ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୦/୧୦: ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ନାମାଙ୍କନ ପ୍ରତ୍ୟାହାର ପରେ ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ବିଭିନ୍ନ ପଦବି ପାଇଁ ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଆସନ୍ତା ୧୫ ତାରିଖରେ ଭୋଟଗ୍ରହଣ ହେବାକୁ ଥିବାରୁ ଏବେ କ୍ୟାମ୍ପସରେ ନିର୍ବାଚନୀ ଚର୍ଚ୍ଚା ଜୋର ଧରିଛି।
ପ୍ରକାଶିତ ତାଲିକା ଅନୁଯାୟୀ, ସଭାପତି ପଦ ପାଇଁ ୭ ଜଣ, ଉପସଭାପତି ପଦ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ, ସହସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସହସମ୍ପାଦକ ପଦ ପାଇଁ ୩ ଜଣ, କ୍ରୀଡ଼ା ସମ୍ପାଦକ ପଦ ପାଇଁ ୪ ଜଣ ଏବଂ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ରହିଛନ୍ତି।
ସଭାପତି ପଦ ପାଇଁ ଜ୍ଞାନଦେବ ଉଠାଣସିଂ, ଶିବଶଙ୍କର ପ୍ରଧାନ, ଭେନୁସ କୁମାର ପ୍ରଧାନ, ସଂକେତ ନାୟକ, ଅଲିଭା ଦିଗଲ, ଶ୍ରୀଧର ସିଅ ଓ ଏଲୋନ ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ଅଭୟ ପାଟମାଝି, ଦୀପକ କୁମାର ପାତ୍ର, ଆୟୁଷ କୁମାର ଦାସ ଓ ଏଲିୟ ନାୟକ ପ୍ରାର୍ଥୀ ହୋଇଛନ୍ତି।
ସହସମ୍ପାଦକ ପଦ ପାଇଁ ଅଂଶୁମାନ ବେହେରା, ସମରେନ୍ଦ୍ର ପ୍ରଧାନ ଓ ଏଲିଆଶ ମଲ୍ଲିକ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଡିଏସଏ ସମ୍ପାଦକ ପଦ ପାଇଁ ରାକେଶ ବେହେରା, ଶୁଭ୍ର ଶୋଭିତ ନାୟକ ଓ ଇତି ନାୟକ ରହିଛନ୍ତି।
ଡିଏସଏ ସହ ସମ୍ପାଦକ ପଦ ପାଇଁ ପ୍ରିୟଙ୍କା ପଟ୍ଟନାୟକ, ବିଜୟ କହଁର ଓ ଅମ୍ଳାନ ନାୟକ ମଇଦାନରେ ଅଛନ୍ତି। ଅନ୍ୟପକ୍ଷରେ କ୍ରୀଡ଼ା ସମ୍ପାଦକ ପଦ ପାଇଁ ଇଶାକ ନାୟକ, ଶିବୁ ମଝିଆସେଠ, ଏସ୍. ଶୁଭଶ୍ରୀ ପାତ୍ର ଓ ତୁଷାର ପାତ୍ର ଲଢ଼ୁଥିବା ବେଳେ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ଏଞ୍ଜେଲ ନାୟକ, ରାମ ମଲ୍ଲିକ ଓ ସୌମ୍ୟରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।
ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ଅବାଧ ରଖିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲିଙ୍ଗଡୋ କମିଶନଙ୍କ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ଓ ଛାତ୍ର ସଂଗଠନ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ନେଇ ପ୍ରଚାର ଆରମ୍ଭ କରିବେ। ୧୪ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହାପରେ ୧୫ ତାରିଖରେ ମତଦାନ ଏବଂ ୧୬ ତାରିଖରେ ବିଜୟୀ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।
ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ତେଜେଶ୍ୱର ନାୟକ ଦାୟିତ୍ୱ ତୁଲାଉଥିବା ବେଳେ ସହନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ରହିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ୟ୍ୟ ଏହି ସୂଚନା ଦେଇଛନ୍ତି।
ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳଦେବୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା: ଭାରତଲୀଳା ଓ ପ୍ରସାଦ ସେବନ ମୁଖ୍ୟ ଆକର୍ଷଣ
ବାଲିଗୁଡ଼ା, ୧୦/୧୦ : ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ାରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ସୃଷ୍ଟି ହେବାକୁ ଯାଉଛି। ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳଦେବୀଙ୍କ ପୀଠରେ ଆସନ୍ତା ଅକ୍ଟୋବର ୧୧ ତାରିଖ ରବିବାରଠାରୁ ଶାରଦୀୟ ନବଦିନାତ୍ମକ ପୂଜା ଆରମ୍ଭ ହୋଇ ୧୯ ତାରିଖ ସୋମବାର ପର୍ଯ୍ୟନ୍ତ ଚାଲିବ।
