Odisha News

ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ ସାଲିସ କରାଯିବନି, ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ

ଭୁବନେଶ୍ୱର,୨୨/୭: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରାକୁ ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ଆକ୍ସନ୍ ମୋଡ୍‌କୁ ଆସିଛନ୍ତି।
ଏହାକୁ ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ବାହୁଡ଼ାଯାତ୍ରା ସହ ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଭଳି ପରବର୍ତ୍ତୀ ସମସ୍ତ ନୀତିକାନ୍ତିକୁ ନିର୍ବିଘ୍ନରେ ସମ୍ପନ୍ନ କରିବା ପାଇଁ ବ୍ୟାପକ ରଣନୀତି ଉପରେ ଆଲୋଚନା ହୋଇଛି।
ବିଶେଷ କରି ଗୁଣ୍ଡିଚା ଯାତ୍ରା ସମୟରେ ଘଟିଥିବା ଅଘଟଣର ସମୀକ୍ଷା କରାଯାଇ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପ୍ରସ୍ତୁତିର ସମୀକ୍ଷା କରିଥିଲେ।
ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଦାୟିତ୍ୱ ତୁଲାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ବାହୁଡ଼ାଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କୌଣସି ପ୍ରକାର ଅବ୍ୟବସ୍ଥା ନ ହେବା ପାଇଁ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି।
ଭକ୍ତମାନେ ଯେପରି ସୁରକ୍ଷିତ ଓ ସୁବିଧାଜନକ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ସରକାରଙ୍କ ଲକ୍ଷ୍ୟ ହେଉଛି ବାହୁଡ଼ାଯାତ୍ରାଠାରୁ ନୀଳାଦ୍ରି ବିଜେ ପର‌୍ୟ୍ୟନ୍ତ ପ୍ରତ୍ୟେକ ନୀତିକାନ୍ତିକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷାର ସହ ସଫଳତାର ସହ ସମ୍ପନ୍ନ କରିବା।

Related Posts