ଯୁବବର୍ଗଙ୍କୁ ନିଶାଠାରୁ ଦୂରେଇ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ ଉପରେ ଗୁରୁତ୍ୱ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୯/୧୧ : ଭୁବନେଶ୍ୱରସ୍ଥିତ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକଙ୍କ ସରକାରୀ ବାସଭବନରେ ରବିବାର ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ସିଧାପ୍ରସାରଣ ଶୁଣିବା ପାଇଁ ଏକ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା।
ଏହି ଅବସରରେ କନ୍ଧମାଳ ଜିଲ୍ଲାର ବହୁ ବରିଷ୍ଠ ଓ ଯୁବ ବିଜେପି ନେତା ତଥା କର୍ମୀ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶ୍ରବଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏସ୍ଡିସି ଅଧ୍ୟକ୍ଷ ମନଗୋବିନ୍ଦ ପ୍ରଧାନ, ଜିଲ୍ଲାର ଦୁଇ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ଓ ସୁକାନ୍ତ ସାହୁ (ଟୁଟୁ), ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦିବ୍ୟରଞ୍ଜନ ଡାକୁଆଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତା ଓ ସହଯୋଗୀମାନେ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଦେଶର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ଏବଂ ଏକ ସୁସ୍ଥ, ସୁନ୍ଦର ଓ ସଶକ୍ତ ସମାଜ ଗଠନ ଦିଗରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଯୁବସମାଜ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ନିଶାର କବଳରୁ ଦୂରେଇ ରଖିବା ସହ ପରିବାର, ସମାଜ ଓ ଯୁବପିଢ଼ି ମଧ୍ୟରେ ସଚେତନତା ବୃଦ୍ଧି କରିବା ଜରୁରୀ ବୋଲି ଏହି ଆହ୍ୱାନର ମର୍ମ ରହିଥିଲା। ଏହି ପରିପ୍ରେକ୍ଷୀରେ ବିଧାୟକ ଉମାଚରଣ ମଲ୍ଲିକ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରି ନିଶାମୁକ୍ତ ସମାଜ ଗଠନ ଦିଗରେ ସମସ୍ତେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା କେବଳ ସରକାର କିମ୍ବା ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ପରିବାର ଓ ସମାଜର ସାମୂହିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ‘ମନ୍ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିବା ସହ ନିଶାମୁକ୍ତ ଭାରତ ଗଠନ ପାଇଁ ସଚେତନତାର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉପରେ ଉପସ୍ଥିତ ନେତା ଓ କର୍ମୀମାନେ ଗୁରୁତ୍ୱାରୋପ କରିଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳର ଜନପ୍ରତିନିଧି, ଶିକ୍ଷାର ବିକାଶ ପାଇଁ ଉଠିଲା ଦାବି
ବାଲିଗୁଡ଼ା, ୨୯/୧୧: କନ୍ଧମାଳ ଜିଲ୍ଲାରେ ଉଚ୍ଚଶିକ୍ଷାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ଉନ୍ନତ ଶିକ୍ଷାର ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଆରମ୍ଭ ହୋଇଛି।
ଏନେଇ ଭୁବନେଶ୍ୱରଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରି ଅଞ୍ଚଳର ଶିକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ନେଇ ଆଲୋଚନା କରାଯାଇଛି।
ବିଶେଷକରି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଏନ୍ସିସି (ଘଉଉ) ଶାଖା ଆରମ୍ଭ କରିବା ଏବଂ କ.ନୂଆଗାଁ ଠାରେ ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଦୁଇଟି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଅଞ୍ଚଳର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ସହ ଏନ୍ସିସି ମାଧ୍ୟମରେ ଶୃଙ୍ଖଳା, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବିକାଶର ସୁଯୋଗ ପାଇପାରିବେ।
ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝୀ, କନ୍ଧମାଳ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉଚ୍ଚଶିକ୍ଷାର ସୁଯୋଗ ସୀମିତ ଥିବାରୁ ଅନେକ ଛାତ୍ରଛାତ୍ରୀ ଦୂରଦୂରାନ୍ତକୁ ଯାଇ ପାଠପଢ଼ିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ତେଣୁ ସ୍ଥାନୀୟ ସ୍ତରରେ ଶିକ୍ଷାନୁଷ୍ଠାନର ବିକାଶ ଓ ନୂତନ ଶିକ୍ଷା ସୁବିଧା ସୃଷ୍ଟି କରିବା ସମୟର ଆବଶ୍ୟକତା ହୋଇପଡ଼ିଛି। ଅଞ୍ଚଳର ଯୁବପିଢ଼ି ଯେପରି ନିଜ ଅଞ୍ଚଳରେ ରହି ଉଚ୍ଚଶିକ୍ଷା ଓ ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ, ସେଥିପାଇଁ ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ସାକ୍ଷାତକାରୀ ପକ୍ଷରୁ କୁହାଯାଇଛି।
ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ଗ୍ରାମବାସୀଙ୍କ ସମର୍ଥନ : ବେଆଇନ ଗଞ୍ଜେଇ ଚାଷ ଉପାଡ଼ି ଜମିରେ ଚାଲିଲା ବୃକ୍ଷରୋପଣ
କନ୍ଧମାଳ , ୨୯/୧୧: ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଏବେ ଗ୍ରାମବାସୀ ନିଜେ ଆଗକୁ ଆସିଛନ୍ତି। ବେଆଇନ ଗଞ୍ଜେଇ ଚାଷରୁ ଦୂରେଇ ଏକ ସୁସ୍ଥ ସମାଜ ଗଠନ ସହ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ କନ୍ଧମାଳ ଜିଲ୍ଲାର ଦୁଇଟି ଗ୍ରାମରେ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ।
ଗ୍ରାମବାସୀ ନିଜ ଆଡ଼ୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରି ସେହି ଜମିରେ ବିକଳ୍ପ ଭାବେ ବୃକ୍ଷରୋପଣ କରିଛନ୍ତି। ସୂଚନା ଅନୁଯାୟୀ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତର ବାଲକିଦାଡ଼ି ଗ୍ରାମବାସୀ ନିଜ ନିଜ ଜମିରେ ହୋଇଥିବା ପ୍ରାୟ ୩ ଏକର ପରିମିତ ଅଞ୍ଚଳର ବେଆଇନ ଗଞ୍ଜେଇ ଗଛକୁ ସ୍ୱେଚ୍ଛାକୃତ ଭାବେ ଉପାଡ଼ି ଦେଇଛନ୍ତି।
ଏହାପରେ ଉକ୍ତ ଜମିରେ ବିଭିନ୍ନ ପ୍ରକାରର ଚାରା ରୋପଣ କରି ପରିବେଶ ସୁରକ୍ଷା ସହ ଆଇନସମ୍ମତ ଜୀବିକା ଆପଣାଇବାକୁ ସଂକଳ୍ପ ନେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ \’ନିଶାମୁକ୍ତ ଓଡ଼ିଶା ଅଭିଯାନ\’କୁ ସଫଳ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ମଧ୍ୟ ଗ୍ରାମବାସୀ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ରାଇକିଆ ଥାନା ଅନ୍ତର୍ଗତ କଟେଡ଼ିକିଆ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଓ ଗ୍ରାମର ବିଭିନ୍ନ କମିଟିର ସଦସ୍ୟମାନେ ମିଳିତ ଭାବେ ଆଗେଇ ଆସି ପ୍ରାୟ ୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ସ୍ୱେଚ୍ଛାକୃତ ଭାବେ ନଷ୍ଟ କରିଛନ୍ତି।
ଗଞ୍ଜେଇ ଚାଷ ହଟାଇବା ପରେ ସେହି ଜମିରେ ବିକଳ୍ପ ବୃକ୍ଷରୋପଣ କରିଛନ୍ତି। ଏହି ପଦକ୍ଷେପରେ ମହିଳା ଗୋଷ୍ଠୀଙ୍କ ସକ୍ରିୟ ଭୂମିକା ବେଶ୍ ଗୁରୁତ୍ୱ ବହନ କରୁଛି। ବେଆଇନ ଗଞ୍ଜେଇ ଚାଷକୁ ରୋକିବା କେବଳ ପୁଲିସ ଓ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ଏଥିରେ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ।
ଏହି ଦୁଇ ଗ୍ରାମର ଲୋକଙ୍କ ସ୍ୱେଚ୍ଛାକୃତ ପଦକ୍ଷେପ ଗ୍ରାମାଞ୍ଚଳରେ ଜନସଚେତନତା ସୃଷ୍ଟି କରିବା ସହ ଅନ୍ୟ ଗ୍ରାମଗୁଡ଼ିକ ପାଇଁ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛି। ନିଶା ଚାଷରୁ ମୁକ୍ତି, ବିକଳ୍ପ ଜୀବିକା ଓ ସବୁଜ ପରିବେଶ ଗଠନ ଦିଗରେ ଏଭଳି ସାମୂହିକ ପ୍ରୟାସ ଆଗାମୀ ଦିନରେ କନ୍ଧମାଳ କୁ ନୂଆ ଦିଗ ଦେଖାଇବ ବୋଲି ଆଶା କରାଯାଉଛି।
