Odisha News

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୭/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ଗୁଳିମରା ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀ ରେ ବୁଡ଼ି ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି।
ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ଦିନ ମଜୁରିଆ ପିଣ୍ଟୁ ଦଣ୍ଡସେନା। ସୂଚନା ଅନୁଯାୟୀ, ପିଣ୍ଟୁ ପ୍ରତିଦିନ ଭଳି ଶନିବାର ମଧ୍ୟ ନିକଟସ୍ଥ ପୋଖରୀ କୁ ଗାଧୋଇ ଯାଇଥିବା ବେଳେ ପୋଖରୀ ଭିତରେ ଥିବା ଜଳଜ ଦଳରେ ଛନ୍ଦି ହୋଇ ସେ ପାଣିରୁ ବାହାରି ନପାରିବାରୁ ଏଭଳି ଅଘଟଣ ଘଟି ଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି।
ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଉଦ୍ଧାର କରି ବାଲିଗୁଡା ମେଡିକାଲ କୁ ଆଣି ଥିଲେ କ୍ଷ ସେଠାରେ ଚିକିତ୍ସା ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ କ୍ଷ ଘଟଣାକୁ ନେଇ ଗୁଳିମରା ସାହି ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଦିନ ମଜୁରିଆ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ପରିବାରବର୍ଗ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ମର୍ମାହତ ହୋଇଛନ୍ତି। ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଆଧିକାରିକ ସୂଚନା ମିଳିବା ପରେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।
ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ,
ବାଲିଗୁଡ଼ା, ୭/୧୧ : ସରକାରୀ ଆବାସ ଗୃହ ନିର୍ମାଣ କାର‌୍ୟ୍ୟର ସମୀକ୍ଷା କରୁଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି।
ଏହି ଘଟଣାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ରାଣୀପଙ୍ଗା ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ଜଣେ ମେଟ୍ ଆମନ ପ୍ରଧାନଙ୍କୁ କୋଟଗଡ଼ ପୁଲିସ ଗିରଫ କରିଛି।
ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଜେଲ୍ ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କୋଟଗଡ଼ ବ୍ଲକ ରାଣୀପଙ୍ଗା ପଞ୍ଚାୟତର ଗୁହେରଗାଁ, ପାଙ୍ଗାଲି ଓ ରାଣୀପଙ୍ଗା ଗ୍ରାମରେ ଚାଲିଥିବା ଆବାସ ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ସମୀକ୍ଷା କରିବାକୁ ଯାଇଥିଲେ ଏଡିଓ ଆନନ୍ଦ ବେହେରଦଳେଇ ଓ ପିଇଓ ରଞ୍ଜନ ପ୍ରଧାନ। ଏହି ସମୟ ରେ ପାଙ୍ଗାଲି ଗ୍ରାମର ମେଟ୍ ଆମନ ପ୍ରଧାନ ହଠାତ୍ ପଛପଟୁ ଆସି ଏଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଏଡିଓଙ୍କ ବାମ କାନରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା।
ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଏଭଳି ଘଟଣାକୁ ନେଇ ଏଡିଓ ଓ ଏଡିଓ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଥିଲା।
ଏନେଇ ଜିପିଡିଓ ଲଳିତ ମୋହନ ସାହୁଙ୍କ ସମେତ ବିଡିଓଙ୍କୁ ଲିଖିତ ଭାବେ ଅବଗତ କରାଯିବା ସହ କୋଟଗଡ଼ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା।
ଅଭିଯୋଗ ଆଧାରରେ କୋଟଗଡ଼ ପୁଲିସ କେସ୍ ନଂ. ୨୦୧/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ର ଧାରା ୧୨୬(୨), ୨୯୬, ୧୦୯(୧), ୧୩୨ ଓ ୩୫୧(୩) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତକାରୀ ଅଧିକାରୀ ଜିତେନ୍ଦ୍ର ବେହେରା ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରି ଅଭିଯୁକ୍ତ ଆମନ ପ୍ରଧାନଙ୍କୁ ତାଙ୍କ ଘରୁ ଗିରଫ କରିଥିଲେ।
ସରକାରୀ ଯୋଜନାର କାର‌୍ୟ୍ୟ ତଦାରଖ ଓ ସମୀକ୍ଷା କରିବାକୁ ଯାଉଥିବା କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ସରକାରୀ କାର‌୍ୟ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
କ୍ଷେତ୍ରସ୍ତରରେ ଦାୟିତ୍ୱ ନିର୍ବାହ କରୁଥିବା କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର‌୍ୟ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ,
