Odisha News

ଶକ୍ତିଶାଳୀ ହେବ ଲଘୁଚାପ ! ଆଗାମୀ ୬ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର, ୫/୭: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ସୁସ୍ପଷ୍ଟ (ୱେଲ୍ ମାର୍କଡ୍) ଲଘୁଚାପ ବର୍ତ୍ତମାନ ଅଧିକ ଘନୀଭୂତ ହେବାରେ ଲାଗିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ଏକ \’ଅବପାତ\’ ରୂପ ଧାରଣ କରିବାର ଆଶଙ୍କା ରହିଛି ।
ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଏହି ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଦେଇ ସ୍ଥଳଭାଗ ଅତିକ୍ରମ କରିବ । ଏହାପରେ ଆସନ୍ତା ୨ ଦିନ ମଧ୍ୟରେ ଏହା ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତର ମଧ୍ୟପ୍ରଦେଶ ଆଡ଼କୁ ଅଗ୍ରସର ହେବ ।
ଜୁଲାଇ ୬ରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି
ଲଘୁଚାପଟି ସ୍ଥଳଭାଗ ଅତିକ୍ରମ କରି ଅନ୍ୟ ରାଜ୍ୟ ଆଡ଼କୁ ଗତି କରିବାକୁ ଥିବାରୁ, ଆସନ୍ତା ଜୁଲାଇ ୬ରୁ ରାଜ୍ୟରେ ବର୍ଷାର ପରିମାଣ ଓ ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବ । ତେବେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ଜାରି ରହିପାରେ ।
ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ
ଚଳିତ ବର୍ଷା ପ୍ରକୋପ ଶେଷ ନହେଉଣୁ ପାଣିପାଗ ବିଭାଗ ପକ୍ଷରୁ ଆଉ ଏକ ସତର୍କ ସୂଚନା ମିଳିଛି । ଜୁଲାଇ ୧୧ କିମ୍ବା ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ରାଜ୍ୟରେ ବଡ଼ ଧରଣର ବନ୍ୟା ବା ପ୍ରଳୟଙ୍କରୀ ବର୍ଷାର ଆଶଙ୍କା ନଥିଲେ ମଧ୍ୟ, ବର୍ଷାର ପରିମାଣ ସାମାନ୍ୟ ବୃଦ୍ଧି ପାଇବ ।
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିବାରୁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସମସ୍ତ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Related Posts