Odisha News

ଖୋର୍ଦ୍ଧା ଜିଲ୍ଲାର ୧୨୬୧ ରାଜସ୍ୱ ଗ୍ରାମ ବାଲ୍ୟ ବିବାହ ମୁକ୍ତ ଘୋଷିତ: ୧୮୫ ପଞ୍ଚାୟତରେ ଐତିହାସିକ ସଫଳତା; ୨୦୩୦ ସୁଦ୍ଧା ବାଲ୍ୟ ବିବାହ ଶୂନ୍ୟ କରିବାକୁ ଲକ୍ଷ୍ୟ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୬/୧୧: ବାଲ୍ୟ ବିବାହ ନିରାକରଣ ଦିଗରେ ଖୋର୍ଦ୍ଧା ଜିଲ୍ଲା ହାସଲ କରିଛି ଏକ ଐତିହାସିକ ସଫଳତା। ଜିଲ୍ଲାର ୧୮୫ଟି ପଞ୍ଚାୟତ ଅନ୍ତର୍ଗତ ୧୨୬୧ଟି ରାଜସ୍ୱ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।
ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ‘ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏହି ଘୋଷଣା କରାଯାଇଛି।
ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ୧୨୬୧ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରି କହିଥିଲେ ଯେ, ରୁଚିକା ଭଳି ସାମାଜିକ ଅନୁଷ୍ଠାନ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ପ୍ରାୟ ଦୁଇ ବର୍ଷ ଧରି ନିରନ୍ତର ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି।
ଏହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ। ଭାରତ ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ, ଏହି ଗ୍ରାମଗୁଡ଼ିକରେ ୬ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁ ବିଦ୍ୟାଳୟକୁ ଯାଉଛନ୍ତି।
ସେହିପରି ୧୧ରୁ ୧୯ ବର୍ଷ ବୟସର ସମସ୍ତ କିଶୋର ଓ କିଶୋରୀ ଅଙ୍ଗନବାଡ଼ିର ‘ଅଦ୍ୱିକା’ କାର୍ଯ୍ୟକ୍ରମରେ ପଞ୍ଜୀକୃତ ହୋଇଛନ୍ତି।
ଏଥିସହ ୨୦୨୫ ଜାନୁଆରୀ ୧ ତାରିଖଠାରୁ ଘୋଷଣା ହେବା ପର୍ଯ୍ୟନ୍ତ ଏହି ଗ୍ରାମଗୁଡ଼ିକରେ କୌଣସି ବାଲ୍ୟ ବିବାହ ଘଟିନାହିଁ।
ଏହି ମାନଦଣ୍ଡ ପୂରଣ ହୋଇଥିବାରୁ ଗତ ଅକ୍ଟୋବର ୨ ତାରିଖରେ ଅନୁଷ୍ଠିତ ଗ୍ରାମସଭାଗୁଡ଼ିକରେ ଆନୁଷ୍ଠାନିକ ପ୍ରସ୍ତାବ ଗୃହୀତ ହେବା ପରେ ଗ୍ରାମଗୁଡ଼ିକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି।
କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ନୂଆଦିଲ୍ଲୀସ୍ଥିତ ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍’ର ଜାତୀୟ ସଚିବ ଓମ୍ ପ୍ରକାଶ ପାଲ କହିଥିଲେ ଯେ, ବିଶ୍ୱକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ ଓ ସରକାରଙ୍କ ସକ୍ରିୟ ଭାଗୀଦାରି ଅତ୍ୟନ୍ତ ଆବଶ୍ୟକ।
ନଭେମ୍ବର ୨୭ ତାରିଖକୁ ଆନ୍ତର୍ଜାତିକ ବାଲ୍ୟ ବିବାହ ନିରୋଧ ଦିବସ ଭାବେ ପାଳନ କରିବା ପାଇଁ ଜାତିସଂଘର ପ୍ରୟାସ ଏବଂ ଏହି ଦିଗରେ ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍’ର ପ୍ରତିଷ୍ଠାତା ଭୁବନ ରିଭୁ ଓ ଭାରତ ସରକାରଙ୍କ ଉଦ୍ୟମକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।
ରୁଚିକା ସମାଜ ମଙ୍ଗଳ ସଂଗଠନର ସମ୍ପାଦକ ଉମାଶଙ୍କର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହକୁ ଏକ ଗୁରୁତର ସାମାଜିକ ଅପରାଧ ବୋଲି ଅଭିହିତ କରିଥିଲେ।
ରକ୍ଷଣଶୀଳ ସାମାଜିକ ବ୍ୟବସ୍ଥାରେ କନ୍ୟାସନ୍ତାନଙ୍କୁ ବିଭିନ୍ନ ବନ୍ଧନ ମଧ୍ୟରେ ରଖି ସେମାନଙ୍କ ଶିକ୍ଷା, ସ୍ୱାଧୀନତା ଓ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି।
ତେଣୁ କେବଳ ଜନସଚେତନତା ନୁହେଁ, ବରଂ ଆଇନର କଠୋର ପ୍ରୟୋଗ ଏବଂ ନାରୀଶିକ୍ଷାର ପ୍ରସାର ଦ୍ୱାରା ହିଁ ଏହି କୁପ୍ରଥାକୁ ରୋକାଯାଇପାରିବ ବୋଲି ସେ ମତ ଦେଇଥିଲେ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୬ (ଏନଏଫଏଚଏସ-୬)ର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବାଲ୍ୟ ବିବାହ ହାର ୧୮.୬ ପ୍ରତିଶତ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହା ପ୍ରାୟ ୧୪ ପ୍ରତିଶତରୁ ଅଧିକ। ଏହି ସାମାଜିକ ସମସ୍ୟାର ମୂଳୋତ୍ପାଟନ ପାଇଁ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ କାର୍ଯ୍ୟ କରାଯିବ।
‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍’ର ସହଯୋଗରେ ୨୦୩୦ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ବାଲ୍ୟ ବିବାହକୁ ଶୂନ୍ୟ ସ୍ତରକୁ ଆଣିବା ସମ୍ଭବ ହେବ ବୋଲି ରୁଚିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ବେଣୁଧର ସେନାପତି ଦୃଢ଼ ଆଶା ପ୍ରକାଶ କରିଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବାଲ୍ୟ ବିବାହ ଭଳି ଏକ ସାମାଜିକ ଅପରାଧକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।
କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ ପ୍ରହରାଜ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ସୁରକ୍ଷା ଅଧିକାରୀ ସୌଦାମିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲ୍ୟ ବିବାହ ନିରୋଧ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ଶେଷରେ ଆନ୍ତର୍ଜାତିକ ବାଲ୍ୟ ବିବାହ ନିରୋଧ ଦିବସ ପରିପ୍ରେକ୍ଷୀରେ ଜିଲ୍ଲାରେ ଏକ ୧୦୦ ଦିନିଆ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରାଯାଇଥିଲା।

Related Posts