ଇଞ୍ଜେକ୍ସନ ନେଲା ଝିଅର ଜୀବନ, ଅଭିଯୋଗ କଲେ ପରିବାର ଲୋକେ
ନୟାଗଡ଼ ୧୧/୮: ଅଭାବନୀୟ ଘଟଣା । ନୟାଗଡ଼ ଜିଲ୍ଲାରୁ ଆସିଛି ଅତ୍ୟନ୍ତ ଦୁଃଖଦ ଖବର। ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଏବଂ ଭୁଲ୍ ଇଞ୍ଜେକସନ ପ୍ରୟୋଗ ଲାଗି ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି ।
ଏନେଇ ପରିବାର ଲୋକଙ୍କ ପକ୍ଷରୁ ଆସିଛି ସାଂଘାତିକ ଅଭିଯୋଗ । ଏହି ଘଟଣା ପରେ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।
ମୃତକ ହେଲେ ଗୋଳାପୋଖରୀ ଗାଁର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରା । ସେ ଖଣ୍ଡପଡ଼ା କଲେଜରେ ଯୁକ୍ତ ତିନି ଶ୍ରେଣୀରେ ପାଠ ପଢ଼ୁଥିଲେ । ଗତ ଦୁଇ ଦିନ ହେଲା ସେ ଭାରୀ ଜ୍ୱରରେ ଆକ୍ରାନ୍ତ ଥିଲେ ।
ଖବର ଅନୁଯାୟୀ, ମଙ୍ଗଳବାର ସକାଳେ ସେ କଲେଜ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇଥିଲା । ସେ ଅସୁସ୍ଥ ହୋଇପଡ଼ିଥିଲେ ।
ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରିବାର ଲୋକଙ୍କ କହିବାନୁଯାୟୀ, ମେଡିକାଲରେ କାର୍ୟ୍ୟରତ ଡାକ୍ତର ସନ୍ତୋଷୀଙ୍କୁ ଦେଖି ସାଲାଇନ୍ ଏବଂ ଏକ ଇଞ୍ଜେକସନ ଦେଇଥିଲେ ।
କିନ୍ତୁ ଦୁର୍ଭାଗ୍ୟର କଥା, ଇଞ୍ଜେକସନ ଦିଆଯିବାର କିଛି ସମୟ ପରେ ସନ୍ତୋଷୀଙ୍କ ଶରୀରରେ ଅତ୍ୟଧିକ ଜଳାପୋଡ଼ା ହୋଇଥିଲା ଏବଂ କିଛି କ୍ଷଣ ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ତେବେ ଝିଅର ମୃତ୍ୟୁକୁ ଲୁଚାଇବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ପରିବାର ଲୋକଙ୍କୁ କହିଥିଲେ ।
ଯାହାକୁ ନେଇ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା । ଝିଅର ଏପରି ଅକାଳ ଏବଂ ସନ୍ଦେହଜନକ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଗୋଳାପୋଖରୀ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ସମ୍ପର୍କୀୟମାନେ ଭାପୁର ମେଡିକାଲ ପରିସରରେ ପହଞ୍ଚିଥିଲେ ।
ସେଠାରେ ସେମାନେ ଉତ୍ତେଜିତ ହୋଇ ଡାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଜୋରଦାର ପାଟିତୁଣ୍ଡ ଓ ହଙ୍ଗାମା କରିଥିଲେ । ଡାକ୍ତରଙ୍କ ଭୁଲ୍ ଚିକିତ୍ସା ପାଇଁ ଛାତ୍ରୀଙ୍କ ଜୀବନ ଗଲା ବୋଲି ଅଭିଯୋଗ କରି ଗ୍ରାମବାସୀ କାର୍ୟ୍ୟରତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ପରିସ୍ଥିତି ଅତି ଗମ୍ଭୀର ହେବାରୁ ଖବର ପାଇ ଫତେଗଡ଼ ଥାନା ଅଧିକାରୀ ଓ ଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବାକୁ ପ୍ରୟାସ ଜାରି ରଖିଛନ୍ତି ।




