Odisha News

ଖୋରଧାରେ ବସ୍ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ ଦାବି ଦୋହରାଇଲା ଖୋରଧା ବିକାଶ ମଞ୍ଚ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୬/୩ :ଖୋରଧା ଟାଉନ୍ ରେଳଷ୍ଟେସନ୍ ନିକଟବର୍ତ୍ତି ପଲ୍ଲା ତୋଟାପଡ଼ା ମୌଜାରେ ଏକ ଇଷ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ (ଆଇ.ଏସ୍.ବି.ଟି) କରାଯିବା ପାଇଁ ଖୋରଧା ବିକାଶ ମଞ୍ଚ ତରଫରୁ ପୁନର୍ବାର ଦାବୀ ଦୋହରାଯାଇଛି ।
ବିକାଶ ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରିବା ସହ ଦୃଢ଼ ଦାବୀ ଉପସ୍ଥାପନ କରିଛନ୍ତି। ପ୍ରକାଶ ଥାଉକି, ଖୋରଧା ରେଳ ଷ୍ଟେସନ୍‌ଟି ସହରଠାରୁ ବହୁ ଦୂରରେ ଅବସ୍ଥିତ ହୋଇ ଥିବାରୁ ସାଧାରଣ ଜନତା ଏହାର ଉପଯୋଗ କରିପାରୁନାହାନ୍ତି ।
ଏଥି ସହିତ ଆଗାମୀ ୧ବର୍ଷ ମଧ୍ୟରେ ଖୋରଧା ବଲାଙ୍ଗୀର ରେଳ ଲାଇନ୍ କାର‌୍ୟ୍ୟ ସମ୍ପୂର୍ଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏହି ରେଳଲାଇନ୍ ଚାଲୁ ହେଲେ ରେଳ ମାନଚିତ୍ରରେ ଖୋର୍ଦ୍ଧା ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିବ। ବର୍ତ୍ତମାନ ଖୋରଧାର ଚତୁଃପାର୍ଶ୍ଵରେ ମାଇକ୍ରୋଚିପ୍ କାରଖାନା ସହ ଅନେକ ବଡ଼ ବଡ଼ ଶିଳ୍ପ ସଂସ୍ଥାମାନ ସ୍ଥାପିତ ହେବାକୁ ଯାଉଛି ।
ଏଥି ସହିତ ପାଇକ ସ୍ମାରକୀ ଓ ଖୋରଧା ଗଡ଼ର ସମ୍ପୂର୍ଣ୍ଣ କରଣ ହୋଇସାରିଲେ ଏଥିପ୍ରତି ବହୁ ପର୍ଯ୍ୟଟକ ଆକର୍ଷିତ ହେବାର ଅନେକ ସମ୍ଭାବନା ରହିଛି। ଉପରୋକ୍ତ ଦୃଷ୍ଟି କୋଣରୁ ଚିନ୍ତା କଲେ ଯଦି ରାଜ୍ୟ ସରକାର ଚାହାନ୍ତି ଖୋରଧା ଟାଉନ୍ ରେଳ ଷ୍ଟେସନ୍ ନିକଟରେ ଜାତୀୟ ରାଜପଥ କଡ଼ରେ ପଲ୍ଲା ମୌଜା ଅନ୍ତର୍ଗତ ତୋଟାପଡ଼ା ବଜାରକୁ ଲାଗି ପ୍ଲଟ ନଂ ୭୫୫ ରେ ଥିବା ୩୮ ଏକର ସରକାରୀ ଜାଗା ଉପରେ ଉପରୋକ୍ତ ବସ୍ ଟର୍ମିନାଲ ଟି ତିଆରି କରାଯାଇପାରନ୍ତା ।
ଏହି ଟର୍ମିନାଲରୁ ବରମୁଣ୍ଡା ଟର୍ମିନାଲ ଭଳି ପ୍ରତ୍ୟେକ ରାଜ୍ୟକୁ ବସ ଯିବା ଆସିବା କରିପାରିବ। ଏଥି ସହିତ ଖୋରଧା ର ବ୍ୟବସାୟିକ ଅଭିବୃଦ୍ଧି ଘଟିବା ସହ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ଯୁବକ ଓ ଯୁବତୀ ମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାରକ୍ଷମ ହୋଇପାରିବେ ।
ଆଉ ମଧ୍ୟ ଖୋରଧା ନୂଆ ବସ୍‌ଷ୍ଟାଣ୍ଡଠାରୁ ତୋଟାପଡ଼ା ମଧ୍ୟରେ ଅନେକ ଦୋକାନ ବଜାର ଗଢ଼ି ଉଠିବା ସଙ୍ଗେ ସଙ୍ଗେ ସହରର ପରିସର ବୃଦ୍ଧି ପାଇବ। ଆଜିର ଏହି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ମୁଖ୍ୟ ସଂଯୋଜକ ଲଳିତ ସ୍ଵାଇଁ, ସମାଜସେବୀ ସ୍ମୃତି ମିଶ୍ର, ଉର୍ମିଳା ବେହେରା, ରାମଚନ୍ଦ୍ର ଯୁଝାରସିଂ,, ରଶ୍ମିତା ପଟ୍ଟନାୟକ, ପୁଷ୍ପଲତା ମହାପାତ୍ର, ମାମିନା ପ୍ରଧାନ ପ୍ରମୁଖ ।

Related Posts