ଆସୁଛି ଚଳିତ ମୌସୁମୀ ଋତୁର ପ୍ରଥମ ଲଘୁଚାପ, ୭ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ୱର, ୩୦/୬ : ଓଡ଼ିଶାରେ କିଛିଦିନ ଧରି ଦୁର୍ବଳ ରହିଥିବା ମୌସୁମୀ ବର୍ଷା ପୁଣି ଜୋର ଧରିବାକୁ ଯାଉଛି। ଜୁଲାଇ ୧ରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ବୁଧବାରଠାରୁ ରବିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଇଏମଡି ସୂଚନା ଅନୁସାରେ, ବୁଧବାର ବରଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୬୪.୫ ମିଲିମିଟରରୁ ୨୦୪.୪ ମିଲିମିଟର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ସେହିପରି ଗୁରୁବାର ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଏହି ସପ୍ତାହରେ ମୌସୁମୀ ବର୍ଷା ସକ୍ରିୟ ରହିବ। ଏହାସହ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ।
ଅନ୍ୟପଟେ, ଜୁନ୍ ମାସରେ ରାଜ୍ୟରେ ମୌସୁମୀ ବର୍ଷା ଆଶାନୁରୂପ ହୋଇନଥିଲା। ଜୁନ୍ ୨୩ରୁ ୨୯ ତାରିଖ ମଧ୍ୟରେ ରାଜ୍ୟରେ ସାମଗ୍ରିକ ଭାବେ ୬୦ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି।
ଏହି ସମୟରେ ୧୮ଟି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ଅଭାବ ଦେଖାଯାଇଥିବାବେଳେ ୧୧ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ପର୍ୟ୍ୟନ୍ତ ବର୍ଷା ଅଭାବ ରହିଛି। କେବଳ ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।
ସର୍ବାଧିକ ବର୍ଷା ଅଭାବ ଥିବା ଜିଲ୍ଲା ମଧ୍ୟରେ ଅନୁଗୁଳ, କଟକ, ଜଗତସିଂହପୁର, ପୁରୀ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ରହିଛି। ତେବେ ଜୁଲାଇ ପ୍ରଥମ ସପ୍ତାହରେ ବର୍ଷା ବଢ଼ିବା ସହ ଏହି ଅଭାବ କିଛିମାତ୍ରାରେ ପୂରଣ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି।




