Odisha News

ସାଇବର ସୁରକ୍ଷା ନେଇ ବିଦ୍ୟାଳୟରେ ପୁଲିସର ସଚେତନତା ; ‘ରୁହନ୍ତୁ, ଭାବନ୍ତୁ, ଯାଞ୍ଚ କରନ୍ତୁ ‘ ନୀତିକୁ ସାଇବର ଠକେଇରୁ ବର୍ତ୍ତିବାର ମୁଖ୍ୟ ମନ୍ତ୍ର –ପୁଲିସ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୩/୮: ଦିନକୁ ଦିନ ବଢ଼ିଚାଲିଥିବା ସାଇବର ଠକେଇରୁ ଲୋକଙ୍କୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଖୋରଧା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନକୁ ଜୋରଦାର କରାଯାଇଛି। ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ବୋଲଗଡ଼ ଥାନା ଅନ୍ତର୍ଗତ ସାମପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ସାଇବର ସୁରକ୍ଷା ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ସଚେତନତା ଅଭିଯାନର ଅଂଶ ସ୍ବରୂପ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଯୋଗଦେଇଥିଲେ। ସେମାନଙ୍କୁ ବଢ଼ୁଥିବା ସାଇବର ଅପରାଧ, ଅନଲାଇନ ଠକେଇର ବିଭିନ୍ନ ଉପାୟ ଏବଂ ଏଥିରୁ ନିଜକୁ ସୁରକ୍ଷିତ ରଖିବାର ପଦ୍ଧତି ସମ୍ପର୍କରେ ସଚେତନ କରାଯାଇଥିଲା।
ଖୋରଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ନିର୍ଦ୍ଦେଶରେ ଡିଏସପି ଆର.ଏନ. ଭଞ୍ଜ, ଇନ୍ସପେକ୍ଟର ଧୀରେନ୍ଦ୍ରନାଥ ମଲ୍ଲିକ ଏବଂ ସିସି ଆଣ୍ଡ ଇଓ ପୁଲିସ ଷ୍ଟେସନର ଅନ୍ୟ କର୍ମଚାରୀମାନେ ସଚେତନତା ଅଧିବେଶନ ପରିଚାଳନା କରିଥିଲେ।
ପୁଲିସ ଅଧିକାରୀ ମାନେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସାଇବର ଅପରାଧୀମାନେ କିପରି ଭୟ, ଲୋଭ, କୌତୂହଳ ଓ ଅସଚେତନତାର ସୁଯୋଗ ନେଇ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ, ମୋବାଇଲ ଫୋନ ଓ ବ୍ୟାଙ୍କ ଖାତା ଉପରେ ଆକ୍ରମଣ କରୁଛନ୍ତି, ସେ ସମ୍ପର୍କରେ ବୁଝାଇଥିଲେ।
ବିଶେଷକରି ମାଲିସିୟସ ଏପିକେ ଫାଇଲ ମାଧ୍ୟମରେ ଠକେଇ, ନକଲି ସରକାରୀ ଯୋଜନା, ମିଥ୍ୟା ନିବେଶ ପ୍ରସ୍ତାବ, ‘ଡିଜିଟାଲ୍ ଆରେଷ୍ଟ’ ନାମରେ ଠକେଇ ଏବଂ ଅନଲାଇନ ଆର୍ଥିକ ଠକେଇ ସମ୍ପର୍କରେ ସଚେତନ କରାଯାଇଥିଲା।
ଅଜଣା ଲିଙ୍କରେ କ୍ଲିକ ନକରିବା, ଅଜଣା ସୁତ୍ରରୁ ଆପ ଡାଉନଲୋଡ ନକରିବା, ଅପରିଚିତ ବ୍ୟକ୍ତିଙ୍କ ସହ ପାସୱାର୍ଡ, ଓଟିପି, ପିନ କିମ୍ବା ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ ଆଦାନପ୍ରଦାନ ନକରିବାକୁ ପୁଲିସ ପରାମର୍ଶ ଦେଇଥିଲା।
