ଲୋପ ପାଇଛି ଗ୍ରିଟିଙ୍ଗ : ସୋସିଆଲ ମିଡିଆରେ ନବବର୍ଷର ବାର୍ତ୍ତା ବୃଦ୍ଧି ପାଉଛି
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩୦/୧୨ : ଆଉ ଦିନକ ପରେ ଇଂଲିଶ ନବବର୍ଷ ପାଳିତ ହେବାକୁ ଥିବା ବେଳେ ସୋସିଆଲ ମିଡିଆ ଶୁଭେଚ୍ଛା ବାର୍ତ୍ତା ପ୍ରେରଣର ମାଧ୍ୟମ ସାଜିଛି। ପୂର୍ବରୁ ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ଗ୍ରୀଟିଂସ୍ କାର୍ଡର ବ୍ୟବହାର କରାଯାଉଥିଲା। କିନ୍ତୁ ଏହା ବର୍ତ୍ତମାନ ଲୋପ ପାଇଛି ।
ନବବର୍ଷ ଆସିଲେ ବିଭିନ୍ନ ଅଞ୍ଚଳର ଦୋକାନରେ ଗ୍ରୀଟିଂସ କାର୍ଡ କିଣିବାକୁ ଲୋକଙ୍କର ଭିଡ଼ ଜମୁଥିଲା। କିନ୍ତୁ କିଛି ବର୍ଷ ହେବ କନ୍ଧମାଳ ଜିଲା ବାଲିଗୁଡା ସହର ସମେତ ଆଖପାଖ ବିଭିନ୍ନ ଅଞ୍ଚଳରେ ଏହି ଗ୍ରିଟିଙ୍ଗ କାର୍ଡ ଆଉ ମିଳୁ ନାହିଁ।
ମୋବାଇଲ ଫୋନ ର ବହୁଳ ବ୍ୟବହାର ବଢ଼ିଥିବାରୁ ହାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ମେସେଞ୍ଜର ଓ ଟୁଇଟ ମାଧ୍ୟମରେ ବାର୍ତ୍ତା ଦିଆଯାଉଛି ।
ବୈଷୟିକ ଜ୍ଞାନ କୌଶଳର ମଧ୍ୟ ଚାହିଦା ବଢ଼ିଛି। ଲୋକେ ଅତି ସହଜରେ ମୋବାଇଲ ଫୋନ୍ ଜରିଆରେ ହଜାର ହଜାର କି.ମି. ଦୂରରେ ରହୁଥିବା ବନ୍ଧୁ ଓ ସମ୍ପର୍କୀୟ ମାନଙ୍କୁ ଶୁଭେଚ୍ଛା ଜଣାଇ ପାରୁଛନ୍ତି। ଭିଡିଓ କଲିଂ ଜରିଆରେ ମଧ୍ୟ ପରସ୍ପରଙ୍କ ଉପସ୍ଥିତି ଅନୁଭବ ଜାହିର କରିପାରୁଛନ୍ତି।
ଏଭଳି ହାତଲେଖା ଗ୍ରୀଟିଂସ ପଠାଇବା ପରମ୍ପରା ଲୋପ ପାଇଛି। ଗ୍ରିଟିଙ୍ଗ କାର୍ଡ ରେ ନିଜର ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ ହୋଇଥିଲା। ନୂଆବର୍ଷ ପାଳନ ହେବାର ପ୍ରାୟ ୧ ମାସ ପୂର୍ବରୁ ଅଞ୍ଚଳର ବିଭିନ୍ନ ଦୋକାନରେ ୫ ଟଙ୍କାରୁ ଆରମ୍ଭକରି ୨ଶହରୁ ଉର୍ଦ୍ଧ ଟଙ୍କା ଯାଏ ଗ୍ରିଟିଙ୍ଗ ବିକ୍ରି ହେଉଥିଲା।
କିନ୍ତୁ ଏହାର ଚାହିଦା କମିଥିବାରୁ ଦୋକାନରେ ଏହାର ବିକ୍ରି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି, ଯାହା ଫଳରେ ଗ୍ରିଟିଙ୍ଗ ବ୍ୟବସାୟ ଆଉ କରାଯାଉ ନ ଥିବା ବିଷୟ ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି।
କ.ନୂଆଗାଁ ବ୍ଲକ ପଞ୍ଚାୟତ ସମିତିର ଏକାଦଶତମ ବୈଠକ
ବାଲିଗୁଡା, ୩୦/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସଭାଗୃହ ଠାରେ ଏକାଦଶ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ଉକ୍ତ ବୈଠକକୁ ଜିପିଇଓ ସ୍ମୃତି ସାଗର ପ୍ରଧାନ ସଂଯୋଜନା କରିଥିବା ବେଳେ ସ୍ବାସ୍ଥ୍ୟ,ଶିଶୁ ବିକାଶ ଯୋଜନା,ପଶୁ ସମ୍ପଦ, କୃଷି, ଉଦ୍ୟାନ, ଜଳପରିମଳ, ମୂର୍ତ୍ତିକା ସଂରକ୍ଷଣ ବିଭାଗ, ଯୋଗାଣ ବିଭାଗ, ଶିକ୍ଷା, ଗମନା ଗମନ ଭଳି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା।
