ବୌଦ୍ଧ ଜିଲ୍ଲା ମହାଳିକପଡ଼ା ପଞ୍ଚାୟତରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ : ୩୮ଟି ଅଭିଯୋଗର ଶୁଣାଣି, ୧୨ଟିର ତୁରନ୍ତ ସମାଧାନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୧୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହାଳିକପଡ଼ା ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନାଙ୍କ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ହରଭଙ୍ଗା ବିଡିଓ କର୍ଣ୍ଣ ସୁନା, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ନାଥ,ମହାଳିକପଡ଼ା ସରପଞ୍ଚ ଶ୍ରୀମତୀ ମାମିନି ବାଘ ଏବଂ ନାଏବ ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ଶିବିରରେ ମୋଟ ୩୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ଓ ୮ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ଅଭିଯୋଗକାରୀମାନଙ୍କ ସମସ୍ୟାକୁ ଧୈର୍ଯ୍ୟର ସହ ଶୁଣିବା ସହ ୧୨ଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ।
ଅବଶିଷ୍ଟ ଅଭିଯୋଗ ଗୁଡ଼ିକର ତ୍ୱରିତ ଓ ନିୟମାନୁଯାୟୀ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜଣେ ଅସହାୟ ବ୍ୟକ୍ତିଙ୍କୁ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ ତତ୍କାଳ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ସେଠାରେ ଉପସ୍ଥିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ ।
ରୋଗୀମାନଙ୍କୁ ଉତ୍ତମ, ଗୁଣାତ୍ମକ ଓ ସମୟୋଚିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ସେମାନଙ୍କ ପ୍ରତି ଉଚିତ ଯତ୍ନ ଓ ସମ୍ବେଦନଶୀଳ ଆଚରଣ ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହାପରେ ଜିଲ୍ଲାପାଳ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟକୁ ଯିବା ପାଇଁ ରହିଥିବା ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏହାର ଶୀଘ୍ର ସମାଧାନ ନିମନ୍ତେ ସମ୍ପୃକ୍ତ ତହସିଲଦାର ଓ ଅନ୍ୟ ଅଧିକାରୀମାନଙ୍କୁ ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିରର ପରିଚାଳନାରେ ଡେପୁଟି କଲେକ୍ଟର ପରିପୂର୍ଣ୍ଣା ଦେବୀ ଓ ମନସିତ୍ ସ୍ୱରୂପ ପ୍ରମୁଖ ସହଯୋଗ କରିଥିଲେ।
ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ୍ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।ଜନସାଧାରଣଙ୍କ ଦ୍ୱାରଦେଶରେ ପ୍ରଶାସନିକ ସେବା ପହଞ୍ଚାଇବା, ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ଏବଂ ସରକାରୀ ଯୋଜନାର ସୁଫଳ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏଭଳି ଜନ ଅଭିଯୋଗ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ।