ପୁଲିସ ପକ୍ଷରୁ “ ରୁହନ୍ତୁ , ଭାବନ୍ତୁ ଓ ଯାଞ୍ଚ କରନ୍ତୁ” ନୀତିକୁ ସାଇବର ଠକେଇରୁ ବର୍ତ୍ତିବାର ମୁଖ୍ୟ ମନ୍ତ୍ର ଭାବେ ଗ୍ରହଣ କରିବାକୁ କୁହାଯାଇଥିଲା।
ସନ୍ଦେହଜନକ ଫୋନ, ମେସେଜ କିମ୍ବା ଟଙ୍କା ସମ୍ପର୍କିତ ଅନୁରୋଧ ଆସିଲେ ତୁରନ୍ତ ପ୍ରତିକ୍ରିୟା ନଦେଇ ପ୍ରଥମେ ତାହାର ସତ୍ୟତା ଯାଞ୍ଚ କରିବାକୁ କୁହାଯାଇଥିଲା।
\’ଡିଜିଟାଲ୍ ଆରେଷ୍ଟ’ ଠକେଇ ସମ୍ପର୍କରେ ପୁଲିସ କହିଥିଲା ଯେ ଠକମାନେ ନିଜକୁ ପୁଲିସ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଗିରଫ ଭୟ ଦେଖାଇଥାନ୍ତି। ଏଭଳି ଧମକରେ ଭୟଭୀତ ନହୋଇ କୌଣସି ପରିସ୍ଥିତିରେ ଟଙ୍କା ପଠାଇବା ନାହିଁ ବୋଲି ସତର୍କ କରାଯାଇଥିଲା।
ଅନଲାଇନ ବ୍ୟାଙ୍କିଂ ଓ ଡିଜିଟାଲ ଟଙ୍କା କାରବାର ସମୟରେ ଅଧିକ ସତର୍କ ରହିବା ସହ ଓଟିପି, ଏଟିଏମ ପିନ, ପାସୱାର୍ଡ ଓ ଅନ୍ୟ ଗୋପନୀୟ ବ୍ୟାଙ୍କିଂ ତଥ୍ୟ କାହା ସହିତ ମଧ୍ୟ ଶେୟାର ନକରିବାକୁ ପୁଲିସ ପରାମର୍ଶ ଦେଇଥିଲା। ସାଇବର ଠକେଇର ଶିକାର ହେଲେ ତୁରନ୍ତ ମେସେଜ, ସ୍କ୍ରିନ୍‌ସଟ, ଟ୍ରାଞ୍ଜାକ୍ସନ ବିବରଣୀ ଓ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ସୁରକ୍ଷିତ ରଖିବା ସହ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାକୁ ଜଣାଇବା ଏବଂ ଜାତୀୟ ସାଇବର କ୍ରାଇମ୍ ହେଲ୍ପଲାଇନ ୧୯୩୦ରେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଥିଲା।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବିଭିନ୍ନ ପ୍ରଶ୍ନ ପଚାରି ସାଇବର ସୁରକ୍ଷା ସମ୍ପର୍କିତ ସନ୍ଦେହ ଦୂର କରିଥିଲେ।
ଡିଜିଟାଲ ପ୍ରଯୁକ୍ତିର ବଢ଼ୁଥିବା ବ୍ୟବହାର ମଧ୍ୟରେ ଏଭଳି ସଚେତନତା କାର‌୍ୟ୍ୟକ୍ରମ ଉପଯୋଗୀ ବୋଲି ଅଂଶଗ୍ରହଣକାରୀମାନେ ପ୍ରକାଶ କରିଥିଲେ। ଖୋରଧା ପୁଲିସ ସାଧାରଣ ଲୋକଙ୍କୁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର ବେଳେ ସତର୍କ ରହିବା ସହ ପରିବାର, ବନ୍ଧୁବାନ୍ଧବ ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବାକୁ ଆହ୍ୱାନ ଦେଇଛି।
ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଖୋରଧା ପୁଲିସର ବାର୍ତ୍ତା-କ୍ଲିକ କରିବା ପୂର୍ବରୁ ରୁହନ୍ତୁ, ପ୍ରତିକ୍ରିୟା ଦେବା ପୂର୍ବରୁ ଭାବନ୍ତୁ ଏବଂ ବିଶ୍ୱାସ କରିବା ପୂର୍ବରୁ ଯାଞ୍ଚ କରନ୍ତୁ।

Related Posts