ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର,୬/୭ :ଚାକିରି ଛାଡିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ସେ ରାଜ୍ୟ ସରକାରଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।
ବ୍ୟକ୍ତିଗତ କାରଣ ପାଇଁ ସେ ଚାକିରି ଛାଡୁଥିବା କଥା ଉଲ୍ଲେଖ କରିଛନ୍ତି ।ଏନେଇ ସରକାରୀ ସୂତ୍ରରୁ ସ୍ପଷ୍ଟ ହୋଇଛି । ତେବେ ସେ ଆଇପିଏସ ଚାକିରି ଛାଡିବା ପରେ କଣ କରିବେ ଏବେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ସରକାରଙ୍କ ପାଖରେ ଜଗମୋହନଙ୍କ ଇସ୍ତଫା ପତ୍ର ପହଁଚିଛି । ୩୭ ବର୍ଷୀୟ ଜଗମୋହନ ମୀନା ଆଇପିଏସ ଛାଡି କୌଣସି ବେସରକାରୀ ଅନୁଷ୍ଠାନରେ ସାମିଲ ହେବେ । ତେବେ ସରକାର ତାଙ୍କର ଇସ୍ତଫାପତ୍ରକୁ ଯାଞ୍ଚ କରୁଛନ୍ତି । ଏଯାଏଁ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇ ନାହିଁ ।
ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଜଗମୋହନଙ୍କର ଜଣେ ସମ୍ପର୍କୀୟଙ୍କର ଏକ ଘରୋଇ ଅନୁଷ୍ଠାନ ରହିଛି । ଯାହା ରାଜସ୍ଥାନରେ ଅବସ୍ଥିତ । ସେ ରାଜସ୍ଥାନରେ ଏହି ଅନୁଷ୍ଠାନରେ ଯୋଗଦେବେ । ତେବେ ଏନେଇ ଜଗମୋହନଙ୍କ ସହ ଯୋଗାଯୋଗ କରାଯିବାକୁ ପ୍ରୟାସ ହୋଇଥିଲା । କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଶ୍ରୀ ମୀନା ପ୍ରଥମେ ଅନୁଗୋଳର ଏସପି ଭାବେ ଦାୟିତ୍ୱରେ ରହିଥିଲେ । ଏହାପରେ ସେ ଗଞ୍ଜାମ ଜିଲ୍ଲାର ଏସପି ଦାୟିତ୍ୱରେ ଥିଲେ । ପରେ କଟକ ଡିସିପି ଭାବେ ଯୋଗ ଦେଇଥିଲେ । ଶେଷରେ ୨୦୨୫ ଫେବ୍ରୁଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ କାର୍ୟ୍ୟଭାର ଆରମ୍ଭ କରିଥିଲେ ।
ଅନ୍ୟ ଦିଗରେ ଶ୍ରୀ ମୀନାଙ୍କ ହଠାତ ଇସ୍ତଫାପତ୍ର ସମସ୍ତଙ୍କୁ ଆଚମ୍ବିତ କରିଛି । ତାଙ୍କ ସହକର୍ମୀମାନେ ଚକିତ ହୋଇ ପଡିଛନ୍ତି । ସେମାନେ ଏହାର କାରଣ ଜାଣିନାହାଁନ୍ତି । ଏହି ଖବର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ବୋଲି କିଛି ସହକର୍ମୀ ପ୍ରକାଶ କରିଛନ୍ତି ।




