ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଆଚରଣ ପାଇଁ ରେଳବାଇ ଲେଭଲ କ୍ରସିଂ ସଚେତନତା ପାଇଁ ଅନୁରୋଧ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୮/୫: ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ଅଧୀନରେ ରେଳ ଫାଟକ ଉଲ୍ଲଂଘନ ଏବଂ ସଡକ ଯାନବାହନ ଦ୍ୱାରା ଫାଟକ ଭାଙ୍ଗିବା ଘଟଣା ବୃଦ୍ଧି ପାଇଥିବାରୁ ଗଭୀର ଚିନ୍ତା ପ୍ରକାଶ କରାଯାଇଛି।
ଏହି ଘଟଣାଗୁଡ଼ିକ କେବଳ ମାନବ ଜୀବନକୁ ବିପଦରେ ପକାଉନାହିଁ, ବରଂ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି କରି ସମୟନିଷ୍ଠତାକୁ ମଧ୍ୟ ପ୍ରଭାବିତ କରୁଛି। ଅନେକ ସମୟରେ ସଡକ ଯାତାୟାତକାରୀ ମାନେ ଫାଟକ ବନ୍ଦ ହୋଇଯାଇଥିବା ପରେ କିମ୍ବା ବନ୍ଦ ହେଉଥିବା ସମୟରେ ମଧ୍ୟ ରେଳ ଫାଟକ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି।
ଏହା ଫଳରେ ଫାଟକ ବାରିକେଡ୍ କ୍ଷତିଗ୍ରସ୍ତ ହେବା, ସଙ୍କେତ ବ୍ୟବସ୍ଥା ବିଘ୍ନିତ ହେବା ଏବଂ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ପରି ଘଟଣା ଘଟୁଛି।
ଏପରି ଅଦାୟୀ ବ୍ୟବହାର ମାନବଜୀବନ ଓ ରେଳ ସମ୍ପତ୍ତି ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହାରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଅଧୀନରେ ମୋଟ ୧୧୩ଟି ରେଳ ଫାଟକ ଭାଙ୍ଗିବା ଘଟଣା ରେକର୍ଡ ହୋଇଥିଲା, ଯାହାରେ ୯୨ ଜଣଙ୍କୁ ଗିରଫ କରାଯାଇଥିଲା।
୨୦୨୫ ମସିହାରେ ମୋଟ ୯୮ଟି ରେଳ ଫାଟକ ଭାଙ୍ଗିବା ଘଟଣା ଘଟିଥିବା ବେଳେ ୫୯ ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି।
ସେହିପରି ୨୦୨୬ ମସିହାରେ (୮ ମେ ପର୍ଯ୍ୟନ୍ତ) ୪୩ଟି ରେଳ ଫାଟକ ଭାଙ୍ଗିବା ଘଟଣା ଘଟିଥିବା ବେଳେ ୨୩ ଜଣଙ୍କୁ ଗିରଫ କରାଯାଇଛି। ଚଳିତ ବର୍ଷରେ ମଣ୍ଡଳର ବିଭିନ୍ନ ସ୍ଥାନରୁ ରେଳ ଫାଟକ ଭାଙ୍ଗିବା ଘଟଣା ରିପୋର୍ଟ ହୋଇଛି।
ସେଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଅଞ୍ଚଳରେ ୮ଟି ଘଟଣା ,ବ୍ରହ୍ମପୁର ଅଞ୍ଚଳରେ ୬ଟି ଘଟଣା,ପୁରୀ ଅଞ୍ଚଳରେ ୨ଟି ଘଟଣା,ଭଦ୍ରକ ଅଞ୍ଚଳରେ ୮ଟି ଘଟଣା,ଯାଜପୁର କେଉଁଝର ରୋଡ଼ ଅଞ୍ଚଳରେ ୩ଟି ଘଟଣା,କଟକ ଅଞ୍ଚଳରେ ୪ଟି ଘଟଣା, ପଲାସା ଅଞ୍ଚଳରେ ୩ଟି ଘଟଣା ଏବଂ ଖୋର୍ଦ୍ଧାରୋଡ଼ ଅଞ୍ଚଳରେ ୨ଟି ଘଟଣା ରିପୋର୍ଟ କରାଯାଇଅଛି ।
ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ନିରାପତ୍ତା ବିଭାଗ ଏବଂ ରେଳବାଇ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କ୍ରମାଗତ ସଚେତନତା ଅଭିଯାନ ଏବଂ ଲେଭଲ୍ କ୍ରସିଂରେ ସଡକ ବ୍ୟବହାରକାରୀଙ୍କ ନିରନ୍ତର ପରାମର୍ଶ ପରେ ମଧ୍ୟ ନିୟମ ଉଲ୍ଲଂଘନକାରୀଙ୍କ ଦ୍ୱାରା ଏପରି ଘଟଣା ଜାରି ରହିଛି ।
ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧାରୋଡ଼ ରେଳ ପ୍ରଶାସନ ପୁଣି ଥରେ ଜନସାଧାରଣଙ୍କୁ ଲେଭଲ୍ କ୍ରସିଂ ନିକଟକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ରେଳବାଇକୁ ସହଯୋଗ କରିବାକୁ ଅନୁରୋଧ କରୁଛି ।




