Odisha News

ଖୋରଧା ରେ ଭୋଟର ତାଲିକା ସଂଶୋଧନ:୧୨,୪୬୫ ଦାବି ଓ ଆପତ୍ତି ଦାଖଲ,୬,୮୮୮ ଆବେଦନ ଅନୁମୋଦିତ, ୧,୯୫୮ ଖାରଜ;୩୬୧୯ ଆବେଦନ ବିଚାରଧୀନ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୪/୮: ଖୋରଧା ଜିଲ୍ଲାରେ ଚାଲିଥିବା ୨୦୨୬ ମସିହାର ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଭୋଟରଙ୍କ ଦାବି ଓ ଆପତ୍ତି ସମ୍ପର୍କିତ ମୋଟ ୧୨,୪୬୫ଟି ଆବେଦନ ମିଳିଛି।
ଜୁଲାଇ ୫ରୁ ଅଗଷ୍ଟ ୧୯, ୨୦୨୬ ମଧ୍ୟରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ଜରିଆରେ ଏହି ଆବେଦନଗୁଡ଼ିକ ଦାଖଲ ହୋଇଛି। ଏଥିରୁ ୬,୮୮୮ଟି ଆବେଦନ ଅନୁମୋଦିତ, ୧,୯୫୮ଟି ଖାରଜ ହୋଇଥିବାବେଳେ ୩,୬୧୯ଟି ଆବେଦନ ବର୍ତ୍ତମାନ ବିଚାରାଧୀନ ରହିଛି।
ଏହି ସମ୍ପର୍କିତ ତଥ୍ୟ ନେଇ ଗତ ଅଗଷ୍ଟ ୨୧ ତାରିଖରେ ଖୋରଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଖସଡ଼ା ଭୋଟର ତାଲିକା ପ୍ରକାଶ ପରେ ମିଳିଥିବା ଦାବି ଓ ଆପତ୍ତିର ସ୍ଥିତି, ତାହାର ଯାଞ୍ଚ ଏବଂ ନିଷ୍ପତ୍ତି ପ୍ରକ୍ରିୟା ସମ୍ପର୍କରେ ବୈଠକରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା।
ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ୫ଟି ବିଧାନସଭା ଆସନ ମଧ୍ୟରୁ ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩,୫୭୧ଟି ଆବେଦନ ଦାଖଲ ହୋଇଛି। ସେହିପରି ଖୋର୍ଦ୍ଧାରେ ୨,୫୬୮, ଚିଲିକାରେ ୨,୧୮୭, ଜୟଦେବରେ ୨,୦୯୧ ଏବଂ ବେଗୁନିଆରେ ୨,୦୪୮ଟି ଆବେଦନ ମିଳିଛି।
ଜୟଦେବ ନିର୍ବାଚନମଣ୍ଡଳୀରେ ଫର୍ମ-୬, ୭ ଓ ୮ ମାଧ୍ୟମରେ ମୋଟ ୨,୦୯୧ଟି ଆବେଦନ ମିଳିଥିଲା। ଏଥିରୁ ୪୯୭ଟି ଅନୁମୋଦିତ ହୋଇଥିବାବେଳେ ୧,୧୯୦ଟି ଖାରଜ ହୋଇଛି ଏବଂ ୪୦୪ଟି ଆବେଦନ ବିଚାରାଧୀନ ରହିଛି।
ଜଟଣୀରେ ମୋଟ ୩,୫୭୧ଟି ଆବେଦନ ମିଳିଥିଲା। ଏଥିରୁ ୭୭୬ଟି ଅନୁମୋଦିତ, ୧,୬୨୮ଟି ଖାରଜ ଏବଂ ୧,୧୬୭ଟି ଆବେଦନ ବିଚାରାଧୀନ ରହିଛି।
ବେଗୁନିଆରେ ୨,୦୪୮ଟି ଆବେଦନ ମଧ୍ୟରୁ ୨୨୬ଟି ଅନୁମୋଦିତ ହୋଇଛି। ୧,୭୪୧ଟି ଆବେଦନ ଖାରଜ ହୋଇଥିବାବେଳେ ୮୧ଟି ଆବେଦନ ବର୍ତ୍ତମାନ ବିଚାରାଧୀନ ରହିଛି।
ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ମୋଟ ୨,୫୬୮ଟି ଆବେଦନ ଦାଖଲ ହୋଇଥିଲା। ଏଥିରୁ ୧,୧୪୦ଟି ଅନୁମୋଦିତ, ୧,୨୫୯ଟି ଖାରଜ ଏବଂ ୧୬୯ଟି ଆବେଦନ ବିଚାରାଧୀନ ରହିଛି।
ସେହିପରି ଚିଲିକା ନିର୍ବାଚନମଣ୍ଡଳୀରେ ମୋଟ ୨,୧୮୭ଟି ଆବେଦନ ମିଳିଥିବାବେଳେ ୯୮୦ଟି ଅନୁମୋଦିତ, ୧,୦୭୦ଟି ଖାରଜ ଏବଂ ୧୩୭ଟି ଆବେଦନ ବିଚାରାଧୀନ ରହିଛି। ନୂଆ ଭୋଟରଙ୍କ ନାମ ସାମିଲ ପାଇଁ ୭,୭୩୦ ଆବେଦନ।
ଖସଡ଼ା ଭୋଟର ତାଲିକା ପ୍ରକାଶ ପରେ ନୂତନ ଭୋଟରଙ୍କ ନାମ ସାମିଲ କରିବା ପାଇଁ ଜିଲ୍ଲାରେ ଫର୍ମ-୬ ମାଧ୍ୟମରେ ୭,୭୩୦ଟି ଆବେଦନ ମିଳିଛି।
ଏଥିରୁ ଯାଞ୍ଚ ପରେ ୪,୨୫୧ଟି ଆବେଦନ ଗ୍ରହଣ କରାଯାଇଛି ଏବଂ ଯୋଗ୍ୟ ଆବେଦନକାରୀଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯାଇଛି।
ଭୋଟର ତାଲିକାରୁ ଅଯୋଗ୍ୟ, ମୃତ, ସ୍ଥାନାନ୍ତରିତ କିମ୍ବା ଅନ୍ୟାନ୍ୟ କାରଣରୁ ନାମ ବାଦ୍ ଦେବା ପାଇଁ ବ୍ୟବହୃତ ଫର୍ମ-୭ ମାଧ୍ୟମରେ ୮୮୬ଟି ଆବେଦନ ମିଳିଛି।
ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ଙ୍କ ଦ୍ୱାରା କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ଏପର୍ଯ୍ୟନ୍ତ ୪୦୧ଟି ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି।
ସେହିପରି ଭୋଟରଙ୍କ ନାମ, ଠିକଣା, ବୟସ, ଫଟୋ କିମ୍ବା ଅନ୍ୟାନ୍ୟ ବିବରଣୀରେ ସଂଶୋଧନ ଓ ଅଦ୍ୟତନ ପାଇଁ ଫର୍ମ-୮ ମାଧ୍ୟମରେ ୩,୯୮୪ଟି ଆବେଦନ ମିଳିଥିଲା।
ଆବଶ୍ୟକ ଦଲିଲପତ୍ର ଓ ତଥ୍ୟ ଯାଞ୍ଚ ପରେ ୨,୨୩୬ଟି ଆବେଦନର ନିଷ୍ପତ୍ତି ନିଆଯାଇଛି ଏବଂ ଆବଶ୍ୟକ ସଂଶୋଧନ ଭୋଟର ତାଲିକାରେ କରାଯାଇଛି। ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା ନିର୍ବାଚନ ଆୟୋଗ ପକ୍ଷରୁ ଚାଲିଥିବା ଏହି ସଂଶୋଧନ ପ୍ରକ୍ରିୟାର ସମୟସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ଦାବି ଓ ଆପତ୍ତି ଦାଖଲ କରିବାର ଶେଷ ତାରିଖ ପୂର୍ବରୁ ଅଗଷ୍ଟ ୪, ୨୦୨୬ ରହିଥିବାବେଳେ ଏହାକୁ ବଢ଼ାଇ ଅଗଷ୍ଟ ୧୯, ୨୦୨୬ କରାଯାଇଥିଲା।
ଏହାସହ ଦାବି ଓ ଆପତ୍ତିର ଶୁଣାଣି ଏବଂ ନିଷ୍ପତ୍ତି ନେବାର ସମୟସୀମାକୁ ସେପ୍ଟେମ୍ବର ୨ରୁ ବଢ଼ାଇ ସେପ୍ଟେମ୍ବର ୧୭, ୨୦୨୬ କରାଯାଇଛି।
ଫଳରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶର ତାରିଖରେ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଏବେ ଏହା ସେପ୍ଟେମ୍ବର ୨୧, ୨୦୨୬ରେ ପ୍ରକାଶ ପାଇବ। ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକଙ୍କୁ ନିଜ ନାମ ଓ ଭୋଟର ତାଲିକାରେ ଥିବା ବ୍ୟକ୍ତିଗତ ବିବରଣୀ ଯାଞ୍ଚ କରିବାକୁ ଆହ୍ୱାନ କରାଯାଇଛି।
ନାମ ନଥିଲେ ନାମ ସାମିଲ, ଭୁଲ ଥିଲେ ସଂଶୋଧନ ଏବଂ ଅଯୋଗ୍ୟ କିମ୍ବା ଡୁପ୍ଲିକେଟ୍ ନାମ ସମ୍ପର୍କରେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଜଣାଇବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଖୋରଧା ଜିଲ୍ଲାପାଳ ଜିଲ୍ଲାବାସୀ ଏବଂ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଏହି ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଜଣାଇଛନ୍ତି।
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକ ସହ ନିର୍ବାଚନ ପ୍ରଶାସନର ସମନ୍ୱୟ ବଢ଼ାଇବା ସହ ସମଗ୍ର ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ନିୟମାନୁସାରେ ସମ୍ପନ୍ନ କରିବା ଦିଗରେ ଆଲୋଚନା ହୋଇଥିଲା।

Related Posts