ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ : କାରକୁ ଧକ୍କା ଦେଇ ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୪/୯: ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗୁରୁବାର ସକାଳେ ଏକ ମାଲବୋଝେଇ ଟ୍ରଲର ଦୁର୍ଘଟଣା ଘଟାଇବାରୁ କିଛି ସମୟ ପାଇଁ ସେ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଏକ କାରକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଟ୍ରଲରଟି ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଥିଲା। ଟ୍ରଲରର ଧକ୍କାରେ ତିନୋଟି ଦୋକାନ ଭାଙ୍ଗିଯିବା ସହ ଦୋକାନ ସମ୍ମୁଖରେ ରଖାଯାଇଥିବା ଏକାଧିକ ବାଇକ୍ ଓ ସ୍କୁଟି ଚୂରମାର ହୋଇଯାଇଛି। ତେବେ ଏହି ଭୟାବହ ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗୁରୁବାର ଖୋରଧା ସହର ପଟୁ ଏକ ମାଲବୋଝେଇ ଟ୍ରଲର ଯାଉଥିବା ବେଳେ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ ଟ୍ରଲର ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାର ଡାହାଣ ପାର୍ଶ୍ୱକୁ ମାଡ଼ିଯାଇଥିଲା। କ୍ଷଣକ ମଧ୍ୟରେ ଏହା ରାସ୍ତାକଡ଼ରେ ଥିବା ତିନୋଟି ଦୋକାନ ଭିତରକୁ ପଶିଯାଇଥିଲା।
ଟ୍ରଲରଟି ଦୋକାନ ଭିତରକୁ ମାଡ଼ିଯିବା ସମୟରେ ଦୋକାନ ସମ୍ମୁଖରେ ରଖାଯାଇଥିବା ବାଇକ୍ ଓ ସ୍କୁଟିଗୁଡ଼ିକ ଏହାର ଚକ ତଳେ ଚାପି ହୋଇଯାଇଥିଲା। ଏଥିସହ ଦୋକାନ ଗୁଡ଼ିକର ବିଭିନ୍ନ ଅଂଶ ଭାଙ୍ଗିଯାଇଥିବା ବେଳେ ବହୁ ଆସବାବପତ୍ର ଓ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମୟରେ ଟ୍ରଲରର ଶବ୍ଦ ଓ ଧକ୍କାର ତୀବ୍ରତାରେ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।
ବିଶେଷକରି ଚିକିତ୍ସାଳୟ ସମ୍ମୁଖରେ ଏଭଳି ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଦୁର୍ଘଟଣା ସମୟରେ ଯଦି ଦୋକାନ ନିକଟରେ ଅଧିକ ଲୋକ ରହିଥାନ୍ତେ, ତେବେ ପରିସ୍ଥିତି ଅଧିକ ଗୁରୁତର ହୋଇପାରିଥାନ୍ତା ବୋଲି ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ କହିଛନ୍ତି। ତେବେ ସୌଭାଗ୍ୟବଶତଃ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ଖୋରଧା ଆଦର୍ଶ ଥାନା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ରାସ୍ତା ଉପରେ ଯାନବାହନ ଅଟକି ରହିବାରୁ କିଛି ସମୟ ପାଇଁ ଯାତାୟାତ ବ୍ୟାହତ ହୋଇଥିଲା। ପୋଲିସ ପହଞ୍ଚି ଘଟଣାସ୍ଥଳରେ ଭିଡ଼ ନିୟନ୍ତ୍ରଣ କରିବା ସହ ଯାତାୟାତ ସ୍ୱାଭାବିକ କରିବାକୁ ପଦକ୍ଷେପ ନେଇଥିଲା। ଦମକଳ ବାହିନୀ ମଧ୍ୟ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟରେ ସହଯୋଗ କରିଥିଲା।
ପୋଲିସ ଦୁର୍ଘଟଣାଗ୍ରସ୍ତ (ଓଆର-୦୨-ବିଇ- ୭୮୯୯) ନମ୍ବର ଟ୍ରଲରଟିକୁ ଜବତ କରିବା ସହ ଏହାର ଚାଳକକୁ ଅଟକ ରଖିଛି। ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ଟ୍ରଲରର ଗତି କେତେ ଥିଲା ଏବଂ କେଉଁ ପରିସ୍ଥିତିରେ ଏହା ନିୟନ୍ତ୍ରଣ ହରାଇଲା, ସେନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି। କାର ଓ ଟ୍ରଲର ମଧ୍ୟରେ ଧକ୍କାର ପରିସ୍ଥିତି ଏବଂ ଏହା ପରେ ଟ୍ରଲରର ଗତିପଥ ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଥିବା ଜଣାପଡ଼ିଛି।
ଦୁର୍ଘଟଣାରେ ତିନୋଟି ଦୋକାନ ଓ ଏକାଧିକ ଦୁଇଚକିଆ ଯାନ କ୍ଷତିଗ୍ରସ୍ତ ହୋଇଥିବାରୁ ବ୍ୟବସାୟୀ ଓ ଯାନ ମାଲିକମାନଙ୍କ ଆର୍ଥିକ କ୍ଷତି ଘଟିଛି। କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଏପର୍ୟ୍ୟନ୍ତ ସଠିକ ଆକଳନ ହୋଇନଥିବା ବେଳେ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏଠାରେ ଭାରୀଯାନ ଚଳାଚଳ, ଗତି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ନେଇ ପ୍ରଶ୍ନ ଉଠିଛି। ଭବିଷ୍ୟତରେ ଏଭଳି ଦୁର୍ଘଟଣା ଯେପରି ନଘଟେ, ସେଥିପାଇଁ ଚିକିତ୍ସାଳୟ ସମ୍ମୁଖରେ ଟ୍ରାଫିକ ନିୟନ୍ତ୍ରଣ ଓ ଭାରୀଯାନ ଚଳାଚଳ ଉପରେ ଅଧିକ ନଜର ରଖିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।




