Odisha News

ଦୁର୍ଗନ୍ଧମୟ,ଅଳିଆ ଆବର୍ଜନା ଭର୍ତ୍ତି ପାଣିରେ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ : ପୌର ପ୍ରଶାସନର ଦୂରଦୃଷ୍ଟିର ଅଭାବକୁ ନେଇ ଅସନ୍ତୋଷ; କୃତ୍ରିମ ପୋଖରୀ ନିର୍ମାଣ ପାଇଁ ଦାବି

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୩୧/୧୦ : ପାର୍ବଣ ଋତୁରେ ଭକ୍ତି, ଶ୍ରଦ୍ଧା ଓ ଧାର୍ମିକ ଭାବନାର ସହିତ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ପାଳନ କରାଯାଉଥିବାବେଳେ ଖୋରଧା ସହରରେ ମୂର୍ତ୍ତି ବିସର୍ଜନ ପାଇଁ ଚିହ୍ନଟ ସ୍ଥାନକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଅଳିଆ ଆବର୍ଜନା, ମଇଳା ପାଣି ଓ ଦୁର୍ଗନ୍ଧମୟ ପରିବେଶରେ ଭରି ରହିଥିବା ଏକ ପରିତ୍ୟକ୍ତ ପଥର ଖଣିରେ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ପୌର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ଏଭଳି ସ୍ଥାନରେ ଦେବୀଙ୍କ ମୂର୍ତ୍ତି ବିସର୍ଜନ କରାଯିବା ଧାର୍ମିକ ଭାବନାକୁ ଆଘାତ ଦେବା ସହ ପ୍ରଶାସନର ଦୂରଦୃଷ୍ଟିର ଅଭାବକୁ ପଦାରେ ପକାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଖୋରଧା ସହରରେ ବର୍ତ୍ତମାନ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ଧୁମ୍‌ଧାମରେ ପାଳନ କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ୪୦ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଚାଲିଛି।
ଏହି ଅବସରରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହିତ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି। ପୂଜା ଶେଷରେ ମା’ଙ୍କ ମୂର୍ତ୍ତିକୁ ଶ୍ରଦ୍ଧା ଓ ଭକ୍ତିର ସହିତ ବିସର୍ଜନ କରିବା ପାଇଁ ପ୍ରତିବର୍ଷ ଭସାଣି ଉତ୍ସବର ଆୟୋଜନ କରାଯାଉଛି। ଚଳିତବର୍ଷ ମଧ୍ୟ ପୌର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ନଭେମ୍ବର ୧ ତାରିଖ ରବିବାର ଦିନ ସହରରେ ମିଳିତ ଭସାଣି ଉତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।
ଏଥିପାଇଁ ପୌର ପ୍ରଶାସନ ପକ୍ଷରୁ ଟିଏଲ୍‌ସି ରାସ୍ତାରେ ଥିବା ଏକ ପରିତ୍ୟକ୍ତ ପଥର ଖଣିକୁ ମୂର୍ତ୍ତି ବିସର୍ଜନ ସ୍ଥଳ ଭାବେ ଚିହ୍ନଟ କରାଯାଇଛି। ସେଠାରେ ଭସାଣି ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି।
ତେବେ ଯେଉଁ ସ୍ଥାନରେ ମୂର୍ତ୍ତି ବିସର୍ଜନ କରିବାକୁ ଯୋଜନା କରାଯାଇଛି, ସେହି ସ୍ଥାନର ବାସ୍ତବ ଚିତ୍ର ଏବେ ଅନେକଙ୍କୁ ଚିନ୍ତାରେ ପକାଇଛି। ଦୀର୍ଘବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏହି ପଥର ଖଣିଟି ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିବାବେଳେ ଏହା ଭିତରେ ଜମି ରହିଥିବା ପାଣି ମଧ୍ୟ ଦୂଷିତ ହୋଇପଡ଼ିଛି।
