ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ ଶ୍ରମିକଙ୍କ ଦାବି ପୂରଣ ନେଇ ‘ପ୍ରତିବାଦ ଦିବସ’ ପାଳନ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୭/୮: ଶ୍ରମିକଙ୍କ ଅଧିକାର, ସାମାଜିକ ସୁରକ୍ଷା, ନ୍ୟାୟସଙ୍ଗତ ଦରମା, ପେନସନ ଓ ଚାକିରି ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ସୋମବାର ଖୋରଧା ରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ‘ପ୍ରତିବାଦ ଦିବସ’ ପାଳନ କରାଯାଇଛି।
ସଂଘର କେନ୍ଦ୍ରୀୟ କାର୍ୟ୍ୟସମିତି ଵୈଠକ ନିଷ୍ପତି ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମିକ ଓ ସମର୍ଥକମାନେ ଏକାଠି ହୋଇ ସରକାରଙ୍କ ନିକଟରେ ଦୀର୍ଘଦିନର ଦାବିଗୁଡ଼ିକର ତ୍ୱରିତ ସମାଧାନ ଦାବି କରିଥିଲେ।
ଖୋରଧା ନୂଆ ବସ୍ଷ୍ଟାଣ୍ଡ ଅଞ୍ଚଳରେ ଶ୍ରମିକମାନଙ୍କ ସମାଗମ ହୋଇଥିଲା।
ପରେ ସେଠାରୁ ଏକ ବିଶାଳ ରାଲି ବାହାରି ସହରର ବିଭିନ୍ନ ରାସ୍ତା ଦେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଅଭିମୁଖେ ଯାଇଥିଲା। ଶ୍ରମିକଙ୍କ ଦାବି ସମ୍ବଳିତ ପ୍ଲାକାର୍ଡ ଓ ବ୍ୟାନର ଧରି ଅଂଶଗ୍ରହଣକାରୀମାନେ ସ୍ଲୋଗାନ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଲି ପହଞ୍ଚିବା ପରେ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ସଭା ରେ ଶ୍ରମିକ ମାନଙ୍କ ବିଭିନ୍ନ ଦାବି ଉପରେ ବକ୍ତାମାନେ ବିସ୍ତୃତ ଆଲୋଚନା କରିଥିଲେ। ଭାରତୀୟ ମଜଦୂର ସଂଘ ପକ୍ଷରୁ କୁହାଯାଇଥିଲା ଯେ, ଶ୍ରମିକଙ୍କ ଦରମା ଓ ସାମାଜିକ ସୁରକ୍ଷା ସହ ଜଡ଼ିତ ଅନେକ ପ୍ରସଙ୍ଗ ଦୀର୍ଘଦିନ ଧରି ସରକାରଙ୍କ ବିଚାରାଧୀନ ରହିଛି।
ଏଗୁଡ଼ିକର ଶୀଘ୍ର ସମାଧାନ ନହେଲେ ଶ୍ରମିକ ପରିବାର ଗୁଡ଼ିକ ଆର୍ଥିକ ଓ ସାମାଜିକ ଅନିଶ୍ଚିତତାର ସମ୍ମୁଖୀନ ହେବେ ବୋଲି ସଂଘ ଆଶଙ୍କା ପ୍ରକାଶ କରିଛି।
ସଂଘର ପ୍ରମୁଖ ଦାବି ମଧ୍ୟରେ କର୍ମଚାରୀ ରାଜ୍ୟ ବୀମା ନିଗମ ଦରମା ସୀ ମା ୨୧ ହଜାରରୁ ୪୨ ହଜାର ଟଙ୍କାକୁ ବୃଦ୍ଧି କରିବା, କର୍ମାଚାରୀ ଭବିଷ୍ୟନିଧି ର ନ୍ୟୁନତମ ପେନସନ ୧ ହଜାରରୁ ୭,୫୦୦ ଟଙ୍କାକୁ ବଢ଼ାଇବା ଏବଂ କର୍ମଚାରୀ ଭବିଷ୍ୟନିଧି ଦରମା ସୀମା ୩୦ ହଜାର ଟଙ୍କା କରିବା ରହିଛି।
ଏଥିସହ ବୋନସ ଗଣନା ସୀମା ୧୮ ହଜାର ଟଙ୍କା ଏବଂ ବୋନସ ଯୋଗ୍ୟତା ସୀମା ୪୨ ହଜାର ଟଙ୍କା କରିବାକୁ ମଧ୍ୟ ସଂଘ ଦାବି କରିଛି। ଅଙ୍ଗନବାଡ଼ି ଓ ଆଶା ଭଳି ସ୍କିମ୍ ଶ୍ରମିକଙ୍କ ମାନଦଣ୍ଡ ବୃଦ୍ଧି ଦିଗରେ ସରକାର ଗୁରୁତ୍ୱ ଦେବାକୁ ସଂଘ ଦାବି କରିଛି।
ଚୁକ୍ତିଭିତ୍ତିକ ଶ୍ରମିକଙ୍କ ପାଇଁ ‘ସମାନ କାମକୁ ସମାନ ଦରମା’ ନୀତି ଲାଗୁ କରିବା, ଶ୍ରମିକ ବିରୋଧୀ ବୋଲି ସଂଘ ଅଭିହିତ କରୁଥିବା ଶ୍ରମ ଆଇନର ଧାରାଗୁଡ଼ିକ ପ୍ରତ୍ୟାହାର କରିବା ଏବଂ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ପାଞ୍ଚଦିନିଆ କାର୍ୟ୍ୟ ସପ୍ତାହ ଲାଗୁ କରିବାକୁ ଦାବି ହୋଇଛି।
