Odisha News

ଦୀର୍ଘ ବର୍ଷର ସମର୍ପିତ ସେବା ପାଇଁ ୪ ହୋମଗାର୍ଡଙ୍କୁ କନ୍ଧମାଳ ପୋଲିସର ସମ୍ବର୍ଦ୍ଧନା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ , ୨୧/୧୧ :
କର୍ତ୍ତବ୍ୟ ପ୍ରତି ନିଷ୍ଠା, ଶୃଙ୍ଖଳା ଓ ନିରନ୍ତର ସମର୍ପଣ ହିଁ ଜଣେ କର୍ମଚାରୀଙ୍କ ପ୍ରକୃତ ପରିଚୟ। ଦୀର୍ଘ ବର୍ଷ ଧରି ପୁଲିସ ବିଭାଗରେ ନିଜର ଦାୟିତ୍ୱ ତୁଲାଇବା ପରେ ଚାକିରିରୁ ଅବସର ନେଇଥିବା କନ୍ଧମାଳ ଜିଲ୍ଲାର ଚାରି ଜଣ ହୋମଗାର୍ଡଙ୍କୁ ସମ୍ମାନ ଓ ଶୁଭେଚ୍ଛା ଜଣାଇଛି କନ୍ଧମାଳ ପୁଲିସ।
ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଭାଗ ପ୍ରତି ସେମାନଙ୍କର ନିଷ୍ଠାପର ଓ ସମର୍ପିତ ସେବାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଅବସର ଗ୍ରହଣ କରିଥିବା ହୋମଗାର୍ଡମାନେ ହେଲେ ରାଇକିଆ ଥାନାର ହେନା ଦିଗାଲ ଓ ସନାତନ ନାୟକ, ଫୁଲବାଣୀ ଟାଉନ ଥାନାର ମୁରଲୀ ଧର ବେହେରା ଏବଂ ଫିରିଙ୍ଗିଆ ଥାନାର ଲବ କୁମାର ମାଝୀ।
ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱବୋଧ ଓ କର୍ତ୍ତବ୍ୟନିଷ୍ଠାର ସହ ସେବା ପ୍ରଦାନ କରି ଏହି ଚାରି ଜଣ ହୋମଗାର୍ଡ ପୁଲିସ ବିଭାଗରେ ନିଜର ଏକ ସ୍ୱତନ୍ତ୍ର ଅବଦାନ ରଖିଛନ୍ତି।
କନ୍ଧମାଳ ପୁଲିସ ପକ୍ଷରୁ ସେମାନଙ୍କ ଦୀର୍ଘଦିନର ସେବା, ନିଷ୍ଠା, ପ୍ରତିବଦ୍ଧତା ଓ ବିଭାଗ ପ୍ରତି ଅବଦାନକୁ ସ୍ମରଣ କରି କୃତଜ୍ଞତା ଜ୍ଞାପନ କରାଯାଇଛି। ଚାକିରି ଜୀବନରୁ ଅବସର ନେଲେ ମଧ୍ୟ ସେମାନଙ୍କର କାର୍ଯ୍ୟ ଓ ସେବାର ସ୍ମୃତି ପୁଲିସ ବିଭାଗରେ ସର୍ବଦା ଅବିସ୍ମରଣୀୟ ହୋଇ ରହିବ ବୋଲି ଏସ୍‌ପି ମତବ୍ୟକ୍ତ କରିଛନ୍ତି।
ଏଥିସହ ଅବସର ପରବର୍ତ୍ତୀ ଜୀବନ ସୁଖମୟ, ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ହେଉ ବୋଲି କନ୍ଧମାଳ ପୁଲିସ ପକ୍ଷରୁ ଚାରି ଜଣଙ୍କୁ ହୃଦୟପୂର୍ଣ୍ଣ ଶୁଭକାମନା ଜଣାଯାଇଛି।
କର୍ତ୍ତବ୍ୟ ପାଳନରେ ସେମାନଙ୍କର ଅବଦାନ ଆଗାମୀ ଦିନରେ ଅନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ପ୍ରେରଣା ହୋଇ ରହିବ।
ନଭେମ୍ବର ୨୩ ରେ ଖଜୁରୀପଡ଼ାରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣୀ ଶିବିର : ବାଲିଗୁଡ଼ାରେ ବ୍ଲକ ସ୍ତରୀୟ ଶିବିର ସ୍ଥଗିତ
