ଫୁଲବାଣୀ ଓକିଲ ସଂଘର ନିର୍ବାଚନ: ସଭାପତି ଭଗବାନ ମହାନ୍ତି ଓ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ନିର୍ବାଚିତ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୮/୩ : ଓଡିଶା ଷ୍ଟେଟ ବାର କାଉନସିଲରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଓଡିଶାରେ ପ୍ରତ୍ୟେକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶନିବାର ଆରମ୍ଭ ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଠିକ୍ ସମୟରେ ସମସ୍ତ ପ୍ରତିଦ୍ଵନ୍ଦୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି।
ସେହିପରି ଉପସଭାପତି ଭାବେ ଜୟନ୍ତ କୁମାର ମହାନ୍ତି, ସହ ସମ୍ପାଦକ ଶ୍ରୀମତୀ ନମିତା ସାହୁ, ଲାଇବ୍ରେରୀ ସମ୍ପାଦକ ଭାବେ ମଧୁ ସୁଦନ ପଣ୍ଡା, କୋଷାଧ୍ୟକ୍ଷ ଭାବେ ଏଲ.ସଞ୍ଜିତ ପାତ୍ର ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ଅଗସ୍ତି ଜାନି, ବୀଣାପାଣି ପ୍ରଧାନ, ବିରେନ୍ଦ୍ର କୁମାର ସୁବୁଦ୍ଧି, ବିଶ୍ବଜିତ ପଟ୍ଟନାୟକ,ଚନ୍ଦ୍ର ଶେଖର ପରିଡା,ଦୁର୍ଗା ଶଙ୍କର ପଟ୍ଟନାୟକ, ଜୟନ୍ତୀ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ସେନାପତି,ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନ ଜୀବି ଅସୀମ ପ୍ରହରାଜ ଘୋଷଣା କରିଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପରେ ଫୁଲବାଣୀ ବାର ସଙ୍ଘର ପୂର୍ବତନ ସଭାପତି ଚନ୍ଦ୍ର ଶେଖର ପରିଡା ସମ୍ପାଦକ ବୀରେନ୍ଦ୍ର କୁମାର ସୁବୁଦ୍ଧି, ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ପ୍ରମୁଖ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ବାଗତ ଓ ସମ୍ବଦ୍ଧନା ଜଣାଇଥିଲେ ।
ଏଥି ସହିତ ଆସନ୍ତା ସପ୍ତାହରେ ପୂର୍ବତନ କର୍ମକର୍ତ୍ତା ନୂତନ କର୍ମ କର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି ପ୍ରକାଶ କରିଛନ୍ତି ।
ବାଲିଗୁଡା ଓକିଲ ସଂଘ ନିର୍ବାଚନ : ହରିଶ୍ଚନ୍ଦ୍ର ସଭାପତି, ଅନୀଲ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ
ବାଲିଗୁଡା, ୨୮/୩ : ରାଜ୍ୟ ବାର୍ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି।
ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇ ୪ଟା ପରେ ଭୋଟ ଗଣତି କରାଯାଇଥିଲା । ଏଥିରେ ସଭାପତି ଭାବେ ଟି. ହରିଶ୍ଚନ୍ଦ୍ର ରାଓ, ଉପସଭାପତି ଭାବେ ରାମକୃଷ୍ଣ ଦାସ, ସମ୍ପାଦକ ଭାବେ ଅନିଲ କୁମାର ଦାସ, ସହ ସମ୍ପାଦକ ଭାବେ ନୀଳାଦ୍ରି କେଶରୀ ସାହାଣୀ, କୋଷାଧକ୍ଷ ଭାବେ ମାନସ ରଞ୍ଜନ ପଣ୍ଡା, ଲାଇବ୍ରେରୀ ସମ୍ପାଦିକା ଭାବେ ନିବେଦିତା ମଲ୍ଲିକ, ଏବଂ ସହକାରୀ ଲାଇବ୍ରେରୀ ସମ୍ପାଦିକା ଭାବେ ତନ୍ମୟୀ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବିଷୟ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନ ପ୍ରକାଶ କରିଛନ୍ତି ।
ସେଥି ମଧ୍ୟରେ ଉପସଭାପତି ପଦ ପାଇଁ ଦୁଇ ଜଣ ଦକ୍ଷ ପ୍ରାଥୀ ରାମକୃଷ୍ଣ ଦାସ ଓ ରାମଚନ୍ଦ୍ର ସିଂ ପାତ୍ର ମଇଦାନ ରେ ଥିବା ବେଳେ ମୋଟ ଭୋଟ ୩୬ ଟି ମଧ୍ୟରୁ ୩୧ଟି ଭୋଟ ଶ୍ରୀ ଦାସ ପାଇ ବିଜୟୀ ହୋଇଥିବା ବେଳେ ଶ୍ରୀ ପାତ୍ର ମାତ୍ର ୩ ଟି ଭୋଟ ପାଇ ପରାଜିତ ହୋଇଥିଲେ ।