ଏଭଳି ସ୍ଥିତିରେ ସେଠାରେ ଦେବୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଯିବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ଏହି ଖଣିଟିର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହାର ଚାରିପାଖରେ ନିୟମିତ ଭାବେ ଅଳିଆ ଆବର୍ଜନା ପକାଯାଉଥିବାରୁ ଏହି ଅଞ୍ଚଳ ଅପରିଷ୍କାର ହୋଇପଡ଼ିଛି।
ଖଣି ଭିତରେ ଜମି ରହୁଥିବା ପାଣିରେ ବିଭିନ୍ନ ପ୍ରକାରର ଆବର୍ଜନା ମିଶୁଥିବାରୁ ପାଣିର ଗୁଣବତ୍ତା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏପରିକି ଗ୍ରୀଷ୍ମ ଓ ଶୀତ ଋତୁରେ ଖଣି ନିକଟବର୍ତ୍ତୀ ଅଞ୍ଚଳରେ କେତେକ ବ୍ୟକ୍ତି ମଳତ୍ୟାଗ କରୁଥିବା ଅଭିଯୋଗ ହୋଇଛି। ଫଳରେ ଖଣି ଚାରିପାଖରେ ସ୍ୱଚ୍ଛତା ରକ୍ଷା କରିବା ଏକ ବଡ଼ ସମସ୍ୟା ହୋଇ ରହିଛି।
ଏହା ସହିତ ଖୋରଧା ସହରରେ ଥିବା ନର୍ସିଂହୋମ୍ ଗୁଡିକରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗାଡ଼ିରେ ଆଣି ଏହି ଖଣି ନିକଟରେ ଫିଙ୍ଗାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯଦି ଏହି ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଏହା କେବଳ ପରିବେଶ ପ୍ରଦୂଷଣର ବିଷୟ ନୁହେଁ, ବରଂ ବର୍ଜ୍ୟବସ୍ତୁର ସୁରକ୍ଷିତ ପରିଚାଳନାକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି। ଏହି ଅଭିଯୋଗର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ଖଣି ନିକଟରେ ବସବାସ କରୁଥିବା କେତେକ ପରିବାର ନିଜ ଘରର ଶୌଚାଳୟରୁ ବାହାରୁଥିବା ଆବର୍ଜନା ପାଣି ଖଣି ଭିତରକୁ ଛାଡ଼ୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏଭଳି ବିଭିନ୍ନ ଉତ୍ସରୁ ଆବର୍ଜନା ମିଶିବା ଫଳରେ ଖଣିର ପାଣି ଦୂଷିତ ହେବା ସହିତ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ୁଥିବା କୁହାଯାଉଛି। ବର୍ଷାଦିନେ ଖଣିରେ ପାଣି ଜମି ରହିବା ପରେ ଏହା ଅଧିକ ଦୁର୍ଗନ୍ଧମୟ ହୋଇପଡ଼ୁଛି। ଏପରିକି ଖଣି ଚାରିପାଖରେ ମଧ୍ୟ ଲୋକେ ମଳତ୍ୟାଗ କରୁଥିବାରୁ ସେହି ଅଞ୍ଚଳର ପରିବେଶ ଦୂଷିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ଏଭଳି ଅବ୍ୟବସ୍ଥା ଦୀର୍ଘଦିନ ଧରି ଲାଗିରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ପୌର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ନେଇ ଅସନ୍ତୋଷ ବଢ଼ୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପାର୍ବଣ ଋତୁ ଆସିଲେ ପୌର ପ୍ରଶାସନ ପକ୍ଷରୁ ଖଣି ଚାରିପାଖ ସଫା କରାଯାଉଛି। କିନ୍ତୁ ଏହା କେବଳ ସାମୟିକ ସଫେଇରେ ସୀମିତ ରହୁଛି। ଖଣି ଭିତରେ ଜମି ରହିଥିବା ଦୂଷିତ ପାଣିର ଉପଯୁକ୍ତ ନିଷ୍କାସନ, ଅଳିଆ ଆବର୍ଜନାର ନିୟନ୍ତ୍ରଣ ଏବଂ ପରିବେଶର ସ୍ଥାୟୀ ସୁରକ୍ଷା ଦିଗରେ ଠୋସ୍ ପଦକ୍ଷେପ ନିଆଯାଉନାହିଁ। ଫଳରେ ପ୍ରତିବର୍ଷ ପୂଜାପାର୍ବଣ ସମୟରେ ଏହି ସମସ୍ୟା ପୁନର୍ବାର ମୁଣ୍ଡ ଟେକୁଛି।