ସେହିପରି ଗ୍ରାଚୁଇଟି ସୀମା ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି, ଦେଶରେ ଜାତୀୟ ନ୍ୟୁନତମ ମାସିକ ଦରମା ୩୦ ହଜାର ଟଙ୍କା ନିର୍ଦ୍ଧାରଣ ଏବଂ ଜୀବନ ବୀମା ନିଗମର ଡେଭଲପମେଣ୍ଟ ଅଫିସରମାନଙ୍କୁ ପୂର୍ଣ୍ଣ ଚାକିରି ସୁରକ୍ଷା ପ୍ରଦାନ କରିବା ଦାବି ମଧ୍ୟ ଉଠିଛି।
ପୁରୁଣା ପେନସନ ଯୋଜନା ଲାଗୁ କରିବା ସହ ବିଭିନ୍ନ ସଂସ୍ଥାରେ ବେଆଇନ ଭାବେ ଛଟେଇର ଶିକାର ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦେବାକୁ ମଧ୍ୟ ସଂଘ ଦାବି କରିଛି। ଶ୍ରମିକଙ୍କ ଚାକିରି ସୁରକ୍ଷା ଓ ଭବିଷ୍ୟତର ସାମାଜିକ ନିରାପତ୍ତା ନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ସଭାରେ ବକ୍ତାମାନେ ମତ ଦେଇଥିଲେ।
ବକ୍ତାମାନେ କହିଥିଲେ ଯେ, ଦେଶର ଅର୍ଥନୈତିକ ବିକାଶରେ ଶ୍ରମିକଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଉଦ୍ୟୋଗର ବିକାଶ ସହ ଶ୍ରମିକଙ୍କ ଜୀବନମାନର ଉନ୍ନତି ମଧ୍ୟ ସମାନ ଭାବେ ଆବଶ୍ୟକ। ତେଣୁ ଶ୍ରମିକଙ୍କ ସାମାଜିକ ସୁରକ୍ଷା, ଉତ୍ତମ ଦରମା, ପେନସନ, ଚାକିରି ସୁରକ୍ଷା ଓ ସୁସ୍ଥ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବାକୁ ସରକାର ଦ୍ରୁତ ପଦକ୍ଷେପ ନେବା ଦରକାର। ସାଧାରଣ ସଭା ପରେ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଦାବିପତ୍ର ଖୋରଧା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।
ଏଥିରେ ଶ୍ରମିକଙ୍କ ବିଭିନ୍ନ ଦୀର୍ଘଦିନର ଦାବି ଓ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରାଯାଇ ତୁରନ୍ତ ସମାଧାନ ପାଇଁ ଦାବି କରାଯାଇଛି।
ସଙ୍ଘ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶ୍ରମିକ ସ୍ୱାର୍ଥରେ ଆବଶ୍ୟକ ପଦକ୍ଷେପ ନେବେ।
କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ଦାସ, ସତ୍ୟବ୍ରତ ପରିଡ଼ା, ରାଜ୍ୟ ସମ୍ପାଦିକା ତଥା ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନର ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ, ଖୋରଧା ଜିଲ୍ଲା ସଭାପତି ଅକ୍ଷୟ କୁମାର ରାଉତରାୟ, ଜିଲ୍ଲା ସମ୍ପାଦକ ଅମରେଶ ମହାପାତ୍ର, ସଂଗଠନ ମନ୍ତ୍ରୀ ପାର୍ଥସାରଥୀ ମହାନ୍ତିଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମିକ ଓ ସମର୍ଥକମାନେ ଯୋଗଦେଇଥିଲେ।
ଶ୍ରମିକଙ୍କ ନାର୍ୟ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଘର ଆନ୍ଦୋଳନ ଜାରି ରହିବ ଏବଂ ଆବଶ୍ୟକ ହେଲେ ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଖୋରଧା ରେ ଆୟୋଜିତ ଏହି ପ୍ରତିବାଦ ଦିବସ ମାଧ୍ୟମରେ ଶ୍ରମିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ପୁଣିଥରେ ସରକାରଙ୍କ ଦୃଷ୍ଟିକୁ ଆସିଛି।