ଏହା ସହ ବ୍ଲକର ୧୪ ଟି ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ଅଭାବ ଅସୁବିଧା ଓ ସମସ୍ୟା ସମ୍ପର୍କରେ ବୈଠକରେ ଉପସ୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଉପସ୍ଥାପନା କରି ବିଭାଗୀୟ ଅଧୂକାରୀଙ୍କୁ ଅବଗତ କରିବା ସହିତ ଆଶୁ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଅଧ୍ୟକ୍ଷତା କରିଥିଲା ବେଳେ ମୂଖ୍ୟ ଅତିଥି ଭାବେ ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିଲେ ।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ବର ପାତ୍ର, ସହକାରୀ ନୀର୍ବାହୀ ଯନ୍ତ୍ରୀ ଇଂ.ଶୋଭମ ମହାପାତ୍ର ମଞ୍ଚାସୀନ ଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୂକାରୀ ଡାଃ ପ୍ରିୟବ୍ରତ ପାଣିଗ୍ରାହୀ, ବିଇଓ ପ୍ରମୋଦ କୁମାର ମଲ୍ଲିକ,ବନାଞ୍ଚଳ ଅଧିକାରୀ ରମାକାନ୍ତି କହଁର, ବନପାଳ ଶୁଶାନ୍ତି କୁମାର ବୈଶାଖୀ, ଏପିଓ ତ୍ରିନାଥ ନାୟକ, ସିଡ଼ିପିଓ ସୋନିଆ ହେମ୍ବ୍ରମ, ମୂର୍ତ୍ତିକା ସଂରକ୍ଷଣ ଅଧୂକାରୀ ରବି ନାରାୟଣ ଭୂୟାଁ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝୀ ପଡ୍ରା , ଗୋଷ୍ଠୀ କୃଷି ଅଧିକାରୀ ବିଭୁପଦ ଦାସ, ସହକାରୀ ଉଦ୍ୟାନ କୃଷି ଅଧୂକାରୀ ବିଭୁଦତ୍ତ ବିଶ୍ଵାଳ, ପିଇଓ ଅନୀଲ କୁମାର ପଟ୍ଟନାୟକ, ସିପି ରାକେଶ କୁମାର ସାହୁଙ୍କ ସମେତ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ,ସରପଞ୍ଚ,ସମିତି ସଭ୍ୟସଭ୍ୟା ଓ ବ୍ଳକର ବିଭିନ୍ନ ବିଭାଗୀୟ ପଦସ୍ତ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ।
ବିରାଟେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : କର୍ଣ୍ଣିବେଡ଼ାକୁ ହରାଇ ମନମୁଣ୍ଡା ଚମ୍ପିଆନ
ବାଲିଗୁଡା, ୩୦/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।
କର୍ଣ୍ଣିବେଡ଼ା ଓ ମନମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମନମୁଣ୍ଡା ଦଳ କର୍ଣ୍ଣିବେଡ଼ାକୁ ୧୧୪ ରନରେ ପରାସ୍ତ କରି ଚଳିତବର୍ଷର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି।
ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝୀ, ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଜିଲ୍ଲା ବିଜେପି ସଂପାଦକ ଦେବେନ୍ଦ୍ର କୁଦେଇ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ବୌଦ୍ଧ ଜିଲ୍ଲା ଶିକ୍ଷକ ନେତା ନିଳାଚଳ ଭୋଇ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତୁଳସୀ ଝାଙ୍କର, ସମିତି ସଭ୍ୟ ହେମ ସାଗର ମାଝୀ, ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।
ପୁରସ୍କାର ବିତରଣ ସଭାରେ ସମସ୍ତ ଅତିଥି ବିଜେତା ଦଳକୁ ଟ୍ରଫି ସହ ୫୦ ହଜାର ପୁରସ୍କାର ରାଶି, ଉପ ବିଜେତାଙ୍କୁ ଟ୍ରଫି ସହ ୩୦ ହଜାର ପୁରସ୍କାର ରାଶି ପ୍ରଦାନ କରିଥିଲେ ଏବଂ ମ୍ୟାନ ଅଫ ଦି ସିରିଜ ଟିଟିଲାଗଡ ଦଳର ଲିଲୁ ବେହେରା ଓ ମ୍ୟାନ ଅଫ୍ ଦି ମ୍ୟାଚ୍ ବିଜେତା ମନମୁଣ୍ଡା ଦଳର ବିଷ୍ଣୁ ନାୟକଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।
ଏହି ୫ଦିନିଆ ଖେଳକୁ ରବିନ୍ଦ୍ର କୁଦେଇ, ବୈକୁଣ୍ଠ ନାୟକ, ମହେନ୍ଦ୍ର ବାଘ ଓ ସଞ୍ଜୁ ରଣା ପରିଚାଳନା କରିଥିବା ବେଳେ ନକୁଳ ବାଘ, ପ୍ରଶାନ୍ତ ବେହେରା , ସଞ୍ଜିବ କୁମାର କୁଦେଇ ଓ ରବିନ୍ଦ୍ର କୁଦେଇଙ୍କ ସମେତ ସମସ୍ତ କମିଟୀ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।