ଦୁଇଟି ଭୋଟ ନାକଚ ହୋଇଥିବା ବେଳେ ସଭାପତି, ସମ୍ପାଦକ ଓ କୋଷାଧକ୍ଷ ପଦବୀ ନିମନ୍ତେ କେହି ପ୍ରତିଦ୍ବନ୍ଦୀ ନ ଥିବାରୁ ସେମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବିଷୟ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନ ପ୍ରକାଶ କରିଛନ୍ତି । ନିର୍ବାଚନ ଫଳାଫଳ ଘୋଷଣା ପରେ ବାଲିଗୁଡା ଓକିଲ ସଂଘ ତରଫରୁ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ।
ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ : ପାଇପ୍ ଲାଇନ୍ ବିଛାଇ ନଷ୍ଟ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା
ବାଲିଗୁଡ଼ା, ୨୮/୩ : ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ନେଇ ଦେଖାଦେଇଛି ଅସନ୍ତୋଷ ।
ଗାଁ କୁ ଗାଁ ସଂଯୋଗୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧିନ ରାସ୍ତାକୁ ନଷ୍ଟ କରୁଛି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟରତ ଠିକା ସଂସ୍ଥା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତରେ ।
ଗାଁ କୁ ଗାଁ ସଂଯୋଗୀକରଣ କରିବା ପାଇଁ ବାଲିଗୁଡ଼ା ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ବାରା ସିଦ୍ରିଗାଁ ପଞ୍ଚାୟତର ମାଣିକୁଟୀ ଠାରୁ ଜରିସୁଗା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଚାଲିଛି ।
କିନ୍ତୁ ରାସ୍ତା କାମ ନ ସରୁଣୁ ନିୟମ ଉଲ୍ଲଂଘନ କରି ଗ୍ରାମ୍ୟ ଜଳଯୋଗାଣ ଦ୍ବାରା ନିର୍ମାଣଧିନ ମେଗା ଜଳଯୋଗାଣର ଠିକା ସଂସ୍ଥା ମନମୁଖୀ ଭାବେ ନିର୍ମାଣଧିନ ପିଚୁ ରାସ୍ତା କଡ଼ରେ ଜେସିବି ଦ୍ବାରା ଖୋଳି ପାଣି ପାଇପ୍ ବିଛାଇବା ସହ ନିର୍ମାଣଧିନ ରାସ୍ତା କ୍ଷତିଗ୍ରସ୍ତ କରୁଥିବା ଅଭିଯୋଗ ହୋଇଛି ।
ଠିକା ସଂସ୍ଥା କର୍ମଚାରୀ ଓ ଗ୍ରାମବାସୀ ଏହାକୁ ବିରୋଧ କରିବା ସତ୍ତ୍ୱେ ସମ୍ପୃକ୍ତ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି ।
କେବଳ ଏହି ରାସ୍ତା ନୁହେଁ ବରଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଅନେକ ରାସ୍ତା ସମ୍ପୃକ୍ତ ମେଗା ଜଳଯୋଗାଣ ପ୍ରକଳ୍ପର ଠିକା ସଂସ୍ଥା ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏନେଇ ଠିକା ସଂସ୍ଥା କର୍ମଚାରୀ ଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନଥିବା ବେଳେ ଗ୍ରାମ୍ୟଉନ୍ନୟନ ବିଭାଗ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବାରମ୍ବାର କହିବା ସତ୍ତ୍ୱେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ରାତିଅଧିଆ ଜେସିବି ଲଗାଇ ଗାତ ଖୋଳି ପାଣି ପାଇପ୍ ବିଛାଇବା ସହ ରାସ୍ତା ନଷ୍ଟ କରିଥିବା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଶ୍ୟାମସୁନ୍ଦର ସିଂ।
ଏଥିସହିତ ଏଥିପ୍ରତି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉଭୟ ବିଭାଗର କାର୍ଯ୍ୟ ଯେଭଳି ସଠିକ୍ ଭାବରେ ହୋଇପାରିବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।
ମର୍ଯ୍ୟଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ ପାଳିତ
ବାଲିଗୁଡା, ୨୮/୩ : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ଟାଉନ ର ଶ୍ରୀ ଶ୍ରୀ ହନୁମାନ ମନ୍ଦିର, ପାଟଖଣ୍ଡା ମନ୍ଦିର ପରିସର ଶ୍ରୀଜଗନ୍ନାଥ ମନ୍ଦିର ପରିସର, ସବ ଜେଲ ନିକଟସ୍ଥ ହନୁମାନ ମନ୍ଦିର, ଶ୍ରୀରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ପାଠ, ନାମ ସଂକୀର୍ତ୍ତନ, ହୋମ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ରାମ ନବମୀ ପାଇଁ ସମସ୍ତ ମନ୍ଦିର ପରିସର ପ୍ରତ୍ୟୁଷ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ପରିଲକ୍ଷିତ ହୋଇଥିଲା ।
ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସାଇ ଗ୍ଲୋବାଲ ସ୍କୁଲ ପରିସରରେ ମଧ୍ୟ ହୋମ ପୂଜା ଵିଧି କରାଯାଇ ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ବିଷୟରେ କିଛି ଉପଦେଶ ଦେବା ପରେ ଏକ ସୁସଜ୍ଜିତ ରଥରେ ଶୋଭାଯାତ୍ରା ରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ମାତା ସୀତା ଓ ହନୁମାନ ବେଶରେ ଛାତ୍ରଛାତ୍ରୀ ମାନେ ସୁସଜ୍ଜିତ ହୋଇ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ମନ୍ଦିରକୁ ଯାଇ ଠାକୁରଙ୍କର ଦର୍ଶନ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପଥ ସଞ୍ଚାଳନ ହୋଇଥିଲା । ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ଝୋଟି ଚିତା ପକାଇ କଳସ ସ୍ଥାପନ କରି ଘରେ ଘରେ ମା ଓ ମାଉସୀ ମାନେ ପ୍ରଭୁ ରାମଙ୍କ ପାଦ ଧୋଇ ସ୍ଵାଗତ କରିଥିଲେ ।
ଲୋପ ପାଇବାକୁ ବସିଥିବା ଆମ ସଂସ୍କୃତିକୁ ଶିଶୁ ମନରେ ଜାଗ୍ରତ କରିବା ଓ ପ୍ରଭୁ ରାମଚନ୍ଦ୍ରଙ୍କ ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବା ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ସାଇ ଗ୍ଲୋବାଲ ସ୍କୁଲର ଅଧ୍ୟକ୍ଷ ରବି ନାରାୟଣ ମିଶ୍ର ପ୍ରକାଶ କରିଛନ୍ତି ।
ବାଲିଗୁଡା ସହରବାସୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ ଓ ଅଭିନନ୍ଦନ କରି ଉପଭୋଗ କରିଥିଲେ । ଶିକ୍ଷା ସହ ଏଭଳି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରୁଥିବାରୁ ଅନୁଷ୍ଠାନର ସେବାବ୍ରତୀ ମାନେ ଲୋକମାନଙ୍କ ଦ୍ୱାରା ବେଶ୍ ଉଚ୍ଛ୍ଵସିତ ଓ ପ୍ରଶଂସିତ ହୋଇଥିବା ଦେଖିବାକୁ ମିଳିଥିଲା ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ପ୍ରଧାନାଚାର୍ଯ୍ୟ, ଗୁରୁଜୀ, ଗୁରୁମା, ପ୍ରିନ୍ସପାଲ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଏଏମସିଏସ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଗୁଡା, ୨୮/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଏଏମସିଏସ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ କର୍ମଠ ହେବା ସହ ନିଜ ନିଜର ଲକ୍ଷକୁ ହାସଲ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।
ସେହିପରି ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ କେଶରୀ ଷଡ଼ଙ୍ଗୀ ଯୋଗଦେଇ ଆଜ୍ଞାଦିନ ହେବା ସହ ଲକ୍ଷରେ ବିଫଳ ହେଲେ ମଧ୍ୟ ସଫଳତା ଆଡକୁ ଅଗ୍ରସର ହେବା ନିମନ୍ତେ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ସୁତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାଷା ପ୍ରତିଷ୍ଠାନ, ଓଡିଶା ସରକାର ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇ ଥିଲେ ।
ଏହି ଅବସରରେ ନୂତନ ଭାବେ ନିର୍ମିତ ଇ-ଲାଇବ୍ରେରୀ କୋଠା ମଧ୍ୟ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ଓ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧକ୍ଷ ଦୀନବନ୍ଧୁ ମହାନ୍ତି ଅତିଥି ମାନଙ୍କ ର ପରିଚୟ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରତନ ଦିଗାଳଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।




