନାମକୁ ରହିଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ନୀଲିପଡ଼ା ସରକାରୀ ୟୁଜି ହାଇସ୍କୁଲ (ନୂଆ)ରେ ଦୀର୍ଘ ୨୫ ଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ଅଭିଯୋଗ ହୋଇଛି।
ଫଳରେ ସ୍ମାର୍ଟବୋର୍ଡ ଭିତ୍ତିକ ପାଠପଢ଼ା ବନ୍ଦ ହୋଇଯିବା ସହ ଖରା ଓ ଗରମରେ ଫ୍ୟାନ୍ ଚାଲୁନଥିବାରୁ ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ। ଶେଷରେ ସେମାନେ ଏକଜୁଟ ହୋଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ବିଦ୍ୟାଳୟରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ମାର୍ଟବୋର୍ଡ ସ୍ଥାପନ କରାଯାଇଛି।
କିନ୍ତୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏହାର କୌଣସି ବ୍ୟବହାର ହେଉନାହିଁ।
ଏପରିକି ବିଦ୍ୟୁତ୍ ନଥିବାରୁ ଫ୍ୟାନ୍ ମଧ୍ୟ ଚାଲୁନଥିବାରୁ ଗରମ ପରିବେଶରେ ପିଲାମାନଙ୍କୁ ପାଠ ପଢ଼ିବାକୁ ପଡ଼ୁଛି। ଅନ୍ୟପକ୍ଷରେ ବିଦ୍ୟୁତ୍ ବିଲ୍ ବକେୟା ଥିବା ଏବଂ ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ବରାଦ ହୋଇନଥିବାରୁ ବିଦ୍ୟାଳୟ ପକ୍ଷରୁ ବିଲ୍ ପୈଠ କରାଯାଇପାରୁନଥିବା ନେଇ ପ୍ରଧାନଶିକ୍ଷୟିତ୍ରୀଙ୍କ ପକ୍ଷରୁ କୁହାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ବ୍ୟକ୍ତିଗତ ଅର୍ଥରୁ ବିଦ୍ୟୁତ୍ ବିଲ୍ ପୈଠ କରିବା ସମ୍ଭବ ନୁହେଁ ବୋଲି ସେ କହିଥିବା ମଧ୍ୟ ଅଭିଯୋଗ ହୋଇଛି। ସମସ୍ୟା ନେଇ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ଓ ସେକ୍ସନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହି ଘଟଣା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ନଜରକୁ ଆସିବା ପରେ ସେ ଏହାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ବିଦ୍ୟୁତ୍ ସଂଯୋଗ ପୁନର୍ବାହାଲ ସହ ଦାୟିତ୍ୱବହନ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି।
ସ୍ମାର୍ଟ କ୍ଲାସ୍ରୁମ୍ ପାଇଁ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସ୍ଥା ହେଉଥିବା ବେଳେ ମାତ୍ର ବିଦ୍ୟୁତ୍ ଅଭାବରୁ ଏହା ଅଚଳ ହୋଇପଡ଼ିବା ଘଟଣା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଓ ପରିଚାଳନା ମଧ୍ୟରେ ଥିବା ଫାଟକୁ ସାମ୍ନାକୁ ଆଣିଛି।
ତୁରନ୍ତ ବିଦ୍ୟୁତ୍ ସଂଯୋଗ ନ ଦିଆଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଅଭିଭାବକ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।