ବିଧାନସଭାରେ ଉଠିଲା କନ୍ଧମାଳର ଦୁଇ ପ୍ରମୁଖ ସମସ୍ୟା ଫୁଲବାଣୀ ସହରବାସୀଙ୍କ ଜମି ଅଧିଗ୍ରହଣ ଓ ଜିଲ୍ଲାର ନେଟୱାର୍କ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ଦାବି
କନ୍ଧମାଳ, ୨୯/୧୧: କନ୍ଧମାଳ ଜିଲ୍ଲାର ଦୀର୍ଘଦିନର ଦୁଇଟି ପ୍ରମୁଖ ସମସ୍ୟା ଏବେ ବିଧାନସଭାରେ ଉଠିଛି। ଫୁଲବାଣୀ ସହରବାସୀଙ୍କ ଜମି ଅଧିଗ୍ରହଣ ସମସ୍ୟା ଏବଂ ସମଗ୍ର ଜିଲ୍ଲାରେ ଲାଗି ରହିଥିବା ଉତ୍କଟ ମୋବାଇଲ୍ ନେଟୱାର୍କ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବିଧାନସଭା ଗୃହରେ ସ୍ୱର ଉଠାଇଛନ୍ତି ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ।
ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟରେ ବିଧାୟକ ଏହି ଦୁଇଟି ଜନସମସ୍ୟାର ସମାଧାନ ପାଇଁ ଅନୁରୋଧ ରଖିଥିଲେ।
ଫୁଲବାଣୀ ସହରର ଜମି ଅଧିଗ୍ରହଣ ସମସ୍ୟା ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଜିଲ୍ଲାର ଅନେକ ଗ୍ରାମାଞ୍ଚଳରେ ମୋବାଇଲ୍ ନେଟୱାର୍କ ଅଭାବ ଯୋଗୁଁ ଲୋକେ ଯୋଗାଯୋଗ ଓ ଡିଜିଟାଲ୍ ସେବାରୁ ବଞ୍ଚିତ ହେଉଛନ୍ତି।
ବିଶେଷକରି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ନେଟୱାର୍କ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ ସରକାରୀ ଅନଲାଇନ୍ ସେବା ପ୍ରଦାନରେ ବାଧକ ସାଜୁଛି। ଏଭଳି ସ୍ଥିତିରେ ବିଧାନସଭାରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜନସମସ୍ୟା ଉଠାଇ ବିଧାୟକ ଶ୍ରୀ ମଲ୍ଲିକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଜିଲ୍ଲାବାସୀଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି।
ଏବେ ଏହି ଦୁଇଟି ସମସ୍ୟାର ସମାଧାନ ଦିଗରେ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା ଉପରେ କନ୍ଧମାଳବାସୀଙ୍କ ନଜର ରହିଛି।
ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ, ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱ
ବାଲିଗୁଡା , ୨୯/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ଦଳ ପକ୍ଷରୁ ରାଜନୈତିକ ତତ୍ପରତା ଆରମ୍ଭ ହୋଇଛି।
ଏହି ପରିପ୍ରେକ୍ଷୀରେ କୋଟଗଡ଼ ବ୍ଲକ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କୋଟଗଡ଼ ପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। କୋଟଗଡ଼ ପଞ୍ଚାୟତ ସଭାପତି ତେଜେଶ୍ୱର ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ରଣନୀତି, ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଏକଜୁଟ କରିବା ଉପରେ ଆଲୋଚନା ହୋଇଥିଲା।
ଏଥିସହ ପଞ୍ଚାୟତ ସ୍ତରରେ କଂଗ୍ରେସର ସଂଗଠନକୁ ଅଧିକ ସକ୍ରିୟ କରିବା ସହ ଲୋକଙ୍କ ସମସ୍ୟା ଓ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ନେଇ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ କୋଟଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ସୁରଦା ପ୍ରଧାନଙ୍କ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ କଂଗ୍ରେସ କମିଟିର ବହୁ ସଦସ୍ୟ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ ଦଳକୁ ଅଧିକ ସଂଗଠିତ ଓ ମଜବୁତ କରିବା ନେଇ ନିଜ ନିଜର ମତାମତ ରଖିଥିଲେ। ବୈଠକ ମାଧ୍ୟମରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ସଜାଡ଼ିବା ଦିଗରେ ପ୍ରାରମ୍ଭିକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।