ବାଲିଗୁଡ଼ା, ୭/୧୧: ସାମାଜିକ ସେବା ଓ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସିନିୟର ଏଜ୍ ହେଲଥ କେୟାର ଆସୋସିଏସନ, ବାଲିଗୁଡ଼ା। ଆସୋସିଏସନ ପକ୍ଷରୁ ବାଲିଗୁଡ଼ାର ତ୍ରିବେଦୀ ପାର୍କ ନିକଟରେ ‘ଥିଲେ ଦିଅ, ନଥିଲେ ନିଅ’ ଶୀର୍ଷକ ଏକ ଅଭିନବ ବସ୍ତ୍ର ବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ମହତ୍ ଉଦ୍ୟମର ମୂଳ ଲକ୍ଷ୍ୟ ହେଉଛି, ଯାହାଙ୍କ ପାଖରେ ଆବଶ୍ୟକତାଠାରୁ ଅଧିକ ବସ୍ତ୍ର ରହିଛି ସେମାନେ ଅନ୍ୟମାନଙ୍କ ପାଇଁ ଦାନ କରିବେ ଏବଂ ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନେ ସେଥିରୁ ନିଜ ପସନ୍ଦ ଓ ଆବଶ୍ୟକତା ଅନୁଯାୟୀ ବସ୍ତ୍ର ନେଇ ପାରିବେ।
ବାଲିଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ ସଂଜୀବ ରୁପା ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।
ଏଥିରେ ବିଭିନ୍ନ ପ୍ରକାରର ପୋଷାକ ଓ ବସ୍ତ୍ର ସଂଗ୍ରହ କରାଯାଇ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯାଇଥିଲା। ଅଦରକାରୀ ହୋଇ ପଡ଼ିରହିଥିବା ପୋଷାକ ଅନ୍ୟ କାହାର ଆବଶ୍ୟକତା ପୂରଣ କରିବା ସହ ସମାଜରେ ସହଯୋଗ, ସମ୍ବେଦନଶୀଳତା ଓ ଭାଇଚାରାର ଭାବନାକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା।
ଏହି ଅବସରରେ କାଳିନ୍ଦୀ ଚରଣ ପଣ୍ଡା, ରବିନାରାୟଣ ମିଶ୍ର, ଯୁଗଳ କିଶୋର ନାୟକ, ଜେବ୍ରାସ ଦିଗାଳ ଏବଂ ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।
ସମାଜରେ ଜଣଙ୍କ ପାଇଁ ଅଦରକାରୀ ହୋଇଥିବା ଜିନିଷ ଅନ୍ୟ ଜଣଙ୍କ ପାଇଁ ଆବଶ୍ୟକତାର ସମ୍ବଳ ହୋଇପାରେ।
ଏହି ସୁନ୍ଦର ଚିନ୍ତାଧାରାକୁ ନେଇ ଆୟୋଜିତ ଏହି ପ୍ରୟାସ ବାଲିଗୁଡ଼ାବାସୀଙ୍କ ମଧ୍ୟରେ ସାମାଜିକ ସହଯୋଗ ଓ ସେବା ମନୋଭାବକୁ ଆହୁରି ପ୍ରୋତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି।
ଗାଈ ଛେଳି ଚରାଉଥିବା ବେଳେ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ମୃତଦେହ ରଖି ରାସ୍ତା ଅବରୋଧ, କ୍ଷତିପୂରଣ ଦାବିରେ ଉତ୍ତେଜନା; ଡ୍ରାଇଭର ଅଟକ, ଗାଡ଼ି ଜବତ
ବାଲିଗୁଡ଼ା, ୭/୧୧ : ଗାଈ ଓ ଛେଳି ଚରାଇବାକୁ ଯାଇଥିବା ଜଣେ ବୃଦ୍ଧାଙ୍କ ପାଇଁ କାଳ ସାଜିଲା ଦ୍ରୁତଗାମୀ ପିକ୍‌ଅପ୍ ଭ୍ୟାନ୍‌। ରାସ୍ତାକଡ଼ରେ ବସିଥିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନ୍ ତାଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡ଼ି ମୁଖ୍ୟ ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧା ଜଣକ ହେଲେ ଗୁଞ୍ଜିବାଡ଼ି ଖଲିଗୋଦାମ ସାହିର ନମ ପ୍ରଧାନଙ୍କ ପତ୍ନୀ ଟୁପା ପ୍ରଧାନ (୫୫)। ପ୍ରତିଦିନ ଭଳି ଟୁପା ଗାଈ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ରାସ୍ତାକଡ଼ରେ ବସିଥିଲେ।
ଏହି ସମୟରେ ରାଇକିଆ ପଟୁ କ.ନୂଆଗାଁ ଅଭିମୁଖେ ଏକ ପିକ୍‌ଅପ୍ ଭ୍ୟାନ୍ ଯାଉଥିଲା। ହଠାତ୍ ଏକ ଛେଳି ଗାଡ଼ି ସମ୍ମୁଖକୁ ଦୌଡ଼ି ଆସିବାରୁ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ବସିଥିବା ଟୁପାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୁଖ୍ୟ ରାସ୍ତାରେ ମୃତଦେହ ରଖି ଧାରଣା ଦେଇଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ସାରଙ୍ଗଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି।
ଏନେଇ ଥାନା ଅଧିକାରୀ ସ୍ମିତା ଜେନା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଘଟଣାସ୍ଥଳରେ କ.ନୂଆଗାଁ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ ଓ ତହସିଲଦାର ସମୀର ପାଇକରାୟ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।
ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ରାସ୍ତା ଅବରୋଧ ହଟିନଥିବାରୁ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇପାରିନଥିଲା।
ମୃତକଙ୍କ ପରିବାରକୁ କେବେ ଓ କିପରି ସହାୟତା ମିଳିବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ଅପେକ୍ଷା ରହିଛି।

Related Posts