Odisha News

“କନ୍ଧମାଳର ଲୋକ ସଂସ୍କୃତି, ପରମ୍ପରା ଓ ଆମ ମାତୃଭାଷା” : ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୭/୨ : ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନ, ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଏକଦିବସୀୟ ଓଡ଼ିଆ ଭାଷା ସାହିତ୍ୟ ସମ୍ପାନ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
ଏହି ପାଠଚକ୍ରର ଶୀର୍ଷକ ଥିଲା “କନ୍ଧମାଳର ଲୋକ ସଂସ୍କୃତି, ପରମ୍ପରା ଓ ଆମ ମାତୃଭାଷା” । ଏଥିରେ ଉଦଘାଟକ ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ବାଇଁ ଯୋଗ ଦେଇ କନ୍ଧମାଳର ଲୋକ ସଂସ୍କୃତି ହିଁ କନ୍ଧମାଳକୁ ବିଶ୍ଵଦରବାରରେ ପରିଚୟ ଦେଇଛି ବୋଲି ବକ୍ତବ୍ୟ ରଖିଥିଲେ।
ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନର ସ୍ଵତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ପ୍ରାକ୍ତନ ପ୍ରାଧ୍ୟାପକ ଡ. ରମେଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦୀପକ କୁମାର ମହାନ୍ତି, ଶ୍ରୀଭରତପତି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡ. ଅଶୋକ କୁମାର ପଣ୍ଡା ଯୋଗ ଦେଇଥିଲେ । ଭିର୍ତ୍ତି ପ୍ରବନ୍ଧ ଉପସ୍ଥାପକ ଭାବେ ଦୀନକୃଷ୍ଣ ମହାପାତ୍ର ବିଷୟ ବସ୍ତୁର ଉପସ୍ଥାପନ କରିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ଶ୍ରୀମାନ୍ କାହ୍ନୁ ଚରଣ ପାତ୍ର ଏବଂ ଏ. ଏମ୍. ସି. ଏସ୍ ମହାବିଦ୍ୟାଳୟର ସ୍ନାତକ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୁଲେଖା ଭୋଇ ପ୍ରବନ୍ଧ ପାଠ କରିଥିଲେ ।
ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ପରିଶୁଦ୍ଧ ଓଡ଼ିଆ ଭାଷା ଲିଖନ, ପ୍ରବନ୍ଧ ଓ ତର୍କ ତିନୋଟି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା ।
କୃତି ପ୍ରତିଯୋଗୀଙ୍କୁ ପ୍ରଥମ ସ୍ଥାନ ଅଧିକାରୀ ଙ୍କୁ ୧୫୦୦, ଦ୍ଵିତୀୟ ସ୍ଥାନ ଅଧିକାରୀଙ୍କୁ ୧୨୦୦ ଏବଂ ତୃତୀୟ ସ୍ଥାନ ଅଧିକାରୀଙ୍କୁ ୧୦୦୦ ଆର୍ଥିକ ରାଶି ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଅଧ୍ୟାପକ ବନମାଳୀ ବେହେରା ଅତିଥିଙ୍କୁ ମଞ୍ଚକୁ ସ୍ବାଗତ କରିଥିବା ବେଳେ ଅଧ୍ୟାପିକା ନିବେଦିତା ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ରିଲୁ ପ୍ରଧାନ, ଭଞ୍ଜକିଶୋର ସାହୁ, ଅଜୟ ଗଣ୍ଡ ମଞ୍ଚ ପରିଚାଳନା କରିଥିଲେ ।
ପରିଶେଷରେ ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।
ଟ୍ରାକ୍ଟରରେ ମାଟ୍ରିକ୍ ପରୀକ୍ଷାର୍ଥୀ ବୁହା ହେବା ଘଟଣା : ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
ବାଲିଗୁଡା, ୨୭/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ସ୍ଥିତ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ମାଟ୍ରିକ୍ ପରୀକ୍ଷାର୍ଥୀ ଟ୍ରାକ୍ଟର ରେ ମାତ୍ର ୩ କି.ମି. କୁଡୁତୁଲି ବିଦ୍ୟାଳୟ କୁ ବୁହା ହେବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ଘଟଣାର ତଦନ୍ତ ପାଇଁ ଆକ୍ସନ ମୋଡରେ ପ୍ରଶାସନ ତଦନ୍ତ ଆରମ୍ଭ କରି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ରଥଙ୍କୁ ଶୁକ୍ରବାର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡିଛି ।
ପ୍ରଧାନ ଶିକ୍ଷକ ଶ୍ରୀ ରଥ ପ୍ରଥମେ ନିଜ ଦୋଷ ଲୁଚାଇବାକୁ ଯାଇ ଟ୍ରାକ୍ଟର ଡ୍ରାଇଭର ମୁଣ୍ଡରେ ଦୋଷ ଲଦି ଖସି ଯିବା ପାଇଁ ଚେଷ୍ଟା କରିଥିଲେ । ପରେ ଡେ ସ୍କଲାର ପିଲାଙ୍କ ଅଭିଭାବକଙ୍କ ମୁଣ୍ଡରେ ଦୋଷ ଲଦିଲେ । ଘଟଣାର ସଠିକ୍ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡେ ସ୍କଲାର୍ ପିଲା ଅଭିଭାବକ ମାନେ ଦାବି କରିଛନ୍ତି ।
ପ୍ରଧାନ ଶିକ୍ଷକଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଅଭିଭାବକ ମାନେ ଅପେକ୍ଷା କରି ରହିଛନ୍ତି। ସୂଚନାଯୋଗ୍ୟ ଯେ, କ.ନୂଆଗାଁ ସ୍ଥିତ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି। କେନ୍ଦ୍ରଟି ବିଦ୍ୟାଳୟ ଠାରୁ ପ୍ରାୟ ୩ କିମି ଦୂର ।
ଗତ ୧୯ ତାରିଖରେ ରେ ଛାତ୍ର ଛାତ୍ରୀ ମାନେ ଟ୍ରାକ୍ଟରରେ ବସି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ତଦନ୍ତକୁ ତ୍ୱରାନ୍ୱିତ କରି ବିଭାଗୀୟ କର୍ତ୍ତୃପକ୍ଷ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡିଛି ।

Related Posts