କନ୍ଧମାଳ , ୨୧/୧୧ : ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ଶୁଣାଣି କରିବା ସହ ତାହାର ତ୍ୱରିତ ସମାଧାନ ଏବଂ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୨୩ ତାରିଖ ସୋମବାର କନ୍ଧମାଳ ଜିଲ୍ଲାରେ ଜିଲ୍ଲା ଓ ପଞ୍ଚାୟତସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ।
ଜିଲ୍ଲା ପ୍ରଶାସନ ଓ ଜନଶୁଣାଣୀ ପ୍ରକୋଷ୍ଠ, କନ୍ଧମାଳ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଉଛି। ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର ଖଜୁରୀପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ହେବ।
ଏଥିରେ କନ୍ଧମାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବେ। ଜମିଜମା, ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଭତ୍ତା ଓ ଅନ୍ୟାନ୍ୟ ଜନସ୍ୱାର୍ଥ ସମ୍ବଳିତ ସମସ୍ୟା ନେଇ ଲୋକେ ନିଜର ଅଭିଯୋଗ ଜଣାଇପାରିବେ।
ସେହିପରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦଡ଼କି ଗ୍ରାମ ପଞ୍ଚାୟତ କାର‌୍ୟ୍ୟାଳୟ ଏବଂ ଫିରିଙ୍ଗିଆ ବ୍ଲକର ଲୁଇଶିଙ୍ଗି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ।
ଏହି ଶିବିରଗୁଡ଼ିକରେ ସମ୍ପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିବେ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ଜରିଆରେ ସମାଧାନ ପାଇଁ ପଦକ୍ଷେପ ନିଆଯିବ।
ଅନ୍ୟପକ୍ଷରେ କାର୍ତ୍ତିକ ମାସର ଶେଷ ସୋମବାର ହୋଇଥିବାରୁ ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକରେ ହେବାକୁ ଥିବା ଗ୍ରାମ ପଞ୍ଚାୟତସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
ଏହି ନିଷ୍ପତ୍ତି ଫଳରେ ବାଲିଗୁଡ଼ା ଉପଖଣ୍ଡରେ ନଭେମ୍ବର ୨୩ରେ ପଞ୍ଚାୟତସ୍ତରୀୟ ଶିବିର ହେବ ନାହିଁ।
ଜନସାଧାରଣଙ୍କ ଅଭିଯୋଗର ସମାଧାନ ଏବଂ ପ୍ରଶାସନିକ ସେବାରେ ସ୍ୱଚ୍ଛତା ଆଣିବା ଦିଗରେ ଏହି ଜନଶୁଣାଣୀ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ନିଜ ନିଜର ଅଭିଯୋଗ ଓ ଆବଶ୍ୟକୀୟ କାଗଜପତ୍ର ସହ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
ଅଷ୍ଟପ୍ରହରୀ ନାମଯଜ୍ଞରେ ସାମିଲ ହେଲେ ବିଜେଡି ଦଳୀୟ ନେତା ଓ କର୍ମୀ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ
