ଉଠା ଜଳସେଚନ ପ୍ରକଳ୍ପକୁ ନେଇ ବଢ଼ୁଛି ଚାଷୀଙ୍କ ସମସ୍ୟା: ୫୬୧ରୁ ୧୨୫ଟି ପ୍ରକଳ୍ପ ଅଚଳ, ଖତ ଖାଉଛି ୧୦୩୬୧୮ ହେକ୍ଟର ଚାଷ ଜମିକୁ ପହଞ୍ଚି ପାରୁନି ପାଣି

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୬/୪ : ନୟାଗଡ଼ ଜିଲ୍ଳାରେ ଉଠା ଜଳସେଚନ ପ୍ରକଳ୍ପକୁ ନେଇ ଚାଷୀମାନଙ୍କ ଚିନ୍ତା ଧୀରେ ଧୀରେ ବଢ଼ିବାକୁ ଲାଗିଛି। ବର୍ଷ ବର୍ଷ ଧରି ସେମାନେ ସମସ୍ୟା ଘେରରେ ରହୁଥିଲେ ମଧ୍ୟ ଜିଲ୍ଳା ପ୍ରଶାସନ ପକ୍ଷରୁ ଏଥିପ୍ରତି କିଛି ବି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।
ଫଳରେ ଜମିରେ ଜଳସେଚନ କରିବା ପାଇଁ ଚାଷୀମାନଙ୍କୁ ମ ହଇରାଣ ହେବାକୁ ପଡ଼ୁଛି। ପରିସ୍ଥିତି ଏପରି ହୋଇଛି ଯେ, ରକ୍ଷଣାବେକ୍ଷଣ ଅଭବାରୁ ଅଚଳ ହୋଇପଡ଼ିଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ୧୦ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଖତ ଖାଇଗଲାଣି।
ମିଳିଥିବା ତଥ୍ୟ ମୁତାବକ, ଜିଲ୍ଲାରେ ମୋଟ୍ ୧,୩୧,୧୩୪ ହେକ୍ଟର ଜମିରେ ଚାଷ କରାଯାଉଛି। ସେଥିମଧ୍ୟରୁ ୯୭,୫୩୩ ହେକ୍ଟର ଜମିରେ ଧାନ ଓ ୩୩,୬୦୧ ହେକ୍ଟର ଜମିରେ ଅନ୍ୟାନ୍ୟ ଚାଷ କରାଯାଏ।
ଜିଲ୍ଲାରେ ବିଭିନ୍ନ କିସମରେ ମୋଟ୍ ୬୮୬ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି। ସେଥିମଧ୍ୟରୁ ୫୬୧ଟି ଏବେ କାର୍ୟ୍ୟକ୍ଷମ ରହିଛି। ଜିଲ୍ଲାର ସମସ୍ତ ବ୍ଲକରେ ଥିବା ମୋଟ୍ ୬୮୬ ଉଠାଜଳସେଚନ ପ୍ରକଳ୍ପ ଦ୍ବାରା ୧୪,୭୦୫ ହେକ୍ଟର ଚାଷ ଜମି ଜଳସେଚିତ ହୁଏ।
ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଥିବା ପ୍ରକଳ୍ପ ଦ୍ବାରା ମୋଟ୍ ୧୧,୧୩୭ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯାଇପାରୁଛି। ଅର୍ଥାତ ବାକି ୩,୬୧୮ ହେକ୍ଟର ଚାଷ ଜମିକୁ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ଜଳସେଚନ କରିବା ସମ୍ଭବ ହେଉ ନାହିଁ। ଫଳରେ ଚାଷ କାର୍ୟ୍ୟ ବାଧାପ୍ରାପ୍ତ ହେଉଛି।
ଏହି ଚାଷୀମାନେ ବର୍ଷା ଭରସାରେ ନିଜ ଚାଷ ଜମିକୁ ଛାଡ଼ି ଦେଇଛନ୍ତି।
ନୟାଗଡ଼ରେ ଚାଷର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଏଠାରେ ରୋଜଗାର କରିବା ପାଇଁ ଅନ୍ୟ କିଛି ମାଧ୍ୟମ ନଥିବାରୁ ଚାଷ କାର୍ୟ୍ୟକୁ ଲୋକମାନେ ବେଶ୍ ଗୁରୁତ୍ବ ଦିଅନ୍ତି। ଧାନ ଚାଷକୁ ବାଦ୍ ଦେଲେ ଡାଲି ଓ ପରିବା ଜାତୀୟ ଚାଷ ଏଠାରେ ବହୁଳ ଭାବରେ କରାଯାଏ। ମାତ୍ର ଏହି ଚାଷ କାର୍ଯ୍ୟରେ ଉଠା ଜଳସେଚନ ବିଭାଗକୁ ସେତେଟା ଗୁରୁତ୍ବ ଦିଆଯାଉଥିବା ପରି ମନେ ହେଉ ନାହିଁ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଭଲ ଭାବେ ଅବଗତ ଅଛନ୍ତି।
ତଥାପି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ୧୦ଟି ପ୍ରକଳ୍ପ ଖତ ଖାଇଯାଇଛି। ଯାହାକୁ ପୁର୍ନବାର ମରାମତି କରି ସଚଳ କରିବା ଅସମ୍ଭବ। ଏଣୁ ଚାଷୀମାନଙ୍କ ହିତ ଦୃଷ୍ଟିରୁ ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବି ହୋଇଛି।
ଏ ନେଇ ଏ ନେଇ ବିଭାଜନର ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ବର ନାୟକ କୁହନ୍ତି ଯେ, ଯେଉଁ ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇପଡ଼ିଛି, ପାଣି ପଞ୍ଚାୟତ ଦ୍ବାରା ଏହାର ମରାମତି କରାଯିବ। ସେଥିପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ରହିଛି। ଅଚଳ ହୋଇପଡ଼ିଥିବା ୧୨୫ଟିରୁ ୧୦ଟା ଆଦୌ ମରାମତି କରାଯାଇପାରିବ ନାହିଁ।
ଚଳିତ ବର୍ଷ ଅଧିକରୁ ଅଧିକ ପ୍ରକଳ୍ପ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ବିଭାଗୀୟ ପ୍ରକ୍ରିୟା ବି ଆରମ୍ଭ ହୋଇ ସାରିଛି। ଚାଷୀମାନେ ଯେପରି ସୁରୁଖୁରୁରେ ପାଣି ପାଇପାରିବେ, ସେ ନେଇ ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ।