ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ; ପାସ୍ ହାର ୯୫.୩୩ ପ୍ରତିଶତ, ଛାତ୍ରଙ୍କୁ ଟପିଲେ ଛାତ୍ରୀ
କଟକ, ୨/୫ : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଶୁକ୍ରବାର କଟକ ବୋର୍ଡ ଅଫିସ ଠାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ବର୍ଷ ପାସ୍ ହାର ୫.୩୩ ପ୍ରତିଶତ ରହିଥିବା ବେଳେ ମୋଟ ୫, ୧୯, ୨୫୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବଡ଼ କଥା ହେଲା ଏଥର ମାଟ୍ରିକ ପରୀକ୍ଷାରେ କରିଛନ୍ତି ଝିଅ। ମୋଟ ୨, ୬୩, ୨୨୨ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨, ୫୬, ୦୨୯ ଛାତ୍ର ପାସ୍ କରିଛନ୍ତି।
ସେହିଭଳି ଜିଲ୍ଲା ହିସାବରେ ଦେଖିଲେ ଗଜପତି ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି। ଯେତେବେଳେକି, କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ରହିଛି। ଏଥର ୩୩୧୦ ସ୍କୁଲ ଶତ ପ୍ରତିଶତ ସ୍କୋର କରିଛନ୍ତି। ଅବଶ୍ୟ ୩ ସ୍କୁଲରେ ଶୂନ ଫଳାଫଳ ରହିଛି। ଗଞ୍ଜାମ ଜିଲ୍ଲାରେ ୨୯୫ ସ୍କୁଲରେ ୧୦୦% ପାସ୍ ହାର ରହିଛି। ସେହିଭଳି ଏ୧ ଗ୍ରେଡରେ ସର୍ବାଧିକ ବାଲେଶ୍ବରର ୩୦୫ ଛାତ୍ରଛାତ୍ରୀ ରହିଛନ୍ତି। ତେବେ ଏଥର ମୋଟ ୧୭, ୦୫୫ ଛାତ୍ରଛାତ୍ରୀ ଅକୃତକାର୍ୟ୍ୟ ହୋଇଛନ୍ତି।
ଏ୧ ଗ୍ରେଡରେ ୨୪୫୬ ପିଲା ପାସ୍
ଏ୧ ଗ୍ରେଡରେ ୨,୪୫୬ ପିଲା ପାସ୍ କରିଥିବା ବେଳେ, ଏ୨ ଗ୍ରେଡରେ ୧୫,୬୮୧, ବି୧ରେ ୪୩,୫୬୫, ବି୨ରେ ୮୬,୧୦୩, ସି ଗ୍ରେଡରେ ୧,୨୯,୮୧୩, ଡି ଗ୍ରେଡରେ ୧,୪୦,୧୫୨ ଏବଂ ଇ ଗ୍ରେଡରେ ୯୫,୪୮୧ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି।
ବୋର୍ଡ ଓ୍ବେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ
ଛାତ୍ରଛାତ୍ରୀ ବୋର୍ଡ ଓ୍ବେବସାଇଟ www.bseodisha.ac.in ଏବଂ www.bseodisha.nic.inରେ ଲଗଇନ୍ କରି ଜାଣିପାରିବେ। ଏହା ସହ ମୋବାଇଲ ଏସଏମଏସ ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ରେଜଲ୍ଟ ଜାଣିପାରିବେ। ଏଥିପାଇଁ OR10 ଲେଖି ୫୬୭୬୭୫୦କୁ ପଠାଇବାକୁ ହେବ। ସେହିଭଳି ସୋମବାର ଠାରୁ ରିଚେକିଂ ପାଇଁ ଆବେଦନ ଆରମ୍ଭ ହେବ।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ଯାଏ ଚାଲିଥିଲା। ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷ ୪୬ ହଜାର ୮୭୬ ଜଣ ପିଲା ଫର୍ମ ଫିଲ୍ଅପ୍ କରିଥିଲେ କିନ୍ତୁ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୩୬ହଜାର ୯୪୬ ଛାତ୍ରଛାତ୍ରୀ । ପରୀକ୍ଷା ଦେଇନଥିଲେ ୯ ହଜାର ୯୩୦ ଛାତ୍ରଛାତ୍ରୀ । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ହାର ରହିଥିଲା ୧. ୮୧ ପ୍ରତିଶତ।




