ଶିକ୍ଷା ବିଭାଗରେ ମହାଦୁର୍ନୀତି – କନିଷ୍ଠ ଯନ୍ତ୍ରୀଙ୍କ କଳା କାରନାମା ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବୀ ଜୋରଦାର
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର/ ରାୟଗଡା, ୧୩/୧୧: ରାୟଗଡା ଜିଲ୍ଲାର ଅନଗ୍ରସର ଅଞ୍ଚଳ ରୂପେ ଆଖ୍ୟାୟିତ ଚନ୍ଦ୍ରପୁର ପଞ୍ଚାୟତ ସମିତିରେ ବିଦ୍ୟାଳୟ ଉନ୍ନତିକରଣ ଏବଂ ନିର୍ମାଣ କାର୍ଯ୍ୟରେ ଦୀର୍ଘ ବର୍ଷ ଧରି ବ୍ୟାପକ ଆର୍ଥିକ ଅନିୟମିତତା ହୋଇ ଆସୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉଥିବା ଚର୍ଚ୍ଚା ଏବେ ଜୋର ଧରିଛି ।
ସର୍ବ ଶିକ୍ଷା ଅଭିଯାନ , ଜିଲ୍ଲା ପ୍ରାଥମିକ ଶିକ୍ଷା ପ୍ରକଳ୍ପ , ସମଗ୍ର ଶିକ୍ଷା ଅଭିଯାନ , ପାନୀୟ ଜଳ ଯୋଗାଣ ଏବଂ ପଞ୍ଚାୟତରାଜ ଏବଂ ଫାଇଭ-ଟି ଆଦି ବିଭାଗ ତରଫରୁ ଶିକ୍ଷା ଭିତ୍ତିଭମିର ବିକାଶ ପାଇଁ ଉକ୍ତ ପଞ୍ଚାୟତସମିତିର ୮ଟି ଗ୍ରାମ ପଞ୍ଚାୟତର ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ୯୦ରୁ ଉର୍ଦ୍ଧ୍ବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲାଗି ବିଭିନ୍ନ ସମୟରେ ଆସିଥିବା ସରକାରୀ ଅନୁଦାନ ବାଟମାରଣ ହୋଇଥିବା ପୃଷ୍ଠଭୂମିରେ ଏଠାରେ ପୂର୍ବରୁ ପ୍ରାୟ ଦୁଇ ଦଶନ୍ଧି ଧରି ନିଯୁକ୍ତି ଥିବା କନିଷ୍ଠ ଯନ୍ତ୍ରୀ ବିକାଶ ମହାପାତ୍ରଙ୍କୁ ଦାୟୀ କରାଯାଉଛି ।
ବିଜାପୁର ଗ୍ରାମ ପଞ୍ଚାୟତର ମୁରାଗୁଡି ସୋରୁଲୁ ପରି ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତରେ ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ କୌଣସି ଗୃହ ନାହିଁ ।
ଡ଼ିଲାଗୁଡି , ରାମଣା , ମୁନାର ଗାଁ , ଡାଙ୍ଗସୋରଡ଼ା , ଚନ୍ଦ୍ରପୁର , ହନୁମନ୍ତପୁର ପ୍ରଭୃତି ୫ଟି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟର ନଥିର ପତ୍ତା ମିଳୁନାହିଁ ।
ଢେଲାପଡା ,ଗେଣ୍ଡାବାଜୁ , ପିସ୍କାପଙ୍ଗା , କୋଡ଼ିସୁରୁ , ଜାରପା ଆଦି ବିଦ୍ୟାଳୟରେ ହୋଇଥିବା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଏବଂ ବୁଦୁବାଲୀ ଗ୍ରାମ ପଞ୍ଚାୟତର ଖମାରଗୁଡ଼ି ବିଦ୍ୟାଳୟ ଗୃହ ନିର୍ମାଣ ପରେ ତାହାକୁ ଜେସିବି ଲଗେଇ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି।
ବର୍ଷ ବର୍ଷ ଧରି ବ୍ଲକ ର ଅଧିକାଂଶ ସ୍କୁଲର ରୋଷେଇ ଗୃହ ଓ ପାଇଖାନା କାମ ଅଧପନ୍ତରିଆ କରି ଟଙ୍କା ଚଳୁ କରିଥିବା ଶିକ୍ଷକଙ୍କ ମହଲ ରୁ ଶୁଣିବା ପାଇଁ ମିଳୁଛି କନିଷ୍ଠ ଯନ୍ତ୍ରୀ ମହାପାତ୍ରଙ୍କର ଉପର ମହଲାରେ ହାତ ଥିବାରୁ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ମଧ୍ୟ ଚର୍ଚ୍ଚାର ପରିସରରେ ରହିଛି।
ଅବହେଳିତ ଚନ୍ଦ୍ରପୁର ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ଥିବା ବିଭିନ୍ନ ମହଲରେ ଦାବୀ ହେଉଛି।