ଏହି ଅବସରରେ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା, ଚଣ୍ଡୀପାଠ, ହୋମଯଜ୍ଞ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ।
ପୂଜାର ପ୍ରଥମ ଦିନ ଅକ୍ଟୋବର ୧୧ ତାରିଖ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ମା’ଙ୍କ ଆବାହନ ସହ ନବରାତ୍ର ପୂଜା କଳସ ଯାତ୍ରା ସକାଳ ୯ଟାରେ ଅନୁଷ୍ଠିତ ହେବ। ଏହାପରେ ଅଧିବାସ, ଦେବତା ପ୍ରତିଷ୍ଠା ସମ୍ବନ୍ଧୀୟ ବିଧି, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ, ହୋମ, ଆଳତି ଓ ପୁଷ୍ପାଞ୍ଜଳି ଆଦି ଧାର୍ମିକ ରୀତିନୀତି ସମ୍ପନ୍ନ ହେବ।
ନବରାତ୍ରର ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଦେବତା ପୂଜା, ଚଣ୍ଡୀପାଠ, ମହାପୂଜା, ମହାଆଳତି ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ।ଅକ୍ଟୋବର ୧୮ ତାରିଖ ରବିବାର ମହାଷ୍ଟମୀ ଅବସରରେ ସ୍ୱତନ୍ତ୍ର ପୂଜାବିଧି ସହ ସପ୍ତଶତୀ ଚଣ୍ଡୀପାଠ, ଚଣ୍ଡୀହୋମ ଓ ମହାଆଳତି ଆୟୋଜନ କରାଯିବ।
ଏହି ଦିନ ରାତି ୮ଟାରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଏଥିସହ ଗଞ୍ଜାମର ପ୍ରସିଦ୍ଧ ଲୋକନାଟକ ଭାରତଲୀଳା ‘ସୁଭଦ୍ରା ପରିଣୟ’ ପରିବେଷଣ କରାଯିବାର କାର୍ୟ୍ୟକ୍ରମ ରହିଛି।
ଧାର୍ମିକ ପରମ୍ପରା ସହ ଏହି ଲୋକକଳାର ସମାହାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟତମ ଆକର୍ଷଣ ହେବ। ଅକ୍ଟୋବର ୧୯ ତାରିଖ ସୋମବାର ମହାନବମୀ ଅବସରରେ ମହାସ୍ନାନ, ସନ୍ଧିପୂଜା, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ, ସର୍ବଦେବାଦେବୀ ହୋମ, ପୂର୍ଣ୍ଣାହୁତି, ଆଳତୀ ଓ ପୁଷ୍ପାଞ୍ଜଳି ଆଦି ବିଧି ସମ୍ପନ୍ନ ହେବ। ଏହି ଦିନ ଦିବା ୧୦ଟା ୨୮ ମିନିଟ୍ରୁ ୧୧ଟା ୨୬ ମିନିଟ୍ ମଧ୍ୟରେ ସନ୍ଧିପୂଜା ଅନୁଷ୍ଠିତ ହେବା ସହ ଘଟ ବିସର୍ଜନରେ ପୂଜାର ଧାର୍ମିକ ପର୍ଯ୍ୟାୟ ସମାପନ ହେବ।
ମା’ ବରାଳଦେବୀଙ୍କ ଏହି ନବଦିନାତ୍ମକ ଶାରଦୀୟ ପୂଜା ବାଲିଗୁଡ଼ାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ଅବସରରେ ମା’ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ପ୍ରସାଦ ସେବନ ପାଇଁ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା ରହିଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସାଂଗଠନିକ ଶକ୍ତି ପରୀକ୍ଷା : ନବୀନ ନିବାସରେ କନ୍ଧମାଳ ନେତାଙ୍କ ମାନସ ମନ୍ଥନ, ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
ବାଲିଗୁଡ଼ା, ୧୦/୧୦ : ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ତତ୍ପରତା ବଢ଼ୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦଳୀୟ ସଂଗଠନକୁ ପୁନର୍ବାର ସୁଦୃଢ଼ କରିବା ଦିଗରେ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କନ୍ଧମାଳ ଜିଲ୍ଲାର କିଛି ଦଳୀୟ ନେତା ଭେଟି ଆଗାମୀ ନିର୍ବାଚନୀ ରଣନୀତି ଓ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିବା ଜଣାପଡ଼ିଛି।
ବିଶେଷକରି ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ଦଳର ସାଂଗଠନିକ ସ୍ଥିତିକୁ ମଜଭୁତ କରିବା ସହ ଗାଁଠାରୁ ସହର ପର୍ୟ୍ୟନ୍ତ କର୍ମୀ ଓ ସମର୍ଥକଙ୍କୁ ଏକଜୁଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାଯାଇଛି।
ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତିରେ ଦଳର ସ୍ଥିତିକୁ ଅଧିକ ମଜଭୁତ କରିବା ଏବେ ନେତୃତ୍ୱ ପାଇଁ ଏକ ପ୍ରମୁଖ ଆହ୍ୱାନ ହୋଇଛି। ଅନ୍ୟପକ୍ଷରେ, କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ ଦଳୀୟ ସଂଗଠନକୁ ଆଗକୁ ନେବା ସହ ତୃଣମୂଳ ସ୍ତରରେ ଦଳର ଭିତ୍ତିଭୂମି ମଜଭୁତ କରିବା ଦିଗରେ ପ୍ରୟାସ ଚାଲିଥିବା ଦଳୀୟ ମହଲରେ ଆଲୋଚନା ହେଉଛି।
ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ସଫଳତା ପାଇଁ ସ୍ଥାନୀୟ ନେତୃତ୍ୱର ସକ୍ରିୟତା, କର୍ମୀଙ୍କ ଏକତା ଓ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଛି।
ଏହି ଆଲୋଚନାରେ ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜୀବ ପାତ୍ର, ବରିଷ୍ଠ ବିଜେଡି ନେତା କ୍ଳେଶ ପ୍ରଧାନ ଏବଂ ସମାଜସେବୀ ତଥା ସ୍ୱେଚ୍ଛାସେବୀ ସଂସ୍ଥାର ନିର୍ଦ୍ଦେଶକ ଅମିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ନବୀନ ନିବାସରେ ହୋଇଥିବା ଏହି ସାକ୍ଷାତ ଓ ଆଲୋଚନା ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ବିଜେଡିର ସାଂଗଠନିକ ଦିଗକୁ କେତେ ନୂଆ ଗତି ଦେଉଛି ଏବଂ ବାଲିଗୁଡ଼ାରେ ଦଳ କିପରି ନିଜର ରାଜନୈତିକ ଆଧାରକୁ ସୁଦୃଢ଼ କରୁଛି, ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।
ଦୁର୍ଗାପୂଜା ଓ ଭସାଣି ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ : ଡିଜେ ବ୍ୟାନ୍ : ବିକଟାଳ ଶବ୍ଦ କରୁଥିବା ବାଇକ୍ ଚାଳକଙ୍କ ଉପରେ ବି କଡ଼ା ନଜର, ସାଇଲେନ୍ସର ହଟାଇବାକୁ ନିର୍ଦ୍ଦେଶ
ବାଲିଗୁଡ଼ା, ୧୦/୧୦ : ଶାରଦୀୟ ଦୁର୍ଗାପୂଜା ଓ ଭସାଣିକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବାକୁ ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନର କଡ଼ା ଆଭିମୁଖ୍ୟ। ପୂଜା ଓ ଭସାଣି ଶୋଭାଯାତ୍ରାରେ ଡିଜେ ବାଜା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବା ବେଳେ ବିକଟାଳ ଶବ୍ଦ କରି ଦ୍ରୁତଗତିରେ ବାଇକ୍ ଚଳାଉଥିବା ଚାଳକଙ୍କ ଉପରେ ମଧ୍ୟ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାଇକ୍ରେ ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଲଗାଇ ଚଳାଉଥିବା ଚାଳକଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି। ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ପୂଜା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସାଧାରଣ ଜନଜୀବନକୁ ସୁରୁଖୁରୁରେ ଚଳାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ବ୍ଲକର ଦୁର୍ଗାପୂଜା କମିଟି ସଦସ୍ୟ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଟ୍ରାଫିକ୍ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଏବଂ ଗାଡ଼ି ପାର୍କିଂ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା।
ପୂଜା ଓ ଭସାଣି ସମୟରେ ଅଯଥା ଭିଡ଼, ଶବ୍ଦ ପ୍ରଦୂଷଣ ଏବଂ ଟ୍ରାଫିକ୍ ସମସ୍ୟା ଯେପରି ସୃଷ୍ଟି ନ ହୁଏ, ସେଥିପାଇଁ ପୂଜା କମିଟିଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି।
ଡିଜେ ବାଜା ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବହାର କରି ପୂଜା ଓ ଭସାଣି ଉତ୍ସବ ପାଳନ କରିବାକୁ ଉପଜିଲ୍ଲାପାଳ ସମସ୍ତ ପୂଜା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି।
ପର୍ବପର୍ବାଣିର ଆନନ୍ଦ ଓ ଉତ୍ସାହ ମଧ୍ୟରେ ଶାନ୍ତି, ଶୃଙ୍ଖଳା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।
ଶବ୍ଦ ପ୍ରଦୂଷଣ ଓ ବେପରୁଆ ବାଇକ୍ ଚାଳନା ଉପରେ ପ୍ରଶାସନର ଏହି କଡ଼ା ଆଭିମୁଖ୍ୟ ଚଳିତ ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ଦିଗରେ ଏକ ପଦକ୍ଷେପ ବୋଲି ଆଶା କରାଯାଉଛି।