ବାଲିଗୁଡ଼ା, ୨୧/୧୧ : ଆଧ୍ୟାତ୍ମିକ ଭାବଧାରା ଓ ଭକ୍ତିମୟ ପରିବେଶ ମଧ୍ୟରେ ବାଲିଗୁଡା ଉପଖଣ୍ଡ କ. ନୂଆଗାଁ ବ୍ଲକ ଅନ୍ତର୍ଗତ ପୁରୁଣା ନୂଆଗାଁ ଠାରେ ଆୟୋଜିତ ଅଷ୍ଟପ୍ରହରୀ ନାମଯଜ୍ଞରେ ସାମିଲ ହୋଇ ଭଗବାନଙ୍କ ଆଶୀର୍ବାଦ ଲାଭ କରିଛନ୍ତି ବାଲିଗୁଡ଼ା ବିଜୁ ଜନତା ଦଳର ବ୍ଲକ ଓ ନଗର ସଭାପତିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ।
ଏହି ଅବସରରେ ବାଲିଗୁଡ଼ାରୁ ଏକ ବିଶାଳ ବାଇକ୍ ରାଲିରେ ଯାଇ ନାମଯଜ୍ଞ ସ୍ଥଳରେ ପହଞ୍ଚିଥିଲେ ବିଜେଡିର ନେତା ଓ କର୍ମୀ। ସୂଚନା ଅନୁଯାୟୀ, ବାଲିଗୁଡ଼ା ବିଜୁ ଜନତା ଦଳର ବ୍ଲକ ସଭାପତି କ୍ଳେଶ ପ୍ରଧାନ ଓ ନଗର ସଭାପତି ଅମିତ କୁମାର ନାୟକଙ୍କ ନେତୃତ୍ୱରେ ଦଳର ବହୁ ସଂଖ୍ୟକ କର୍ମୀ ବାଲିଗୁଡ଼ା ମୁଖ୍ୟ ବଜାରରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ପୁରୁଣା ନୂଆଗାଁଠାରେ ପହଞ୍ଚିଥିଲେ।
ରାଲିରେ ଦଳୀୟ କର୍ମୀଙ୍କ ଉତ୍ସାହ ଓ ସାମୂହିକ ଯୋଗଦାନ ଦେଖିବାକୁ ମିଳିଥିଲା। ନାମଯଜ୍ଞ ସ୍ଥଳରେ ପହଞ୍ଚିବା ପରେ ଆୟୋଜକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବ୍ଲକ ସଭାପତି କ୍ଳେଶ ପ୍ରଧାନ, ନଗର ସଭାପତି ଅମିତ କୁମାର ନାୟକଙ୍କ ସମେତ ସମସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇ ଥିଲା।
ହରିନାମ ସଂକୀର୍ତ୍ତନରେ ମୁଖରିତ ହୋଇଥିବା ନାମଯଜ୍ଞ ମଣ୍ଡପରେ କିଛି ସମୟ ଅତିବାହିତ କରିବା ସହ ଶ୍ରଦ୍ଧା ଓ ଭକ୍ତିର ସହ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସମସ୍ତେ।
ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ସୁଧାକର ନାୟକ ଏବଂ ବାଲିଗୁଡ଼ା ନଗର ଯୁବ ସଭାପତି ମାନସ ନାୟକଙ୍କ ସମେତ ବହୁ ବିଜୁ ପ୍ରେମୀ ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ।
ଦଳୀୟ ପରିଚୟକୁ ପଛରେ ରଖି ସମସ୍ତେ ଏକ ଭକ୍ତିମୟ ପରିବେଶ ରେ ଶ୍ରଦ୍ଧାଳୁଙ୍କ ସହ ମିଶି ଅନ୍ନପ୍ରସାଦ ସେବନ କରିଥିଲେ।
ଧାର୍ମିକ ଓ ସାମାଜିକ ଏକତାର ପ୍ରତୀକ ଭାବେ ଅଷ୍ଟପ୍ରହରୀ ନାମଯଜ୍ଞରେ ଏଭଳି ସାମୂହିକ ଯୋଗଦାନ ଅଞ୍ଚଳରେ ଭକ୍ତିମୟ ପରିବେଶକୁ ଆହୁରି ଉତ୍ସବମୁଖର କରିଥିଲା।
ବାଲିଗୁଡ଼ା ବିଜେଡି ପରିବାରର ଏହି ଯୋଗଦାନକୁ ନେଇ ଦଳୀୟ କର୍ମୀ ଓ ବିଜୁ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।

Related Posts