ବିଶେଷକରି ଗଣେଶ ପୂଜା ସମୟରେ ମଧ୍ୟ ଏହି ଦୂଷିତ ପାଣିରେ ଗଣେଶଙ୍କ ମୂର୍ତ୍ତି, ମା ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରାଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ ସେହି ସ୍ଥାନକୁ ଚିହ୍ନଟ କରାଯିବା ପରେ ପୌର ପ୍ରଶାସନର ନିଷ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଧାର୍ମିକ ଉତ୍ସବରେ ଦେବଦେବୀଙ୍କ ମୂର୍ତ୍ତି ବିସର୍ଜନ କେବଳ ଏକ ପରମ୍ପରା ନୁହେଁ, ଏହା ସହିତ ଭକ୍ତଙ୍କ ଆସ୍ଥା ଓ ଭାବନା ଜଡ଼ିତ। ତେଣୁ ଏଭଳି ପବିତ୍ର କାର‌୍ୟ୍ୟ ପାଇଁ ଏକ ସ୍ୱଚ୍ଛ, ସୁରକ୍ଷିତ ଓ ଉପଯୁକ୍ତ ସ୍ଥାନର ବ୍ୟବସ୍ଥା କରିବା ପ୍ରଶାସନର ଦାୟିତ୍ୱ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓ କଟକ ସହରରେ ପାର୍ବଣ ଋତୁରେ ମୂର୍ତ୍ତି ବିସର୍ଜନ ପାଇଁ କୃତ୍ରିମ ପୋଖରୀର ବ୍ୟବସ୍ଥା କରାଯାଉଥିବା ଉଦାହରଣ ଦେଇ ଖୋରଧାରେ ମଧ୍ୟ ସେହିଭଳି ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି। ଏକ ସ୍ୱତନ୍ତ୍ର କୃତ୍ରିମ ପୋଖରୀ ନିର୍ମାଣ କରାଗଲେ ମୂର୍ତ୍ତି ବିସର୍ଜନ ପାଇଁ ଉପଯୁକ୍ତ ସ୍ଥାନ ମିଳିବା ସହିତ ଅନ୍ୟ ଜଳଉତ୍ସର ପ୍ରଦୂଷଣକୁ ମଧ୍ୟ ରୋକାଯାଇପାରିବ।
ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ, ପ୍ରତିବର୍ଷ ପୂଜା ଓ ଭସାଣି ଉତ୍ସବ ପୂର୍ବରୁ ଏଭଳି ସମସ୍ୟାର ସମାଧାନ ପାଇଁ ଯୋଜନା କରାଯିବା ଆବଶ୍ୟକ। ଶେଷ ମୁହୂର୍ତ୍ତରେ ଏକ ପରିତ୍ୟକ୍ତ ଖଣିକୁ ସଫା କରି ବିସର୍ଜନ ସ୍ଥଳ ଭାବେ ବ୍ୟବହାର କରିବା ପରିବର୍ତ୍ତେ ସ୍ଥାୟୀ ବିସର୍ଜନ ସ୍ଥଳ ନିର୍ମାଣ, ନିୟମିତ ସଫେଇ, ଦୂଷିତ ପାଣିର ନିଷ୍କାସନ ଏବଂ ବର୍ଜ୍ୟବସ୍ତୁ ଫିଙ୍ଗୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ଦିଗରେ ପୌର ପ୍ରଶାସନ ଗୁରୁତ୍ୱ ଦେବା ଦରକାର। ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଏକ ସ୍ଥାୟୀ ଓ ଗ୍ରହଣଯୋଗ୍ୟ ସମାଧାନ ବାହାର କରିବାକୁ ମଧ୍ୟ ଦାବି ହୋଇଛି।
ତେବେ ଏହି ସମସ୍ୟାକୁ ନେଇ ପୌର ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ସହିତ ମୂର୍ତ୍ତି ବିସର୍ଜନ ପାଇଁ ଏକ ସ୍ୱଚ୍ଛ ଓ ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି। ଏହାଦ୍ୱାରା ଧାର୍ମିକ ଭାବନାର ସମ୍ମାନ ରକ୍ଷା ହେବା ସହିତ ପରିବେଶର ସ୍ୱଚ୍ଛତା ଓ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହୋଇପାରିବ। ଯଦି ପ୍ରଶାସନ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନ ନିଏ, ତେବେ ଆଗାମୀ ଦିନରେ ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଚେତାବନୀ ଦେଇଛନ୍ତି।

Related Posts